ପୁଲିସ ବିଭାଗରେ ବଡ଼ ଧରଣର ଅଦଳ ବଦଳ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଟ୍ରାନ୍ସଫର-ପୋଷ୍ଟିଂ ରାକେଟ ଅଭିଯୋଗ ସାମ୍ନାକୁ ଆସିବା ପରେ ମଙ୍ଗଳବାର ପୁଲିସ ବିଭାଗରେ ବଡ଼ ଧରଣର ବଦଳି ହୋଇଛି। ଯେଉଁଥିରେ ସଚିନ ବାଜେର ତଦନ୍ତ ଟିମରେ ସାମିଲ ଥିବା ରିଆଜୁଦ୍ଦିନ କାଜି ମଧ୍ୟ ରହିଛନ୍ତି। ମଙ୍ଗଳବାର ଏନଆଇଏ ଏହି ପୁଲିସ ଅଫିସରଙ୍କୁ ଜେରା କରିଛି।

ରିୟାଜୁଦ୍ଦିନ କାଜି ଥାନେ ସ୍ଥିତ ସଚିନ ବାଜେଙ୍କ ଘରର ସମସ୍ତ ସିସିଟିଭି ଫୁଟେଜକୁ ନିଜ ନିୟନ୍ତ୍ରଣକୁ ନେଇ ଡିଲିଟ୍ କରି ଦେଇଥିବା ଜଣାପଡ଼ିଛି। ପାଖାପାଖି ଘଣ୍ଟାଏ ଧରି ଏନଆଇଏ ଏହି ପୁଲିସ ଅଧିକାରୀଙ୍କୁ ଜେରା କରିଥିଲା।

ମୁମ୍ବାଇରେ ୮୦ରୁ ଅଧିକ ପୁଲିସ ଅଧିକାରୀଙ୍କର ବଦଳି ହୋଇଛି। ଯେଉଁଥିରୁ ୬୫ ଜଣ କେବଳ କ୍ରାଇମବ୍ରାଞ୍ଚରୁ। ବଦଳି ହୋଇଥିବା ପୁଲିସ ଅଧିକାରୀମାନଙ୍କ ମଧ୍ୟରେ ରହିଛନ୍ତି, ପୁଲିସ ଇନସପେକ୍ଟର, ପୁଲିସ ସବ ଇନସପେକ୍ଟର ଏବଂ ଆସିଷ୍ଟାଣ୍ଟ ପୁଲିସ ଇନସପେକ୍ଟର। ସଚିନ ବାଜେ ଆସିଷ୍ଟାଣ୍ଟ ପୁଲିସ ଇନସପେକ୍ଟର ଥିଲେ।

ଅନ୍ୟପଟେ କେନ୍ଦ୍ର ଗୃହ ସଚିବଙ୍କ ହାତରେ ପଡ଼ିଛି ମହାରାଷ୍ଟ୍ର ଟ୍ରାନ୍ସଫର-ପୋଷ୍ଟିଂ ରାକେଟର ତଥ୍ୟ। ଦିଲ୍ଲୀରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଗୃହ ସଚିବଙ୍କୁ ଭେଟି ସମସ୍ତ ତଥ୍ୟ ଦେଇଛନ୍ତି। ଏଥିସହ ଏହି ମାମଲା ବାବଦରେ ସୂଚନା ଦେଇଛନ୍ତି ଫଡନାଭିସ।

ଫଡନାଭିସ୍ କହିଛନ୍ତି, ‘ମୁଁ ଗୃହ ସଚିବଙ୍କୁ ସମସ୍ତ ପ୍ରମାଣ ଦେଇଛି। ତଥ୍ୟ ବାବଦରେ ସଂକ୍ଷିପ୍ତ ସୂଚନା ଦେଇଛି। ସିବିଆଇ ତଦନ୍ତ ଦାବି କରିଛି। ଗୃହ ସଚିବ ମୋତେ କହିଛନ୍ତି ଯେ ସେମାନେ ପେନ ଡ୍ରାଇଭ ଦେଖିବା ସହିତ ଏହା ସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ନଜର ରଖିବେ। ଆଉ ସରକାର ଆବଶ୍ୟକ ପଦକ୍ଷେପ ନେବେ’।

ସୂଚନାଯୋଗ୍ୟ, ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ସଚିନ ବାଜେଙ୍କ ଜରିଆରେ ୧୦୦ କୋଟି ଟଙ୍କା ଆଦାୟ କରୁଥିବା ଅଭିଯୋଗ କରିଥିଲେ ପରମବୀର। ହେଲେ ଦେଶମୁଖ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି। ଏହାପରେ ପରମବୀର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଆଜି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।