ଦଳିତ ଭାଇଙ୍କୁ ଲଣ୍ଡା କଲେ, ଚପଲ ମାଳ ପକାଇ ଗାଁରେ ବୁଲାଇଲେ

ଭୋପାଳ: ପୁଣିଥରେ ଦଳିତ ସଂପ୍ରଦାୟର ଲୋକ ନିର୍ଯାତନାର ଶିକାର ହୋଇଛନ୍ତି। ତଥାକଥିତ ଉଚ୍ଚଜାତିର ଜଣେ ଲୋକଙ୍କ ସହ ବିବାବଦ କାରଣରୁ ଦୁଇ ଦଳିତ ଭାଇଙ୍କୁ ସର୍ବସମ୍ମୁଖରେ ଦଣ୍ଡ ଦିଆଯାଇଛି। ଦୁଇ ଦଳିତ ଭାଇଙ୍କୁ ଉଚ୍ଚ ଜାତିର ଲୋକମାନେ ପ୍ରଥମେ ଲଣ୍ଡା କରିଥିଲେ। ଏହାପରେ ଉଭୟଙ୍କ ବେକରେ ଚପଲ ମାଳ ପକାଇ ଗାଁ ସାରା ବୁଲାଇଛନ୍ତି।

ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାର ଗୋଟିଏ ଗାଁରେ ଏପରି ଘଟଣା ଘଟିଛି। ଭିଣ୍ଡର ଏସପି ଶୈଳନ୍ଦ୍ର ସିଂହ ଚୌହାନ କହିଛନ୍ତି, ଭିଣ୍ଡ ସହରର ଉପକଣ୍ଠରେ ଥିବା ଦାବୋହା ଗାଁରେ ରହୁଥିବା ସନ୍ତୋଷ ଓ ଧର୍ମେନ୍ଦ୍ର ଶକୟାଙ୍କ ସହ ଦିଲୀପ ଶର୍ମାଙ୍କ ବିବାଦ ଲାଗି ରହିଥିଲା। ପ୍ରାୟ ଦେଢ଼ ମାସ ତଳୁ ବିବାଦ ଆରମ୍ଭ ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ୨ ଭାଇ ମିଳିତ ଭାବେ ଦିଲୀପ ଶର୍ମାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସେ ଆହତ ହୋଇଥିଲେ ଓ ପୁଲିସରେ ଅଭିଯୋଗ କରିଥିଲେ। ଘଟଣା ପରେ ୨ ଭାଇ ଗାଁରୁ ଫେରାର ବି ହୋଇଯାଇଥିଲେ। କିଛି ଦିନ ପରେ ସେମାନଙ୍କୁ ଜାମିନ ମିଳିଥିଲା।

ଜାମିନରେ ଆସିବା ପରେ ମଧ୍ୟ ବିବାଦର ସମାଧନ ହୋଇ ନଥିଲା। ତେଣୁ ବିବାଦର ସମାଧାନ ପାଇଁ ଦିଲୀପଙ୍କ ବଡ଼ ଭାଇ ପଞ୍ଚାୟତ ବୈଠକ ଡାକିଥିଲେ। ବୈଠକରେ ଶକୟା ଭ୍ରାତାଙ୍କୁ ଜୋରିମାନା ସ୍ୱରୂପ ଦିଲୀପ ଶର୍ମାଙ୍କୁ ୧.୫୪ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା। ସେମାନେ ଏଥିରେ ରାଜି ମଧ୍ୟ ହୋଇଥିଲେ। ତେବେ ପଞ୍ଚାୟତ ଜୋରିମାନା ସତ୍ତ୍ୱେ ଦିଲୀପ ଶର୍ମାଙ୍କ ରାଗ ଥଣ୍ଡା ହୋଇ ନଥିଲା।

ସେ ଓ ତାଙ୍କ ବାପା କିଛି ଲୋକଙ୍କୁ ଧରି ସନ୍ତୋଷ ଓ ଧର୍ମେନ୍ଦ୍ରଙ୍କୁ ଲଣ୍ଡା କରିଥିଲେ। ଏହାପରେ ସେମାନଙ୍କ ବେକରେ ଚପଲ ପକାଇ ଗାଁ ସାରା ବୁଲାଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଆଇପିସି ଓ ଏସ୍‌ସି/ଏସ୍‌ଟି ଆକ୍ଟରେ ମାମଲା ରୁଜୁ କରାଯାଇଥିଲା। ଏଥିସହ ପୁଲିସ ଦିଲୀପ ଶର୍ମା ଓ ତାଙ୍କ ବାପାଙ୍କୁ ଗିରଫ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।