ମମତାଙ୍କ ପ୍ରଚାର ଉପରେ ରୋକ ଲଗାଇଲେ ନିର୍ବାଚନ କମିଶନ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ରୋକ ଲଗାଇଛନ୍ତି ନିର୍ବାଚନ କମିଶନ। ସେ ନିର୍ବାଚନ ପ୍ରଚାର ବେଳେ ସିଏପିଏଫ ଯବାନଙ୍କୁ ଘେରାଉ କରିବାକୁ ଲୋକଙ୍କୁ ଆହ୍ୱାନ କରିଥିଲେ। ଏଥିପାଇଁ ନିର୍ବାଚନ କମିଶନ ତାଙ୍କ ପ୍ରଚାର ଉପରେ ୨୪ ଘଣ୍ଟା ବା ଗୋଟିଏ ଦିନ ପାଇଁ ବ୍ୟାନ୍‌ ଲଗାଇଛନ୍ତି।

ଆଜି(ସୋମବାର) ରାତି ୮ଟାରୁ ଏହି ଦଣ୍ଡାଦେଶ କାର୍ଯ୍ୟକାରୀ ହେବ। ମଙ୍ଗଳବାର ରାତି ୮ଟା ପରେ ମମତା ପୁଣି ପ୍ରଚାର କରିପାରିବେ। ନିର୍ବାଚନ କମିଶନ ନିର୍ଦ୍ଦେଶନାମାରେ କହିଛନ୍ତି, ମମତା ବାନାର୍ଜୀ ଅତ୍ୟନ୍ତ ଆପତ୍ତି ଓ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ। ତାଙ୍କ ବୟାନ ଦ୍ୱାରା ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା ରହିଛି। ସେହିପରି ଏହି ବିଶୃଙ୍ଖଳା ନିର୍ବାଚନ ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରିବ। ତେଣୁ ତାଙ୍କ ପ୍ରଚାର ଉପରେ ୨୪ ଘଣ୍ଟା ପାଇଁ ରୋକ ଲଗାଯାଉଛି। ଏହି ସମୟରେ ସେ କୌଣସି ବି ମାଧ୍ୟମରେ ନିଜର କିମ୍ବା ନିଜ ଦଳର ପ୍ରଚାର କରିପାରିବେ ନାହିଁ।

ସୂଚନାଯୋଗ୍ୟ, ଆସନ୍ତା ୧୭ ତାରିଖରେ ୫ମ ପର୍ଯ୍ୟାୟ ଭୋଟିଂ ହେବ। ଏଥିପାଇଁ ଜୋରଦାର ପ୍ରଚାର ଚାଲିଛି। ୪ର୍ଥ ପର୍ଯ୍ୟାୟ ନିର୍ବାଚନ ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। କୁଚବିହାର ଠାରେ ଏକ ପୁଲିଂ ବୁଥରେ ହିଂସ ଘଟିବାରୁ ସିଏପିଏଫ ଯବାନମାନେ ଗୁଳି ଚଳାଇଥିଲେ। ଏଥିରେ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା।

ମମତା ଏପ୍ରିଲ ୭ ତାରିଖରେ ବୁଚବିହାର ଠାରେ ଆୟୋଜିତ ରାଲିରେ କହିଥିଲେ ଯେ ଯଦି ସିଏପିଏଫ ଯବାନମାନେ କୌଣସି ବିଶୃଙ୍ଖଳା ସୃଷ୍ଟି କରିନ୍ତି, ତା’ହେଲେ ମହିଳାମାନେ ଯାଇ ସେମାନଙ୍କୁ ଘେରାଉ କରନ୍ତୁ। ଏହି ସମୟରେ ଅନ୍ୟମାନେ ନିଜର ମତାଧିକାର ସାବ୍ୟସ୍ତ କରନ୍ତୁ। କେହି ବି ନିଜର ଭୋଟ ନଷ୍ଟ କରନ୍ତୁ ନାହିଁ। ଯଦି ସମସ୍ତେ ସେମାନଙ୍କୁ କେବଳ ଘେରାଉ କରିବାରେ ଲାଗିବେ, ତା’ହେଲେ ସେମାନେ ଖୁସି ହେବେ। ଆପଣମାନଙ୍କୁ ଭୋଟ ଦାନରୁ ନିବୃତ୍ତ ରଖିବା ପାଇଁ ସେମାନେ ଯୋଜନା କରିଛନ୍ତି। ବିଜେପି ଏହି ଯୋଜନା କରିଛି ବୋଲି ମମତା କହିଥିଲେ।

ଏହାକୁ କେନ୍ଦ୍ର କରି ନିର୍ବାଚନ କମିଶନ ଏପ୍ରିଲ ୮ରେ ମମତାଙ୍କୁ ନୋଟିସ୍‌ କରି ଜବାବ ମାଗିଥିଲେ। ତେବେ ମମତା କୌଣସି ବିବାଦୀୟ ବୟାନ ଦେଇନାହାନ୍ତି ବୋଲି ନୋଟିସ୍‌ର ଜବାବରେ କହିଥିଲେ। ସେ କହିଥିଲେ ଘେରାଉ ଜଣେ ବ୍ୟକ୍ତିର ଗଣତାନ୍ତ୍ରିକ ଅଧିକାର। ଯଦି ମହିଳାମାନଙ୍କ ଭୋଟ ଦାନରେ କିଏ ବାଧା ସୃଷ୍ଟି କରେ, ତା’ହେଲେ ସେମାନଙ୍କୁ ବିରୋଧ କରାଯାଉ ବୋଲି ମମତା କହିଥିବା ନୋଟିସ୍‌ରେ ସଫେଇ ଦେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।