ଧୋକାବାଜ ଫେସବୁକ ପ୍ରେମିକ: ଜଙ୍ଗଲରେ ପ୍ରେମିକାଙ୍କୁ ୨୫ ଜଣଙ୍କ ସହ କଲା ଦୁଷ୍କର୍ମ

ପାଲୱଲ: ଫେସବୁକ୍‌ରେ ପ୍ରଥମେ ଚ୍ୟାଟିଂ ଓ ପରେ ପ୍ରେମ ସମ୍ପର୍କ ଗଢ଼ିବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ଫେସବୁକ ପ୍ରେମିକଙ୍କୁ ଦେଖା କରିବାକୁ ଯାଇ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ଯୁବତୀ। ବାହା ହେବାର ଲୋଭ ଦେଖାଇ ପ୍ରେମିକ ଜଣଙ୍କ ଯୁବତୀଙ୍କୁ ଦେଖା କରିବାକୁ ଡାକିଥିଲେ। ହେଲେ ଯୁବତୀ ଜଣଙ୍କ ପହଞ୍ଚିବା ପରେ ତାଙ୍କୁ ଜଙ୍ଗଲକୁ ନେଇ ରାତି ତମାମ ୨୫ ଜଣଙ୍କ ସହ ମିଶି ଗଣଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ହରିଆଣାର ପାଲୱଲରେ ଏଭଳି ଘଟଣା ଘଟିଛି।

ସୂଚନାଅନୁଯାୟୀ, ଅଭିଯୁକ୍ତ ଯୁବକ ସାଗର ସହ ଫେସବୁକରେ  ଯୁବତୀ ଜଣଙ୍କ ବନ୍ଧୁତା କରିଥିଲେ। ଘଟଣା ଦିନ ଯୁବକ ଜଣଙ୍କ ଯୁବତୀଙ୍କୁ ଦେଖା କରିବା ପାଇଁ ହୋଡଲାକୁ ଡାକିଥିଲା। ସେଠାରୁ ତାଙ୍କୁ ଅପହରଣ କରି ରାମଗଡ଼ ସ୍ଥିତ ଜଙ୍ଗଲ ମଧ୍ୟକୁ ନେଇଯାଇଥିଲା। ସେଠାରେ ତାଙ୍କୁ ସେ ଅନ୍ୟମାନଙ୍କ ସହ ମିଶି ରାତି ତମାମ ଦୁଷ୍କର୍ମ କରିଥିଲା।

ସକାଳୁ ଯୁବତୀଙ୍କୁ ଗୋଟିଏ ନିଛାଟିଆ ସ୍ଥାନରେ ଫୋପାଡ଼ି ଦେଇଥିଲା। ସେଠାରେ ମଧ୍ୟ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ବାରମ୍ବାର ଗଣଦୁଷ୍କର୍ମ ଯୋଗୁ ଯୁବତୀଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା। ସେ ଚେତାଶୂନ୍ୟ ହୋଇଯିବାରୁ ଅଭିଯୁକ୍ତମାନେ ତାଙ୍କୁ ବଦରପୁର ସୀମାରେ ଛାଡ଼ି ଦେଇ ଚାଲିଯାଇଥିଲେ।

ପୁଲିସ୍‌ ଏହି ଘଟଣାରେ ୨୫ ଜଣଙ୍କ ବିରୋଧରେ ଅପହରଣ ଓ ଗଣଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣା ମେ’ ୩ରେ ଘଟିଥିବା ବେଳେ ଯୁବତୀଙ୍କ ଜଣଙ୍କ ମେ’ ୧୨ ତାରିଖରେ ଚାଲିବାକୁ ସକ୍ଷମ ହେବାରୁ ବିଧିବଦ୍ଧ ଭାବେ ଏଫଆଇଆର ରୁଜୁ କରିଛନ୍ତି।

ତଦନ୍ତ ଅଧିକାରୀ ଏଏସଆଇ ରଚନା କହିଛନ୍ତି, ଯୁବତୀ ଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ରାମଗଡ଼ରେ ରହୁଥିବା ତାଙ୍କ ପୁରୁଷ ବନ୍ଧୁ ମେ’ ୩ ତାରିଖରେ ବାହାଘରର ପ୍ରତିଶ୍ରୁତି ଦେଇ ତାଙ୍କୁ ଡାକିଥିଲା। ବାହାଘର ବିଷୟରେ କଥା ହେବା ପାଇଁ ଯୁବତୀଙ୍କୁ ସାଗର ହୋଡଲାରେ ଥିବା ତାଙ୍କ ପରିବାର ଲୋକଙ୍କୁ ଭେଟ କରାଇବ ବୋଲି କହିଥିଲା। ଏକଥାକୁ ବିଶ୍ୱାସ କରି ଯୁବତୀ ଜଣଙ୍କ ସାଗର ପାଖରେ ପହଞ୍ଚିଥିଲେ।

ତେବେ ସାଗର ତାଙ୍କୁ ହୋଡଲାରୁ ଘରକୁ ନେବା ବଦଳରେ ରାମଗଡ଼ ଗାଁ ନିକଟ ଜଙ୍ଗଲର ଗୋଟିଏ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ। ସେଠାରେ ପୂର୍ବରୁ ସାଗରର ଭାଇ ସମୁଦ୍ର ଓ ତା’ର ୨୦ରୁ ୨୨ ଜଣ ବନ୍ଧୁ ରହିଥିଲେ। ସେଠାରେ ସମସ୍ତେ ମିଳିତ ଭାବେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି।

ସକାଳ ହେବା ମାତ୍ରେ ଜଙ୍ଗଲ ନିକଟ ଗୋଟିଏ କବାଡ଼ୀ ଦୋକାନକୁ ଯୁବତୀଙ୍କୁ ସେମାନେ ନେଇଥିଲେ। ଏହି ଦୋକାନର ମାଲିକ ଆକାଶ ଓ ତା’ର ସାଙ୍ଗମାନେ ମଧ୍ୟ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ବାରମ୍ବାର ଦୁଷ୍କର୍ମ ଯୋଗୁ ସେ ଚାଲିବା ସ୍ଥିତିରେ ନଥିଲେ। ଏପରି କି ସେ ଚେତାଶୂନ୍ୟ ମଧ୍ୟ ହୋଇଯାଉଥିଲେ। ଏହା ଦେଖି ସାଗର ଓ ତା’ର ୩ ଜଣ ସାଙ୍ଗ ତାଙ୍କୁ କାରରେ ବଦରପୁର ସୀମାରେ ଛାଡ଼ି ପଳାଇ ଯାଇଥିଲେ।

ଘଟଣା ପରଠାରୁ ଯୁବତୀ ଜଣଙ୍କ ବିଛଣାରେ ପଡ଼ି ରହିଥିଲେ। ମେ ୧୨ରେ ଚାଲିବାକୁ ସକ୍ଷମ ହେବାରୁ ହାସନପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ୧୨ ତାରିଖ ରାତିରେ ଅଭିଯୋଗ ପାଇବା ପାରେ ସାଗର, ସମୁଦ୍ର ଓ ଆକାଶ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।