ରାତି ୨ରୁ ସକାଳ ୬ ଭିତରେ ଆଖି ବୁଜିଲେ ୨୬ କରୋନା ରୋଗୀ, କାରଣ ଅସ୍ପଷ୍ଟ

ପାଣାଜୀ: ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲରେ ମାତ୍ର ୪ ଘଣ୍ଟା ଭିତରେ ୨୬ ଜଣ କରୋନା ରୋଗୀ ହଠାତ୍‌ ପ୍ରାଣ ହରାଇଛନ୍ତି। ଏକଥାକୁ ଖୋଦ୍‌ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ ସ୍ୱୀକାର କରିବା ସହ ମୃତ୍ୟୁର କାରଣ ଜାଣିବା ପାଇଁ ହାଇକୋର୍ଟଙ୍କ ତତ୍ତ୍ୱାବଧାନାରେ ତଦନ୍ତ କରିବାକୁ ଦାବି କରିଛନ୍ତି।

ସେ କହିଛନ୍ତି, ୨୬ ଜଣ କରୋନା ରୋଗୀ ରାତି ୨ଟାରୁ ସକାଳ ୬ଟା ମଧ୍ୟରେ ଆଖି ବୁଜିଛନ୍ତି। ଏହା ହେଉଛି ତଥ୍ୟ। କିନ୍ତୁ ମୃତ୍ୟୁର କାରଣ କେହି ଜାଣିନାହାନ୍ତି। ଏହି ହସ୍ପିଟାଲକୁ ଆଜି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପିପିଇ କିଟ୍‌ ପିନ୍ଧି ଯାଇଥିଲେ। ସେ ଆକ୍ରାନ୍ତଙ୍କ ସହ ବିଭିନ୍ନ ବିଷୟରେ କଥା ହୋଇଛନ୍ତି।

ସେ କହିଛନ୍ତି ଯେ ମେଡିକାଲ ଅକ୍ସିଜେନର ଉପଲବ୍ଧି ଓ ହସ୍ପିଟାଲକୁ ସପ୍ଲାଏ ମଧ୍ୟରେ ସୃଷ୍ଟି ହୋଇଥିବା ବ୍ୟବଧାନ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। କିନ୍ତୁ ସମସ୍ତେ ମନେ ରଖିବାକୁ ହେବ ଯେ ରାଜ୍ୟରେ ଅକ୍ସିଜେନର କୌଣସି ଅଭାବ ନାହିଁ। ସେ ଯେଉଁ ୱାର୍ଡକୁ ଯାଇଥିଲେ, ସେଠାରେ ଅକ୍ସିଜେନ ଉପଲବ୍ଧିରେ ସମସ୍ୟା ଥିବା ସ୍ୱୀକାର କରିବା ସହ ଏହାର ସମାଧାନ ଶୀଘ୍ର ହେବା ଉଚିତ ବୋଲି ସେ କହିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ରାଣେ ସୋମବାର ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲକୁ ଅକ୍ସିଜେନ ସପ୍ଲାଏରେ ସମସ୍ୟା ସୃଷ୍ଟି ହୋଇଥିବା କଥାକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ହାଇକୋର୍ଟ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁର ତଦନ୍ତ କରିବା ଦରକାର। ଏଥିସହ ହାଇକୋର୍ଟ ଅକ୍ସିଜେନ ସପ୍ଲାଏରେ ହସ୍ତକ୍ଷେପ କରି ହସ୍ପିଟାଲକୁ କେତେ ପରିମାଣର ଅମ୍ଳଜାନ ଯୋଗାଣ ହେଉଛି, ସେ ସଂକ୍ରାନ୍ତରେ ଶ୍ୱେତପତ୍ର ପ୍ରକାଶ କରିବା ଉଚିତ।


ଏହାଦ୍ୱାରା ସବୁକିଛି ଠିକ୍‌ ବାଟରେ ଚାଲିବ। ସୋମବାର ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲକୁ ୧୨ଶହ ଜୁମ୍ବୋ ସିଲିଣ୍ଡର ଦରକାର ଥିଲା। ହେଲେ ହସ୍ପିଟାଲକୁ କେବଳ ୪୦୦ ସିଲିଣ୍ଡର ସପ୍ଲାଏ ହୋଇଥିଲା। ଯଦି ଅକ୍ସିଜେନ ସପ୍ଲାଏ କମ ରହିଥିଲା, ତା’ହେଲେ ଏହାକୁ ସୁଧାରିବା ପାଇଁ ଆଲୋଚନା ହେବା ଉଚିତ।

ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା ଉପରେ ନଜର ରଖିବାକୁ ୩ ଜଣିଆ ନୋଡାଲ ଅଫିସର ନିଯୁକ୍ତ କରାଯାଇଥିଲା। ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଏହାର ଇନପୁଟ୍‌ ଦେବେ ବୋଲି ସେ କହିଛନ୍ତି। କିନ୍ତୁ ଏଯାଏ ମୃତ୍ୟୁର କାରଣ କ’ଣ ସେ ବିଷୟରେ ମନ୍ତ୍ରୀ କିମ୍ବା ହସ୍ପିଟାଲ ପକ୍ଷରୁ କିଛି ବି କୁହାଯାଇନି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।