ବ୍ଲାକ ମ୍ୟାଜିକ: ତାନ୍ତ୍ରିକ କଥାରେ ୨ ମହିଳାଙ୍କୁ ବଳି ଦେଲେ ଦମ୍ପତି

କୋଚି: ଆଜି ବି ସମାଜରୁ ଅନ୍ଧବିଶ୍ୱାସ ବା କଳା ଯାଦୁର ଭ୍ରମ ଲୋକଙ୍କ ମନରୁ ଲିଭିନି। ଏହି ଅନ୍ଧବିଶ୍ୱାସର ଜ୍ୱଳନ୍ତ ଉଦାହାରଣ କେରଳର କୋଚିରେ ଦେଖିବାକୁ ମିଳିଛି। ବ୍ଲାକ ମ୍ୟାଜିକରେ ବିଶ୍ୱାସ କରି ୨ ଜଣ ମହିଳାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ପ୍ରଥମେ ପୁଲିସ୍‌ ନିଖୋଜ ମାମଲା ରୁଜୁ କରିଥିବା ବେଳେ ଏବେ ତଦନ୍ତରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ବଳି ନାଁରେ ୩ ଜଣ ଲୋକ ୨ ଜଣ ମହିଳାଙ୍କୁ ହତ୍ୟା କରିଛନ୍ତି। କିଛି ଦିନ ତଳେ କୋଚି ଓ କାଲାଡୟରୁ ୨ ଜଣ ମହିଳା ନିଖୋଜ ହୋଇଯାଇଥିଲେ। ଏବେ ସେମାନଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ ସ୍ପଷ୍ଟ କରିଛି।

କୋଚି ପୁଲିସର ତଦନ୍ତରୁ ଜଣାପଡ଼ିଛି ଯେ ପେରୁମବାଭୋରର ଜଣେ ତାନ୍ତ୍ରିକ ପୂରା ଘଟଣାର ଷଡ଼ଯନ୍ତ୍ରକାରୀ। ସେ ପାଥନମଥିଟ୍ଟାର ଜଣେ ଦମ୍ପତିଙ୍କୁ ଆର୍ଥିକ ଫାଇଦା ହାସଲର ଲୋଭ ଦେଖାଇ ପରମ୍ପରା ନାଁରେ ଦୁଇ ମହିଳାଙ୍କ ବଳି ଦେଇଛି। ମହିଳାଙ୍କ ବଳି ଦେଲେ ଆର୍ଥିକ ଫାଇଦା ମିଳିବ ବୋଲି ସେ ଦମ୍ପତିଙ୍କ ମନରେ ବିଶ୍ୱାସ ସୃଷ୍ଟି କରିଥିଲା। ତା’ କଥାରେ ଦମ୍ପତି ଦୁଇ ଦୁଇଟି ହତ୍ୟା କରିଛନ୍ତି।

ପାଥନଥିଟ୍ଟାର ଇଲାନଥୁରରେ ଥିବା ଦମ୍ପତିଙ୍କ ଘରେ ଦୁଇଟି ଭିନ୍ନ ସମୟରେ ଦୁଇ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିଲା। ପେରୁମବାଭୋର ତଥାକଥିତ ତାନ୍ତ୍ରିକ ହେଉଛି ଶୈଫ ଓରଫ ରଶିଦ। ସେହିପରି ତା’ କଥାରେ ହତ୍ୟାକାଣ୍ଡ ଘଟାଇଥିବା ଦମ୍ପତି ହେଲେ ଭାଗବଲ ସିଂହ ଓ ତାଙ୍କ ପତ୍ନୀ ଲୀଲା। ପୁଲିସ୍‌ ଏହି ୩ ଜଣଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

ସିଂହ ଦମ୍ପତି ରାତାରାତି ବଡ଼ ଲୋକ ହେବାକୁ ସ୍ୱପ୍ନ ଦେଖୁଥିଲେ। ଏଥିପାଇଁ ସେମାନେ ଶୈଫର ସହାୟତା ନେଇଥିଲେ। ଏହାର ଫାଇଦା ଉଠାଇ ଶୈଫ ସେମାନଙ୍କୁ ମଣିଷ ବଳି ଦେବାକୁ କହିଥିଲା। ଏହାଦ୍ୱାରା ମାନସିକ ପୂରଣ ହେବ ଓ ଆର୍ଥିକ ଅଭାବ ରହିବ ନାହିଁ ବୋଲି ସେ ଦମ୍ପତିଙ୍କୁ କହିଥିଲା। ଏହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସିଂହ ଦମ୍ପତି କୋଚିର ଇଲାମକୁଲମରେ ରହୁଥିବା ପଦ୍ମା(୫୩)ଙ୍କୁ ପ୍ରଥମେ ଘରକୁ ଆଣି ହତ୍ୟା କରିଥିଲେ। ଏହାପରେ କାଲାଡୟର ରୋଜଲି(୫୩)ଙ୍କୁ ମଧ୍ୟ ସମାନ ଢଙ୍ଗରେ ବଳି ଚଢ଼ାଇଛନ୍ତି।

ଉଭୟଙ୍କୁ ଆର୍ଥିକ ଫାଇଦାର ଲୋଭ ଦେଖାଇ ସିଂହ ଦମ୍ପତି ନିଜ ଘରକୁ ଡାକିଥିଲେ। ସେଠାରେ ସେମାନଙ୍କୁ ବେକ କାଟି ହତ୍ୟା କରାଯାଇଥିଲା। ଶେଷରେ ମୃତଦେହକୁ ଖଣ୍ଡଖଣ୍ଡ କରି ଘର ମଧ୍ୟରେ ହିଁ ପୋତି ଦିଆଯାଇଥିଲା। ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କୁ ଘଟଣା ସମ୍ପର୍କରେ ଅଧିକ ଜେରା କରୁଛି। ସେପ୍ଟମ୍ବର ମାସରେ ରୋଜଲି ଓ ଜୁନ ମାସରୁ ପଦ୍ମ ନିଖୋଜ ଥିଲେ। ସେମାନେ ରାସ୍ତା କଡ଼ରେ ଲଟେରୀ ଟିକେଟ ବିକ୍ରି ପରିବାର ଚଳାଉଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।