କଫ ସିରପ ଖାଇ ୩ ଶିଶୁ ମୃତ

ନୂଆଦିଲ୍ଲୀ: ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଦିଲ୍ଲୀ ସରକାର ଗଠନ କରିଥିବା ମୋହଲା କ୍ଲିନିକରେ ବଡ଼ ଅଘଟଣ ଘଟିଛି। ଏଠାରୁ କଫ ସିରପ ପିଇ ୩ ଜଣ ଶିଶୁ ପ୍ରାଣ ହରାଇଥିବା ବେଳେ ୧୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ମୋହଲା କ୍ଲିନିକରେ କଫ ସିରପ ଖାଇବା ପରେ ୧୬ ଜଣଙ୍କୁ ଦିଲ୍ଲୀର କଳାବତୀ ସାରନ ଚିଲଡ୍ରେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଡିରେକ୍ଟୋରେଟ ଅଫ ହେଲ୍ଥ ସର୍ଭିସ, ତା’ ରିପୋର୍ଟରେ ଏପରି ତଥ୍ୟ ଦେଇଛି। ରିପୋର୍ଟରେ କୁହାଯାଇଛି ଯେ କଳାବତୀ ହସ୍ପିଟାଲରେ ୧୬ଟି ଡେକ୍ସଟ୍ରୋମେଥ୍ରୋଫାନ ପଏଜନିଂ (Dextromethorphan poisoning)ର ୧୬ଟି କେସ୍‌ ସାମ୍ନାକୁ ଆସିଥିଲା। ଏମାନଙ୍କୁ ଦିଲ୍ଲୀର ମୋହଲା କ୍ଲିନକ ପକ୍ଷରୁ ଡେକ୍ସଟ୍ରୋମେଥ୍ରୋଫାନ ବା ଏକ ପ୍ରକାରର ସିରପ ଖାଇବାକୁ କୁହାଯାଇଥିଲା। କିନ୍ତୁ ଛୋଟ ପିଲାମାନଙ୍କୁ ଏପ୍ରକାରର ସିରପ ନ ଦେବାକୁ କଡ଼ାକଡ଼ି ଭାବେ ମନା କରାଯାଇଛି। ତଥାପି ଦିଲ୍ଲୀ ସରକାରଙ୍କ ମୋହଲା କ୍ଲିନିକ ପକ୍ଷରୁ ପିଲାମାନଙ୍କୁ ଡେକ୍ସଟ୍ରୋମେଥ୍ରୋଫାନ କଫ ସିରପ ଦିଆଯାଇଥିଲା।

୧୬ ଜଣଙ୍କ ମଧ୍ୟରୁ ୩ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଏହି ସିରପକୁ ଓମେଗା ଫାର୍ମାସିଟ୍ୟୁକାଲ୍ସ ତିଆରି କରିଛି। ଘଟଣା ପରେ ଡିରେକ୍ଟୋରେଟ ଅଫ ହେଲ୍ଥ ସର୍ଭିସ ଦିଲ୍ଲୀ ସରକାରଙ୍କୁ ଗୋଟିଏ ଚିଠି ଲେଖିଛି। ଏଥିରେ ୪ ବର୍ଷରୁ କମ ବୟସ୍କ ଶିଶୁଙ୍କୁ ଡେକ୍ସଟ୍ରୋମେଥ୍ରୋଫାନ ଦିଆଯାଇ ପାରିବ ନାହିଁ ବୋଲି କୁହାଯାଇଛି। ଏକଥା ସରକାର ଦିଲ୍ଲୀରେ ଥିବା ସମସ୍ତ ମୋହଲା କ୍ଲିନିକ ଓ ଅନ୍ୟ ଛୋଟ ହସ୍ପିଟାଲକୁ ଅବଗତ କରାନ୍ତୁ ବୋଲି ଡିରେକ୍ଟୋରେଟ ଅଫ ହେଲ୍ଥ ସର୍ଭିସ କହିଛି।

ଏମ୍ସ ପାଟନାର ଡାକ୍ତର ଚନ୍ଦ୍ର ମୋହନ କୁମାର କହିଛନ୍ତି, ୫ ବର୍ଷରୁ କମ ବୟସ୍କଙ୍କୁ ଏହି ଔଷଧ ନ ଦେବାକୁ କୁହାଯାଇଛି। ତଥାପି ଏହାର ବ୍ୟବହାର ଦେଖିବାକୁ ମିଳୁଛି। ଏହାକୁ ଛୋଟ ପିଲା ଖାଇଲେ ଅନେକ ପ୍ରକାରର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇଥାଏ। ହେଲେ ଜୀବନ ଯିବାର ନଜିର କେବେ ନଥିଲା। ଏହି ରିପୋର୍ଟର ଅଧିକ ତଦନ୍ତ ହେବାର ଦରକାର। ତେବେ ଓଭର ଡୋଜ୍‌ ଛୋଟ ପିଲାଙ୍କ ଜୀବନ ନେଇଥାଇ ପାରେ ବୋଲି ସେ ଆଶଙ୍କା କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।