କୋଲକାତା: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାରେ ଥିବା ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସି)ର ହଲଦିଆ ରିଫାଇନାରୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ୪୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି।
କିଛି ଜଣ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୩୭ ଜଣଙ୍କୁ କୋଲକାତା ସ୍ଥାନାନ୍ତର କରାଯାଇଛି। ଆଜି ମଧ୍ୟାହ୍ନରେ ରିଫାଇନାରୀର ଗୋଟିଏ ୟୁନିଟ୍ରେ ଶଟଡାଉନ ସମ୍ପର୍କିତ କାମ ଚାଲିଥିଲା। ତେବେ କାମ ଚାଲିଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା।
ଏଥିରେ ଆହତ ହୋଇଥିବା ଲୋକମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆ ଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ବି ୪୪ ଜଣ ହସ୍ପିଟାଲରେ ରହିଥିବା ଆଇଓସି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।
ନିଆଁକୁ ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଆୟତ୍ତ କରିଥିଲେ। ଏଥିସହ ୟୁନିଟ ମଧ୍ୟରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ଆହତ ୪୪ ଜଣଙ୍କ ମଧ୍ୟରୁ ୩୭ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କୋଲକାତାର ଗୋଟିଏ ହସ୍ପିଟାଲକୁ ପଠାଯାଇଛି। ଏମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା କୁହାଯାଉଛି।
Deeply anguished by the fire in IOC, Haldia.
Three precious lives were lost and my thoughts are with the bereaved families in this hour of grief. Those injured are being brought to Kolkata through a green corridor. GoWB will extend all assistance to ensure their speedy recovery.
— Mamata Banerjee (@MamataOfficial) December 21, 2021
ଅନ୍ୟପକ୍ଷରେ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ହଲଦିଆ ଆଇଓସି ଡିପୋରେ ନିଆଁ ଲାଗିବା ଘଟଣା ଗଭୀର ଯନ୍ତ୍ରଣା ଦେଇଛି। ଏହି ଘଟଣାରେ ୩ଟି ମୂଲ୍ୟବାନ ଜୀବନ ଚାଲି ଯାଇଛି। ସେମାନଙ୍କ ପରିବାର ବର୍ଗଙ୍କୁ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସମବେଦନା ଜଣାଉଛି।
ଘଟଣାରେ ଆହତ ଲୋକଙ୍କୁ ଗ୍ରୀନ କରିଡର ଦ୍ୱାରା କୋଲକାତା ଅଣାଯାଇଛି। ପଶ୍ଚିମବଙ୍ଗ ସରକାର ସେମାନଙ୍କ ଦ୍ରୁତ ଆରୋଗ୍ୟ ପାଇଁ ସବୁ ପ୍ରକାରର ସହାୟତା ଦେବାକୁ ପ୍ରସ୍ତୁତ ବୋଲି ମମତା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।