ନକ୍ସଲଙ୍କ ଭୟଙ୍କର ହମଲା: ଆଇଇଡି ବିସ୍ଫୋରଣରେ ୩ ଯବାନ ସହିଦ, ୨୧ ଆହତ

ନାରାୟଣପୁର: ଛତିଶଗଡ଼ର ନାରାୟଣପୁର ଜିଲ୍ଲା କାଡେନାର ଜଙ୍ଗଲ ନିକଟରେ ଆଜି ନକ୍ସଲମାନେ ଭୟଙ୍କର ହମଲା କରିଛନ୍ତି। ୨୪ ଡିଆରଜି ଯବାନଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌କୁ ଟାର୍ଗେଟ କରି ଆଜି ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଛନ୍ତି।

ଏଥିରେ ୩ ଜଣ ଯବାନ ସହିଦ ହୋଇଥିବା ଖବର ମିଳିଛି। ସେହିପରି ବସ୍‌ରେ ଥିବା ଆଉ ୨୧ ଜଣ ଯବାନ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି।

ସୂଚନା ଅନୁସାରେ, ବସ୍‌ଟି କାଡେନାର ଓ କାନହରଗାଓଁ ମଧ୍ୟରେ ଯିବାବେଳେ ନକ୍ସଲମାନେ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ଶିକାର ହୋଇଥିଲା। ବିସ୍ଫୋରଣ ପରେ ଆଇଟିବିପିର ୪୫ତମ ବାଟାଲିୟନର ଯବାନମାନେ ଉଦ୍ଧାର କାମ ଆରମ୍ଭ କରିଛନ୍ତି। ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଆହତ ଯବାନଙ୍କୁ ସ୍ଥାନୀୟ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଛତିଶଗଡ଼ ଡିଜିପି ଡିଏମ ଅବସ୍ତୀ କହିଛନ୍ତି, ଯବାନମାନେ ନକ୍ସଲ ବିରୋଧୀ ଅପରେସନ ସାରି ଫେରୁଥିବା ବେଳେ ଏପରି ହମଲା ହୋଇଛି। ଏଥିରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଖୁବଶୀଘ୍ର ବିସ୍ତୃତ ସୂଚନା ଆସିବ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।