ସେନା କ୍ୟାମ୍ପରେ ହମଲା ଉଦ୍ୟମ ପଣ୍ଡ: ୩ ଯବାନ ସହିଦ, ୨ ଆତଙ୍କୀ ସଫା

ଶ୍ରୀନଗର: ଉରି ଷ୍ଟାଇଲ ଆଟାକୁ ଅଳ୍ପକେ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ। ଜମ୍ମୁ-କଶ୍ମୀରର ରଜୌରୀରେ ଥିବା ଆର୍ମି କ୍ୟାମ୍ପରେ ପଶି ଦୁଇ ଜଣ ଆତଙ୍କବାଦୀ ବଡ଼ଧରଣର ହମଲା କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ଆତଙ୍କବାଦୀଙ୍କ ହମଲା ଉଦ୍ୟମକୁ ପଣ୍ଡ କରିବା ବେଳେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।

ସେହିପରି ଆତଙ୍କବାଦୀମାନେ ଆର୍ମି କ୍ୟାମ୍ପରେ ଆତ୍ମଘାତୀ ବିସ୍ଫୋରଣ କରିବା ପୂର୍ବରୁ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ଫଳରେ ଗୋଟିଏ ବଡ଼ଧରଣର ବିପଦ ଟଳିଥିବା ଅନୁମାନ କରାଯାଉଛି। ତଥାପି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ସହ ଅପରେସନ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ହିଁ ଆତଙ୍କବାଦୀମାନେ ରଜୌରୀର ଧରହାଲ ଅଞ୍ଚଳରେ ଥିବା ପାରଗଲ ସ୍ଥିତ ଆର୍ମି କ୍ୟାମ୍ପରେ ପଶି ଆତ୍ମଘାତୀ ହମଲା କରିବାକୁ ଚେଷ୍ଟା କରିଥିଲେ। ହେଲେ ସୁରକ୍ଷାକର୍ମୀମାନେ ଏହା ଜାଣିପାରି ସେମାନଙ୍କର କଡ଼ା ମୁକାବିଲା କରିଥିଲେ।

ଆତଙ୍କବାଦୀମାନେ ଆତ୍ମଘାତୀ ବିସ୍ଫୋରଣ କରିବାର ସୁଯୋଗ ପାଇ ନଥିବାରୁ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟର୍‌ରେ ଦୁଇ ଜଣ ଆତଙ୍କବାଦୀମାନେ ନିହତ ହୋଇଛନ୍ତି। ସେମାନଙ୍କ ଠାରୁ ବିସ୍ଫୋରକ ସାମଗ୍ରୀ ଓ ଏକେ ସିରିଜ୍‌ ରାଇଫଲ ମିଳିଛି।

ସେହିପରି ଏହି ଆତଙ୍କୀ ବିରୋଧୀ ଅପରେସନରେ ୩ ଜଣ ଯବାନ ସହିଦ ହୋଇଛନ୍ତି। ଆହତ ଆଉ ୨ ଜଣ ଯବାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳକୁ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ପଠା ଯାଇଛି। ପୂରା ଅଞ୍ଚଳକୁ କର୍ଡନ କରି ଗାଡ଼ି ମୋଟର ଯାଞ୍ଚ ମଧ୍ୟ କରାଯାଉଛି।


ବର୍ତ୍ତମାନ ସ୍ୱାଧୀନତା ଦିବସ ପାଇଁ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଥିବା ବେଳେ ଆତଙ୍କବାଦୀମାନେ ଆର୍ମି ବେସ୍‌ କ୍ୟାମ୍ପକୁ ଟାର୍ଗେଟ କରିବା ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।