ମହାମାରୀ ବର୍ଷରେ ଦୈନକ ୩୪ ଜଣ ଶିକ୍ଷା‌ର୍ଥୀଙ୍କ ଆତ୍ମହତ୍ୟା, ଆଗରେ ଓଡ଼ିଶା ସମେତ ୬ ରାଜ୍ୟ

ବେଙ୍ଗାଲୁରୁ: ମହାମାରୀ କରୋନା ଦ୍ୱାରା ପ୍ରଭାବିତ ବର୍ଷ ୨୦୨୦କୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। କେବଳ ୨୦୨୦ରେ ୧୨,୫୦୦ରୁ ଅଧିକ ଭାରତୀୟ ଶିକ୍ଷାର୍ଥୀ ଆତ୍ମହତ୍ୟା କରିଛନ୍ତି। ଏହାର ଅର୍ଥ ଦୈନିକ ୩୪ରୁ ଅଧିକ ଛାତ୍ରଛାତ୍ରୀ ଏପରି ଚରମ ପଦକ୍ଷେପ ନେଇଛନ୍ତି। କିଛି ରାଜ୍ୟରେ ଦୈନିକ ୧ରୁ ଅଧିକ ଶିକ୍ଷାର୍ଥୀ ମଧ୍ୟ ଜୀବନ ହାରିବାର ନଜିର ରହିଛି।

ଆତ୍ମହତ୍ୟା ଘଟଣାକୁ ନେଇ ପ୍ରକାଶ ପାଇଥିବା ରିପୋର୍ଟରେ ଏପରି ତଥ୍ୟ ରହିଛି। ରିପୋର୍ଟରେ କୁହାଯାଇଛି ଯେ ୨୦୧୯ ତୁଳନାରେ ୨୦୨୦ରେ ଆତ୍ମହତ୍ୟା ହାର ୨୧% ବଢ଼ିଛି। ୧୯୯୫ରୁ ଏଯାଏ ୧.୮ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀ ଜୀବନ ହାରିଛନ୍ତି। କିନ୍ତୁ ୨୦୨୦ ବର୍ଷରେ ସବୁଠାରୁ ଅଧିକ ଶିକ୍ଷାର୍ଥୀ ଆତ୍ମହତ୍ୟା କରିଛନ୍ତି।

ମହାମାରୀ କରୋନା ଯୋଗୁ ୨୦୨୦ରେ ଅଧିକାଂଶ ପରୀକ୍ଷା ବାତିଲ କରାଯାଇଥିଲା। ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପରବର୍ତ୍ତୀ ଶ୍ରେଣୀକୁ ପଠା ଯାଇଥିଲା। ପରୀକ୍ଷା ଚାପ ନଥାଇ ମଧ୍ୟ ୨୦୨୦ରେ ସର୍ବାଧିକ ଶିକ୍ଷାର୍ଥୀ ଆତ୍ମହତ୍ୟା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ୨୦୨୦ରେ ମୋଟ ୧୨,୫୨୬ ଜଣ ଭାରତୀୟ ଶିକ୍ଷାର୍ଥୀ ଆତ୍ମହତ୍ୟା କରିଛନ୍ତି। ଏହା ମଧ୍ୟରୁ ୫୩% ବା ୬୫୯୮ ଆତ୍ମହତ୍ୟା ଘଟଣା ୬ଟି ରାଜ୍ୟରେ ଘଟିଛି। ଏହି ରାଜ୍ୟ ଗୁଡ଼ିକ ମଧ୍ୟରେ ଓଡ଼ିଶା ବି ରହିଛି। ଓଡ଼ିଶା ବ୍ୟତୀତ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତାମିଲନାଡୁ, ଝାରଖଣ୍ଡ ଓ କର୍ଣ୍ଣାଟକାରେ ସର୍ବାଧିକ ଆତ୍ମହତ୍ୟା ଘଟଣା ଦେଖିବାକୁ ମିଳିଛି। ବାକି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ମୋଟ ୫,୯୨୮ ଜଣ ପିଲା ଜୀବନ ହାରିଛନ୍ତି।

୧୯୯୫ରୁ ୧୯୯୯ ଯାଏ ଘଟିଥିବା ଆତ୍ମହତ୍ୟା ରିପୋର୍ଟକୁ ବିଶ୍ଲେଷଣ ମଧ୍ୟ କରାଯାଇଛି। ଏଥିରେ କୁହାଯାଇଛି ଯେ ୧୯୯୫ରୁ ୧୯୯୯ ଯାଏ ଘଟିଥିବା ମୋଟ ଆତ୍ମହତ୍ୟା ଘଟଣା ମଧ୍ୟରୁ ଶିକ୍ଷାର୍ଥୀଙ୍କ ହାର ୫.୨% ରହିଥିଲା। ୨୦୦୦ରୁ ୨୦୦୯ ମଧ୍ୟରେ କେବଳ ଗୋଟିଏ ବର୍ଷରେ ଶିକ୍ଷାର୍ଥୀଙ୍କ ମୃତ୍ୟୁହାର ୫% ଉପରେ ରହିଥିଲା।

୨୦୧୦ରୁ ୨୦୧୪ ମଧ୍ୟରେ ଶେଷ ଦୁଇ ବର୍ଷ ଶିକ୍ଷାର୍ଥୀଙ୍କ ଆତ୍ମହତ୍ୟା ହାର ୬% ଉପରେ ଥିଲା। ସେବେଠାରୁ ଦେଶରେ କ୍ରମାଗତ ଭାବେ ଶିକ୍ଷାର୍ଥୀଙ୍କ ଆତ୍ମହତ୍ୟା ହାର ବଢ଼ି ଚାଲିଛି। ୨୦୧୯ରେ ୧.୩ ଲକ୍ଷ ମୋଟ ଆତ୍ମହତ୍ୟା ଘଟଣା ମଧ୍ୟରୁ ଶିକ୍ଷାର୍ଥୀଙ୍କ ଜୀବନ ହାରିବା ହାର ୭.୪% ରହିଥିଲା। ୨୦୨୦ରେ ୧.୫ ଲକ୍ଷ ମୋଟ ଆତ୍ମହତ୍ୟା ଘଟଣା ଘଟିଥିଲା। ଏଥି ମଧ୍ୟରୁ ଭାରତୀୟ ଶିକ୍ଷାର୍ଥୀଙ୍କ ଜୀବନ ହାରିବା ହାର ୮.୨% ରହିଛି।

ବିଶେଷଜ୍ଞଙ୍କ ମତରେ ମାନସିକ ସ୍ଥିତି ବିଗିଡ଼ିବା ଓ ପରୀକ୍ଷା ଚାପ ଯୋଗୁ ପିଲାମାନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି। ଏଥିପାଇଁ ସେମାନଙ୍କୁ ସବୁବେଳେ ମାନସିକ ସ୍ତରରେ ଶକ୍ତିଶାଳୀ ରଖିବାକୁ ପଡ଼ିବ। ସେହିପରି ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେବାକୁ ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।