ଆଇଏଏସ୍‌ ଓ ସିବିଆଇ ପରେ ୪ ନକଲି ପୁଲିସ ଅଧିକାରୀ ଗିରଫ

କୋଲକାତା: ନକଲି ସରକାରୀ ଅଧିକାରୀଙ୍କ ପେଣ୍ଠସ୍ଥଳ ପାଲଟିବାରେ ଲାଗିଛି ପଶ୍ଚିମବଙ୍ଗ। ପ୍ରଥମେ ନକଲି ଆଇଏଏସ୍‌ ଓ ସିବିଆଇ କର୍ମଚାରୀ ଗିରଫ ହୋଇଥିବା ବେଳେ ଏବେ ୪ ଜଣ ନକଲି ପୁଲିସ୍‌ ଅଧିକାରୀ ଧରାପଡ଼ିଛନ୍ତି। ନିଜକୁ ଡେପୁଟି ଏସ୍‌ପି ଓ ଅନ୍ୟ ରାଙ୍କର ପୁଲିସ୍‌ ଅଧିକାରୀର ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗରେ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ଲୋକମାନଙ୍କୁ ସରକାରୀ ଚାକିରି ଯୋଗାଇ ଦେବା ନାଁରେ କିଙ୍ଗପିନ ମାସୁଦ ରାଣା ଓ ଅନ୍ୟମାନେ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପଶ୍ଚିମ ମେଦିନାପୁରର ସମରେଶ ମାହାତାଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମରେଶ ଅଭିଯୋଗ କରିଛନ୍ତି ଯେ ରାଣା ନିଜକୁ ଡିଏସ୍‌ପି ଭାବେ ପରିଚୟ ଦେଇଥିଲା। ଏହାପରେ ସେ ଅନ୍ୟ ୩ ଜଣ ବ୍ୟକ୍ତିଙ୍କ ସହ ମିଶି ପଶ୍ଚିମବଙ୍ଗ ପୁଲିସ୍‌ରେ ହୋମଗାର୍ଡ ଚାକିରି ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିଲା। ଅଭିଯୁକ୍ତମାନେ ସମରେଶ ଓ ଅନ୍ୟମାନଙ୍କ ଠାରୁ ୩୫ ଲକ୍ଷ ଟଙ୍କା ଆଦାୟ କରି ନକଲି ନିଯୁକ୍ତି ପତ୍ର ଦେଇଛନ୍ତି।

ନିଯୁକ୍ତିପତ୍ର ସହ ବିଶ୍ୱାସ ସୃଷ୍ଟି କରିବା ପାଇଁ ସେମାନେ ଲୋକଙ୍କୁ ଖାକି ଟୋପି ଓ ବେଲ୍ଟ ମଧ୍ୟ ଦେଇଥିଲେ। ଅଭିଯୋଗ ପରେ ସେମାନଙ୍କୁ କୋଲକାତା ପୁଲିସ୍‌ର ଆଣ୍ଟି ରାଉଡି ସ୍କ୍ୱାଡ ଗିରଫ କରିଛି।

ଗିରଫ ବ୍ୟକ୍ତିମାନେ ହେଲେ ମାସୁଦ ରାଣା, ଶୁଭ୍ର ନାଗ ରୟ, ରବି ମୁର୍ମୁ ଓ ପରିତୋଷ ବର୍ମନ। ସମସ୍ତଙ୍କୁ କେନ୍ଦ୍ରୀୟ କୋଲକାତାର ଗୋଟିଏ ହୋଟେଲରୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୧.୮୫ ଲକ୍ଷ ଟଙ୍କା ସହ ନକଲି ପରିଚୟପତ୍ର ଓ ଅନେକ ନକଲି ଦସ୍ତାବିଜ ଜବତ କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।