ରି-ଫିଲିଂ ବେଳେ ଫାଟିଲା ଏକାଧିକ ସିଲିଣ୍ଡର, ଚାଲିଗଲା ୪ ଜୀବନ

ଯୋଧପୁର: ବେଆଇନ ଭାବେ ଗୋଟିଏ ଘରେ ରନ୍ଧନ ଗ୍ୟାସ ସିଲିଣ୍ଡର ରି-ଫିଲିଂ ବେଳେ ଘଟିଛି ଅଘଟଣ। ଅସାବଧାନତାରୁ ପ୍ରଥମେ ଗୋଟିଏ ସିଲିଣ୍ଡର ଓ ପରେ ଏକାଧିକ ସିଲିଣ୍ଡର ବିସ୍ଫୋରଣ ହେବାରୁ ପୂରା ପରିବାର ଛିନଛତ୍ର ହୋଇ ଯାଇଛି। ଏଥିରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ମହାତ୍ମା ଗାନ୍ଧି ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।

ବିସ୍ଫୋରଣଟି ରାଜସ୍ଥାନର ଯୋଧପୁରର ଗୋଟିଏ କଲୋନୀରେ ହୋଇଛି। ବିସ୍ଫୋରଣ ଯୋଗୁ ଘରେ ନିଆଁ ମଧ୍ୟଲାଗି ଯାଇଥିଲା। ଏଥିସହ ଘର ବାହାରେ ରଖାଯାଇଥିବା ଏକାଧିକ ବାଇକ ଓ କାର୍‌ ମଧ୍ୟ ନିଆଁରେ ପୋଡ଼ି ହୋଇ ପାଉଁଶ ହୋଇଯାଇଛି।

ଖବର ଅନୁସାରେ, ଯୋଧପୁରର ମାଗ୍ରା ପୁଞ୍ଜଲା ଅଞ୍ଚଳରେ ଥିବା ଗୋଟିଏ ଆବାସିକ କଲୋନୀରେ ଏହି ଘଟଣା ଘଟିଛି। ଏଠାରେ ରହୁଥିବା ଜଣେ ବ୍ୟକ୍ତି ଘର ମଧ୍ୟରେ ବେଆଇନ ଭାବେ ଗୋଟିଏ ସିଲିଣ୍ଡରରୁ ଆଉ ଗୋଟିଏ ସିଲିଣ୍ଡରରେ ଗ୍ୟାସ୍‌ ରି ଫିଲିଂ କରୁଥିଲା। ଏତିକି ବେଳେ ତାଙ୍କ ପରିବାରର ସମସ୍ତ ୨୦ ଜଣ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ରି-ଫିଲିଂ ବେଳେ ହଠାତ୍‌ ଗୋଟିଏ ସିଲିଣ୍ଡର ଫାଟି ଥିଲା। ଏହାପରେ ୪ରୁ ୬ଟି ସିଲିଣ୍ଡର ଫାଟିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଞ୍ଚଳର କିଛି ଘର ଦୋହଲି ଯାଇଥିଲା।

ସେହିପରି ବିସ୍ଫୋରଣ ହୋଇଥିବା ଘରେ ନିଆଁ ମଧ୍ୟ ଲାଗି ଯାଇଥିଲା। ଖବର ପାଇ ଦମକଳ ବାହିନୀ ଓ ସ୍ଥାନୀୟ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ୪ ଜଣ ପୋଡ଼ି ହୋଇ ପ୍ରାଣ ହରାଇ ସାରିଥିଲେ। ଅନ୍ୟ ୧୬ ଜଣଙ୍କୁ ନିଆଁର ଆଁରୁ ଉଦ୍ଧାର କରାଯାଇ ଯୋଧପୁର ସ୍ଥିତ ମହାତ୍ମା ଗାନ୍ଧି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା କୁହାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।