ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ

ହାଇଦ୍ରାବାଦ(ଆଇଏଏନଏସ୍‌): ମାଓବାଦୀ ଦମନ ଅଭିଯାନକୁ ପୁଣିଥରେ ମିଳିଛି ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୪ ଜଣ କୁଖ୍ୟାତ ମାଓବାଦୀ। ଛତିଶଗଡ଼କୁ ଲାଗି ରହିଥିବା ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ଏପରି ସଫଳତା ମିଳିଛି। ଏହି ଏନକାଉଣ୍ଟର୍‌ରେ ଗ୍ରେହାଉଣ୍ଡସର ଜଣେ କନଷ୍ଟେବଲ ଆହତ ହୋଇଛନ୍ତି। ତାଙ୍କୁ ହାନାମକୋଣ୍ଡାକୁ ଏୟାରଲିଫ୍ଟ କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଭେଙ୍କେଟାପୁରମ ମଣ୍ଡଳ ଅଧୀନରେ ଥିବା କାରାଗାଟ୍ଟା ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀମାନେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ମାଓବାଦୀମାନେ ଲୁଚି ଥିବା ଅଞ୍ଚଳକୁ ସେମାନେ କର୍ଡନ କରି ପ୍ରଥମେ ସମସ୍ତଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ।

ହେଲେ ମାଓବାଦୀମାନେ ଏହାକୁ ବେଖାତିର କରି ଗୁଳି ମାଡ଼ ଆରମ୍ଭ କରି ଦେଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ଜଣେ ମଧ୍ୟରେ ସିପିଆଇ(ମାଓବାଦୀ)ର ଡିଭିଜନ ସ୍ତରୀୟ ନେତା ମଧ୍ୟ ରହିଛି। କିନ୍ତୁ କାହାର ବି ପରିଚୟ ମିଳିପାରି ନାହିଁ।

ଘଟଣା ସ୍ଥଳରୁ ଗୋଟିଏ ଇନସାସ ଆସଲ୍ଟ ରାଇଫଲ ଓ ଅନ୍ୟାନ୍ୟ ଆପତ୍ତି ଜନକ ସାମଗ୍ରୀ ମିଳିଛି। ଏନକାଉଣ୍ଟରରେ ବିରାମ ଲାଗିଥିଲେ ମଧ୍ୟ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ତେଲେଙ୍ଗାନାର ସୁରକ୍ଷାକର୍ମୀଙ୍କୁ ଛତିଶଗଡ଼ ପକ୍ଷରୁ ଅପରେସନ ବେଳେ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯାଇଥିଲା।

ଅନ୍ୟପକ୍ଷରେ ଆହତ ଗ୍ରେହାଉଣ୍ଡ କନଷ୍ଟେବଲଙ୍କୁ ହେଲିକପ୍ଟର ଯୋଗେ ଏନକାଉଣ୍ଟର ସ୍ଥଳରୁ ଉଦ୍ଧାର କରାଯାଇଥିଲା। ହେଲିକପ୍ଟରଟି ପ୍ରଥମେ ହାନାମକୋଣ୍ଡା ଆର୍ଟସ କଲେଜ ଗ୍ରାଉଣ୍ଡରେ ଅବତରଣ କରିଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।