୧୨ ଦିନ ଭିତରେ ପରିବାରର ୪ ଜଣଙ୍କୁ ନେଇଗଲା କରୋନା, ଏକା ହୋଇଗଲେ ଦୁଇ କୁନି ଝିଅ

ଗାଜିଆବାଦ: ମହାମାରୀ କରୋନା କେମିତି ଗୋଟିଏ ସୁନାର ସଂସାରକୁ ଛାରଖାର କରିଦେଇଛି, ତା’ର ବିକଳ ଚିତ୍ର ସାମ୍ନାକୁ ଆସିଛି। ମାତ୍ର ୧୨ ଦିନ ମଧ୍ୟରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ଜୀବନ ନେଇଛି କରୋନା। ବାପା ମା’, ଜେଜେବାପା ଓ ଜେଜେ ମା’ଙ୍କୁ ହରାଇ ଦୁଇ କୁନି ଝିଅ ଏବେ ଦୁନିଆରେ ସବୁଦିନ ପାଇଁ ଏକା ହୋଇଯାଇଛନ୍ତି। ଜଣଙ୍କ ବୟସ ୮ ଓ ଆଉ ଜଣଙ୍କର ବୟସ ୬ ବର୍ଷ। ଉତ୍ତର ପ୍ରଦେଶର ଗାଜିଆବାଦରେ ଏପରି ଛାତିଥରାଇ ଦେବା ଭଳି ଘଟଣା ଘଟିଛି।

ଦୁର୍ଗେଶ ପ୍ରସାଦ ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକ ଗାଜିଆବାଦରେ ନିଜ ପତ୍ନୀ, ପୁଅ, ବୋହୂ ଓ ଦୁଇ ନାତୁଣୀଙ୍କ ସହ ରହୁଥିଲେ। ତେବେ ଏପ୍ରିଲ ମାସରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ରିପୋର୍ଟ ପଜିଟିଭ ଆସିବାରୁ ସେ ନିଜ ଘରେ ଆଇସୋଲେସନରେ ରହି ମେଡିସିନ ଖାଇବା ଆରମ୍ଭ କରିଥିଲେ।

କିନ୍ତୁ ହଠାତ୍‌ ତାଙ୍କ ପୁଅ, ବୋହୂ ଏବଂ ପତ୍ନୀଙ୍କ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସିବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଥିଲା। ଏପ୍ରିଲ ୨୭ରେ ଦୁର୍ଗେଶଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସେହିଦିନ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର ଗୋଟିଏ ସପ୍ତାହ ପରେ ତାଙ୍କ ପୁଅ ଅଶ୍ୱିନୀଙ୍କର ମଧ୍ୟ କରୋନା ସଂକ୍ରମଣ ବଢ଼ିଯିବାରୁ ସେ ପ୍ରାଣ ହରାଇଥିଲେ।

ଘରର ଦୁଇ ପୁରୁଷଙ୍କ ହରାଇବା ଦୁଃଖରୁ ଦୁଇ ମହିଳା ବାହାରିବାକୁ ପୂର୍ବରୁ ହଠାତ୍‌ ଦୁର୍ଗେଶଙ୍କ ପତ୍ନୀ ଆଖି ବୁଜିଥିଲେ। ଶେଷରେ ମେ’ ୭ରେ ଦୁର୍ଗେଶଙ୍କ ବୋହୂ ମଧ୍ୟ ଦୁଇ କୁନି ଝିଅଙ୍କୁ ଏକା କରି ଦେଇ ଆରପାରିକୁ ଚାଲିଯାଇଥିଲେ। ଏହି ଘଟଣାକୁ ନେଇ ପାଖ ପଡ଼ୋଶୀ ପୂରା ସ୍ତବ୍ଧ ହୋଇଯାଇଛନ୍ତି।

ଠିକ୍‌ ସମୟରେ ଯଦି ଦୁର୍ଗେଶଙ୍କ ପରିବାର ଲୋକଙ୍କୁ ଔଷଧ ମିଳି ଥାଆନ୍ତା, ତା’ହେଲେ ସମସ୍ତଙ୍କ ଜୀବନ ରକ୍ଷା ପାଇଯାଇଥାଆନ୍ତା ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଅନଥା ଦୁଇ କୁନି ଝିଅ ଏବେ ଉତ୍ତର ପ୍ରଦେଶର ବରେଲୀରେ ଥିବା ନିଜ ମାଉସୀଙ୍କ ସହ ରହୁଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।