ବଡ଼ ଧରଣର ଆତଙ୍କୀ ହମଲା: ୫ ଯବାନ ସହିଦ

ରଜୌରୀ: ପୁଣିଥରେ ବଡ଼ଧରରଣ ହମଲାରେ ଥରି ଉଠିଛି ଜମ୍ମୁ-କଶ୍ମୀର। ଆଜି ଆତଙ୍କବାଦୀମାନେ କରିଥିବା ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟର୍‌ରେ ଏପରି ହମଲା ହୋଇଛି। ଏବେ ବି ସେଠାରେ ଗୁଳି ବିନିୟମ ଜାରି ରହିଥିବା ଖବର ମିଳିଛି। ତେଣୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ। ହମଲା ବେଳେ କେତେ ଜଣ ଯବାନ ଥିଲେ ସେ କଥା ମଧ୍ୟ ସ୍ପଷ୍ଟ ହୋଇନି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରୁ ବାନ୍ଦିପୋରା ଓ ଅନନ୍ତନାଗରେ ଏନକାଉଣ୍ଟର ହୋଇଥିଲେ। ଏଥିସହ ପୁଞ୍ଚରେ ମଧ୍ୟ ଆତଙ୍କୀ ବିରୋଧୀ ଅଭିଯାନ ଆରମ୍ଭ ହୋଇଥିଲେ। ପୁଞ୍ଚର ସୁରାନକୋଟେ ଅନ୍ତର୍ଗତ ଦାରା କି ଗଲି ଗାଁ ନିକଟରେ ଥିବା ଜଙ୍ଗଲିଆ ଅଞ୍ଚଳରେ କିଛି ଆତଙ୍କବାଦୀମାନେ ଅନୁପ୍ରବେଶ କରି ଛପି ରହିଥିବା ଖବର ମିଳିଥିଲା।

ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇଥିଲା। ତେବେ କର୍ଡନ ପ୍ରକ୍ରିୟା ଚାଲିଥିବା ବେଳେ ସେଠାରେ ଛପି ରହିଥିବା ୪ରୁ ୫ ଜଣ ଆତଙ୍କବାଦୀ ହଠାତ୍‌ ଗୁଳି ବର୍ଷା କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା।

ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିୟମରେ ଜଣେ ଜେସିଓଙ୍କ ସମେତ ୫ ଜଣ ଆହତଙ୍କ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଏୟାରଲିଫ୍ଟ କରାଯାଇଥିଲେ ହେଁ ସମସ୍ତେ ସହିଦ ହୋଇଯାଇଥିବା ନ୍ୟୁଜ ଏଜେନ୍ସି ଏଏନନଆଇ ପକ୍ଷରୁ ଟ୍ୱିଟ କରାଯାଇଛି। ଏବେ ସେଠାରେ ଛପି ରହିଥିବା ଆତଙ୍କବାଦୀଙ୍କୁ ଖତମ କରିବାକୁ ଅଭିଯାନ ଜାରି ରହିଛି।


ସୂଚନାଯୋଗ୍ୟ, ଆଜି ସକାଳେ ବାନ୍ଦିପୋରା ଅନ୍ତର୍ଗତ ହାଜିନ ସ୍ଥିତ ଗୁଣ୍ଡଜାହାଙ୍ଗିରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଆତଙ୍କୀ ନିହତ ହୋଇଥିଲା। ନିହତ ଆତଙ୍କୀ ଜଣକ ହେଲା ଇମତିଆଜ ଦାର। ସେ ଲସ୍କର-ଇ-ତାଏବା ଦ୍ୱାରା ପରିଚାଳିତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟର ସଦସ୍ୟ। ନିକଟରେ ବାନ୍ଦିପୋରାର ଶାହଗୁଣ୍ଡ ଠାରେ ଜଣେ ସାଧାରଣ ଲୋକଙ୍କ ଉପରେ ହୋଇଥିବା ଆତଙ୍କୀ ହମଲାରେ ସେ ସାମିଲ ଥିଲା।

ସେହିପରି ଏହାପୂର୍ବରୁ ଅନନ୍ତନାଗରେ ମଧ୍ୟ ଏନକାଉଣ୍ଟର ହୋଇଥିଲା। ଏଥିରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି। ନିହତ ଆତଙ୍କବାଦୀ ଠାରୁ ଗୋଟିଏ ପିସ୍ତଲ ଓ ଗୋଟିଏ ହ୍ୟାଣ୍ଡଗ୍ରେନେଡ ଜବତ କରାଯାଇଛି। ଏହି ଏନକାଉଣ୍ଟରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।