୨୪ ଘଣ୍ଟାରେ ୩ୟ ଘଟଣା: ଅକ୍ସିଜେନ ଅଭାବରୁ ଚାଲିଗଲା ୫ କରୋନା ରୋଗୀଙ୍କ ଜୀବନ!

ହିସ୍‌ରା: ଅକ୍ସିଜେନ ଅଭାବରୁ ହରିଆଣାର ହିସ୍‌ରାରେ ଥିବା ଗୋଟିଏ ହସ୍ପିଟାଲରେ ଆଜି ୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରୋଗୀଙ୍କ ମୃତ୍ୟୁ ଅକ୍ସିଜେନ ଅଭାବରୁ ହୋଇଥିବା ଅଭିଯୋଗ କରି ପରିବାର ଲୋକ ହସ୍ପିଟାଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ୩ୟଥର ପାଇଁ ରାଜ୍ୟରେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟିବା ଅଭିଯୋଗ ଆସିଛି।

ରବିବାର ଗୁରୁଗ୍ରାମରେ ଥିବା ଗୋଟିଏ ଘରୋଇ ହସ୍ପିଟାଲରେ ୪ ଜଣ ଓ ରେୱାରୀରେ ଥିବା ଗୋଟିଏ ହସ୍ପିଟାଲରେ ୪ ଜଣ ରୋଗୀ ପ୍ରାଣ ହରାଇଥିଲେ। ଏମାନେ ସମସ୍ତେ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ଉଭୟ ଘଟଣାରେ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।

ଭାରତରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ୁଥିବାରୁ ଦିଲ୍ଲୀରେ ଅକ୍ସିଜେନର ଅଧିକ ସଙ୍କଟ ଦେଖାଯାଇଛି। ଏକାଧିକ ହସ୍ପିଟାଲ ଅକ୍ସିଜେନ ଅଭାବ ନେଇ ବାରମ୍ବାର ଅଭିଯୋଗ କରୁଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ଜୟପୁର ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୫ ଜଣ ରୋଗୀଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା।

ଦେଶର ବିଭିନ୍ନ ପ୍ରାନ୍ତ ଭଳି ହରିଆଣାରେ ମଧ୍ୟ କରୋନା ଗ୍ରାଫ ଉପର ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ୧୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ରାଜ୍ୟର କେସ୍‌ ଲୋକ ୪.୨୪ ଲକ୍ଷକୁ ବୃଦ୍ଧି ପାଇଛି। ସ୍ଥିତି ବିଗୁଡ଼ୁ ଥିବାରୁ ହରିଆଣାର ମୁଖ୍ୟ ସଚିବ ଡେପୁଟି କମିଶନରମାନଙ୍କୁ ଅକ୍ସିଜେନ ଯୋଗାଣ ଉପରେ ନଜର ରଖିବାକୁ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ କେମିତି ଅକ୍ସିଜେନ ପହଞ୍ଚିବ, ତା’ର ବ୍ୟବସ୍ଥା କରିବେ।

ଆଜି ହିସରାରେ ୫ ଜଣ କରୋନା ରୋଗୀ ଅକ୍ସିଜେନ ଅଭାବରୁ ପ୍ରାଣ ହରାଇଥିବା ଅଭିଯୋଗକୁ ପ୍ରଶାସନ ଗୁରୁତର ସହ ନେଇଛି। ହିସରା ଡେପୁଟି କମିଶନର ପ୍ରିୟଙ୍କା ସୋନି କହିଛନ୍ତି, ଏହି ଘଟଣାର ତଦନ୍ତ ହେବ। ମେଡିକାଲ ନେଗେଲଜେନ୍ସ ବୋର୍ଡ ଗଠନ କରାଯାଇଛି। ପୂରା ଘଟଣାକୁ ଯାଞ୍ଚ କାରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ସେହିପରି ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ଅକ୍ସିଜେନ ସଙ୍କଟର ଅଭିଯୋଗ ମିଛ। ପ୍ରାଣ ହରାଇଥିବା ଲୋକଙ୍କ ଅବସ୍ଥା କରୋନା ସଂକ୍ରମଣ ଯୋଗୁ ଗୁରୁତର ଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।