ଆତଙ୍କବାଦୀ ଲିଙ୍କ: ୫ କର୍ମଚାରୀ ବରଖାସ୍ତ

ଶ୍ରୀନଗର: ଆତଙ୍କବାଦୀ ଲିଙ୍କରେ ଜମ୍ମୁ-କଶ୍ମୀରର ୫ ଜଣ ସକରାରୀ କର୍ମଚାରୀଙ୍କୁ ଆଜି ବରଖାସ୍ତ କରାଯାଇଛି। ଏମାନେ ଦେଶ ବିରୋଧୀ କାମରେ ସାମିଲ ଥିବା ସହ ନାର୍କୋ-ଟେରର ସିଣ୍ଡିକେଟ ଚଳାଇଥିଲେ। ସେହିପରି ଅସିଦ୍ଧ ଘୋଷଣା ହୋଇଥିବା ଆତଙ୍କବାଦୀ ସଂଗଠନକୁ ଆକ୍ରମଣ ପାଇଁ ସହାୟତା ଯୋଗାଇ ଦେଉଥିବା ଜଣାପଡ଼ିଛି। ଏକଥା ଜଣାପଡ଼ିବା ପରେ ୫ ସରକାରୀ କର୍ମଚାରୀଙ୍କୁ ସମ୍ବିଧାନର ଧାରା ୩୧୧(୨)ସି ଅନୁସାରେ ବରଖାସ୍ତ କରାଯାଇଛି।

ସରକାରୀ ପଦପଦବୀରେ ଥିବା ଦେଶବିରୋଧୀ ଲୋକଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ ବିଦା କରିବା ପାଇଁ ଜମ୍ମୁ-କଶ୍ମୀର ପ୍ରଶାସନ ଦୀର୍ଘଦିନ ହେଲା ପ୍ରୟାସ ଜାରି ରଖିଛି। ବିଭିନ୍ନ ଉପାୟରେ କିଛି ଲୋକ ସରକାରୀ ଚାକିରି କରିଥିଲେ ମଧ୍ୟ ସେମାନେ ପରବର୍ତ୍ତୀ ଅବସ୍ଥାରେ ଅଧିକ ଅର୍ଥ ଉପାର୍ଜନ ଆଶାରେ ଆତଙ୍କୀ ସଂଗଠନ ସହ ହାତ ମିଳାଉଥିବାର ଖବର ସାମ୍ନାକୁ ଆସିବାରେ ଲାଗିଛି।

ବରଖାସ୍ତ ହୋଇଥିବା କର୍ମଚାରୀ

୧-ତନବୀର ସାଲୀମ ଦର(କନଷ୍ଟେବଲ): ତନବୀରକୁ ୧୯୯୧ ମସିହାରେ ନିଯୁକ୍ତି ମିଳିଥିଲା। ୨୦୨୨ ଜୁଲାଇରେ ସେ ବ୍ୟାଟାଲିୟନ ମୁଖ୍ୟାଳୟରେ ଆରମୋରର ବା ଅସ୍ତ୍ରଶସ୍ତ୍ର ସଂରକ୍ଷଣ ଦାୟିତ୍ୱ ପାଇଥିଲା। ତେବେ ତଦନ୍ତରୁ ଜଣାପଡ଼ିଛି ଯେ ତନବୀର ଆତଙ୍କବାଦୀଙ୍କ ପାଇଁ ଅସ୍ତ୍ରଶସ୍ତ୍ର ମରାମତି ଓ ଗୁଳିଗୋଳା ଯୋଗାଇବା କାମ କରୁଥିଲା। ସେ ଶ୍ରୀନଗରେ ସକ୍ରିୟ ଥିବା ପାକିସ୍ତାନର କୁଖ୍ୟାତ ଆତଙ୍କୀ ସଂଗଠନ ଲସ୍କରକୁ ସହାୟତା କରୁଥିଲା। ସେ ଏକାଧିକ ଆତଙ୍କୀ ହମଲାରେ ସାମିଲ ଥିଲା। ଏମଏଲସି ଜାଭେଦ ଶାଲ୍ଲାଙ୍କୁ ହତ୍ୟା କରିବା ପଛରେ ମଧ୍ୟ ତନବୀର ରହିଥିଲା।

୨-ଅଫାକ ଅହମଦ ୱାନି: ଏହି ବ୍ୟକ୍ତି ଜଣକ ବାରମୁଲ୍ଲାରେ ଥିବା କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ କାମ କରୁଥିଲା।

୩-ଇଫତିକାର ଆନ୍ଦ୍ରବୀ: ବୃକ୍ଷରୋପଣର ସୁପର ଭାଇଜର ଭାବେ ଇଫତିକାର ନିଯୁକ୍ତି ପାଇଥିଲା।

୪-ଈର୍ଶାଦ ଅହମଦ ଖାନ: ୨୦୧୦ରୁ ଜଳ ଶକ୍ତି ବିଭାଗରେ କାମ କରୁଥିଲା।

୫- ଅବଦୁଲ ମୋଇମ ପୀର: ୨୦୧୪ ମସିହାରେ ପିଏଚ୍‌ଇ ସବଡିଭିଜନରେ ଅବଦୁଲ ଆସିସଷ୍ଟାଣ୍ଟ ଲାଇନମ୍ୟାନ ଭାବେ ନିଯୁକ୍ତି ପାଇଥିଲା।
ଏମାନେ ସମସ୍ତେ ସରକାରୀ ପଦପଦବୀରେ ରହି ଦେଶ ବିରୋଧୀ କାମରେ ଲିପ୍ତ ଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।