ନୂଆଦିଲ୍ଲୀ: ମହାମାରୀ କରୋନାର ବିଭିନ୍ନ ପ୍ରକାରର ଭାରିଏଣ୍ଟକୁ ଠାବ କରିବା ପାଇଁ ଚାଲିଥିବା ଜେନୋମ ସିକ୍ୱେନ୍ସିଂ ଉଦ୍ୟମକୁ ଭାରତରେ ଶକ୍ତ ଝଟକା ଲାଗିଛି। ଦେଶରେ ଜେନୋମ ସିକ୍ୱେନ୍ସିଂ ହେଉଥିବା ୩୮ଟି ଲ୍ୟାବ ମଧ୍ୟରୁ ହଠାତ୍ ୫ଟିକୁ ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି।
ପ୍ରଥମେ ଲ୍ୟାବରେ ଜେନୋମ ସିକ୍ୱେନ୍ସିଂ ପାଇଁ ଆବଶ୍ୟକ ରାସାୟନିକ ମିଶ୍ରଣ ବା କେମିକାଲ ରିଜେଣ୍ଟର ଅଭାବ ଦେଖାଯାଇଥିଲା। ଏଥିପାଇଁ କରୋନା ଆକ୍ରାନ୍ତ ଲୋକଙ୍କ ଜେନୋମ ସିକ୍ୱେନ୍ସିଂ ରିପୋର୍ଟ ଆସିବାରେ ବିଳମ୍ବ ହେଉଥିଲା। ଏବେ କେମିକାଲ ରିଜେଣ୍ଟ ପାଇଁ ଅର୍ଥ ନଥିବାରୁ ଦେଶର ୫ ଲ୍ୟାବକୁ ବନ୍ଦ କରିବାକୁ ପଡ଼ିଛି।
INSACOG ଦ୍ୱାରା ଦେଶରେ ଜେନୋମ ସିକ୍ୱେନ୍ସିଂ ପାଇଁ ମୋଟ ୩୮ଟି ଲ୍ୟାବକୁ କାର୍ଯ୍ୟକ୍ଷମ କରାଯାଇଥିଲା। ଏହି ୩୮ଟି ଲ୍ୟାବ ମଧ୍ୟରୁ ୫ଟିକୁ ବନ୍ଦ କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଓମିକ୍ରନ ଭାରିଏଣ୍ଟକୁ ଠାବ କରିବା ପାଇଁ ଅଧିକରୁ ଅଧିକ ନମୁନାକୁ ଜେନୋମ ସିକ୍ୱେନ୍ସିଂ ପାଇଁ ପଠା ଯାଉଛି। ହେଲେ ଏହାକୁ ଠାବ କରିବା ପାଇଁ ଆବଶ୍ୟକ ରାସାୟନିକ ମିଶ୍ରଣ ବା କେମିକାଲ ରିଜେଣ୍ଟସ ଲ୍ୟାବରେ ଉପଲବ୍ଧ ନାହିଁ। ଏହି ରିଜେଣ୍ଟ ଦ୍ୱାରା ହିଁ ନମୁନାର କେମିକାଲ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ ଓ କରୋନାର ଭାରିଏଣ୍ଟ ସମ୍ପର୍କରେ ସୂଚନା ମିଳିଥାଏ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜେନୋମ ସିକ୍ୱେନ୍ସିଂର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କିଛି ଦିନ କହିଥିଲେ। ହେଲେ ଗତ ମାସ ତୁଳନାରେ ଜେନୋମ ସିକ୍ୱେନ୍ସିଂ ହାର ପ୍ରାୟ ୪୦% ହ୍ରାସ ପାଇଛି। ଭାରତରେ କରୋନାର ତୃତୀୟ ଲହର ଜନିତ ସଂକ୍ରମଣ ବଢ଼ିବା ଦିନ ଠାରୁ ମାତ୍ର ୨୫ ହଜାର ନମୁନାର ଜେନୋମ ସିକ୍ୱେନ୍ସିଂ କରାଯାଇ ପାରିଛି। ସେହିପରି ମହାମାରୀ କରୋନା ଦେଶରେ ପ୍ରବେଶ କରିବା ଦିନ ଠାରୁ ୧.୬ ଲକ୍ଷରୁ ଅଧିକ ନମୁନାର ସିକ୍ୱେନ୍ସିଂ ହୋଇଛି।
ଗତ ଡିସେମ୍ବରରେ ଭାରତର କୋଭିଡ-୧୯ ଟାସ୍କ ଫୋର୍ସ ମୁଖ୍ୟ ଡା ଭିକେ ପଲ୍ ସ୍ୱୀକାର କରିଥିଲେ ଯେ ପ୍ରତିଟି କରୋନା ପଜିଟିଭ ନମୁନାର ଜେନୋମ ସିକ୍ୱେନ୍ସିଂ କରିବା ସମ୍ଭବ ନୁହେଁ। ତେବେ ଆବଶ୍ୟକ ବ୍ୟବସ୍ଥା ଅନୁଯାୟୀ ନମୁନା ଗୁଡ଼ିକର ସିକ୍ୱେନ୍ସିଂ କରାଯାଉଛି ଓ ସଂକ୍ରମଣ ଉପରେ ନଜର ରଖାଯାଉଛି ବୋଲି ସେ କହିଥିଲେ। ଏସବୁ ଭିତରେ ୫ଟି ଲ୍ୟାବ ବନ୍ଦ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।