୫ ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ୩ ହଜାର କୋଟି ଟଙ୍କା ଦେବ କେନ୍ଦ୍ର

ନୂଆଦିଲ୍ଲୀ: ପ୍ରକୃତର ତାଣ୍ଡବରେ ପ୍ରଭାବିତ ହୋଇଥିବା ୫ ରାଜ୍ୟକୁ ଆର୍ଥିକ ସହାୟତା ଯୋଗାଇ ଦେବ କେନ୍ଦ୍ର। ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସହାୟତା ଯୋଗାଇ ଦେବାକୁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ୫ ରାଜ୍ୟକୁ ୩,୧୧୧୩ କୋଟି ଟଙ୍କା ଯୋଗାଇ ଦେବାକୁ ଆଗତ ପ୍ରସ୍ତାବ ଉପରେ ମୋହର ଲଗା ଯାଇଛି।

ଏନଡିଆରଏମଏଫ ପକ୍ଷରୁ ଆନ୍ଧ୍ର, ବିହାର, ତାମିଲନାଡୁ, ପୁଡୁଚେରୀ ଓ ମଧ୍ୟପ୍ରଦେଶକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବରେ ଆନ୍ଧ୍ର ପ୍ରଦେଶ ଓ ବିହାରରେ ବ୍ୟାପକ ବନ୍ୟା ହୋଇଥିଲା। ଏଥିପାଇଁ ଏହି ଦୁଇ ରାଜ୍ୟକୁ ଯଥାକ୍ରମେ ୨୮୦.୭୮ କୋଟି ୧୨୫୫.୨୭ କୋଟି ଟଙ୍କା ମିଳିବ।

ବାତ୍ୟା ନିଭାର ପାଇଁ ତାମିଲନାଡୁକୁ ୬୩.୧୪ କୋଟି ଟଙ୍କା ଓ ବୁରେଭି ପାଇଁ ୨୨୩.୭୭ କୋଟି ଟଙ୍କା ଦିଆଯିବ। ଏପରି ଭାବେ ଦୁଇଟି ଯାକ ବାତ୍ୟା ପାଇଁ ତାମିଲନାଡୁକୁ ମୋଟ ୨୮୬.୯୧ କୋଟି ଟଙ୍କା କେନ୍ଦ୍ର ସରକାର ଦେବେ।

ବାତ୍ୟା ନିଭାରର ପ୍ରଭାବ ପୁଡୁଚେରୀ ଉପରେ ମଧ୍ୟ ପଡ଼ିଥିଲା। ଏଥିପାଇଁ ଉକ୍ତ କେନ୍ଦ୍ର ଶାସିତ ଅଞ୍ଚଳକୁ ୯.୯୧ କୋଟି ଟଙ୍କା ଦିଆଯିବ। ଖରିଫ ‍ଫସଲ ବେଳେ ମଧ୍ୟପ୍ରଦେଶରେ ପେଷ୍ଟ ଆକ୍ରମଣ ହୋଇଥିଲା। ଏଥିପାଇଁ କେନ୍ଦ୍ର ସରକାର ମଧ୍ୟପ୍ରଦେଶକୁ ୧୨୮୦.୧୮ କୋଟି ଟଙ୍କା ଦେବେ।

୨୦୨୦-୨୧ ଆର୍ଥିକ ବର୍ଷରେ ୨୮ଟି ରାଜ୍ୟକୁ ଏସଡିଆରଏମଏଫରୁ ମୋଟ ୧୯,୦୩୬.୪୩ କୋଟି ଓ ଏନଡିଆରଏମଏଫରୁ ୧୧ଟି ରାଜ୍ୟକୁ ୪,୪୦୯.୯୧ କୋଟି ଟଙ୍କା ଯୋଗାଇ ଦିଆଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।