ଶିମଲା: ହିଲ ଷ୍ଟେନସଗୁଡ଼ିକରେ ପର୍ଯ୍ୟଟକମାନେ କରୋନା କଟକଣାକୁ ଫୁ’ କରୁଥିବାରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ଲୋକଙ୍କୁ ନିୟମ ପାଳନ କରିବାକୁ ହିମାଚଳ ପ୍ରଦେଶ ସରକାର ଅନୁରୋଧ କରିବା ସହ ଅମାନିଆଙ୍କୁ ସାବାଡ଼ କରିବାକୁ ପଦକ୍ଷେପ ନେଇଛନ୍ତି।
ଯଦି କେହି ମାସ୍କ ନ ପିନ୍ଧିବେ, ତା’ହେଲେ ସେମାନଙ୍କୁ ୮ ଦିନ ପାଇଁ ଜେଲ କିମ୍ବା ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପୁଲିସ୍ ପ୍ରଶାସନକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।
କୁଲୁର ଏସ୍ପି ଗୁରୁଦେବ ଶର୍ମା କହିଛନ୍ତି, “ମନାଲିରେ ପର୍ଯ୍ୟଟକମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି। ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନଙ୍କୁ ୫ ହଜାର ଟଙ୍କା କିମ୍ବା ୮ ଦିନ ପାଇଁ ଜେଲରେ ରଖାଯିବ। ଆମେ ଏହି ୭ରୁ ୮ ଦିନ ମଧ୍ୟରେ କଟକଣା ଉଲ୍ଲଙ୍ଘନ କରିଥିବା ଅପରାଧରେ ୩୦୦ରୁ ଅଧିକ ଚାଲାଣ କାଟିଛୁ। ଅମାନିଆଙ୍କ ଠାରୁ ୩ ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଆଦାୟ କରିଛୁ। ଲୋକଙ୍କୁ ଆମେ କଟକଣା ପାଳନ କରିବାକୁ ଅନୁରୋଧ କରୁଛୁ।”
ମହାମାରୀ କରୋନା କଟକଣା କୋହଳ ହେବା ପରେ ଶିମଲା ଓ ମନାଲିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏଠାକୁ ଆସୁଥିବା ଲୋକମାନେ କଟକଣାର ଧଜିଆ ଉଡ଼ାଇ ବୁଲାବୁଲି କରୁଛନ୍ତି। ମାସ୍କ ତ ଦୂରର କଥା କେହି ସାମାଜିକ ଦୂରତା ନିୟମକୁ ମଧ୍ୟ ପାଳନ କରୁନାହାନ୍ତି।
ଏହି କାରଣରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଚିନ୍ତା ପ୍ରକଟ କରିଥିଲା। ରାଜ୍ୟ ସରକାରଙ୍କୁ ଏହା ଉପରେ ପଦକ୍ଷେପ ନେବାକୁ ମଧ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।