୫ ବର୍ଷରେ କେତେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି? ସରକାର ଦେଲେ ଜବାବ

ନୂଆଦିଲ୍ଲୀ: ବିଗତ ୫ ବର୍ଷ ମଧ୍ୟରେ ଭାରତରେ କେତୋଟି ଦେଶଦ୍ରୋହ ଓ ୟୁଏପିଏ ଆଇନ ବଳରେ ମାମଲା ରୁଜୁ କରାଯାଇଛି, ତା’ର ଉତ୍ତର କେନ୍ଦ୍ର ସରକାର ଦେଇଛନ୍ତି। ସରକାରଙ୍କ ସୂଚନା ଅନୁଯାୟୀ, ବିଗତ ବର୍ଷ ଗୁଡ଼ିକ ମଧ୍ୟରେ ୟୁଏପିଏ ବଳରେ ୫,୧୨୮ ଓ ୨୨୯ଟି ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି।

ୟୁଏପିଏ ବଳରେ ସବୁଠାରୁ ଅଧିକ ମାମଲା ମଣିପୁରରେ ରୁଜୁ କରାଯାଇଛି। ଏଠାରେ ମୋଟ ୧୭୮୬ଟି କେସ୍‌ ହୋଇଛି। ଯାହା ମୋଟ ମାମଲାର ୩୪.୮୨%। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଷନ ରେଡ୍ଡୀ ରାଜ୍ୟସଭାରେ ସାଂସଦ ଅବଦୁଲ ୱହାବଙ୍କ ଏକ ପ୍ରଶ୍ନର ଉତ୍ତରରେ ୨୦୧୫ରୁ ୨୦୧୯ର ତଥ୍ୟ ଉପସ୍ଥାପନ କରିଛନ୍ତି।

ସେ କହିଛନ୍ତି, ଏହି ତଥ୍ୟ ଏନସିଆରବିର। ୨୦୧୯ ଡିସେମ୍ବର ୩୧ ସୁଦ୍ଧା ଦେଶରେ କେତେ ୟୁଏପିଏ ଓ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି, ତା’ର ତଥ୍ୟ ଏନସିଆରବି ଦେଇଛି। ତଥ୍ୟ ଅନୁସାରେ, ୟୁଏପିଏ ବଳରେ ୨୦୧୫ରୁ ୨୦୧୯ ଯାଏ ଯଥାକ୍ରମେ ୮୯୭, ୯୨୨, ୯୦୧, ୧୧୮୨ ଓ ୧୧୨୬ଟି ମାମଲା ରୁଜୁ କରାଯାଇଛି। ସେହିପରି ଦେଶଦ୍ରୋହ ଆଇନ ବଳରେ ୨୦୧୫ରେ ୩୦ଟି, ୨୦୧୬ରେ ୩୫ଟି, ୨୦୧୭ରେ ୫୧ଟି, ୨୦୧୮ରେ ୭୦ଟି ଓ ୨୦୧୯ରେ ସର୍ବାଧିକ ୯୩ଟି ମାମଲା ରୁଜୁ କରାଯାଇଛି।

ମଣିପୁରରେ ୨୦୧୫ରେ ୫୨୨, ୨୦୧୬ରେ ୩୨୭, ୨୦୧୭ରେ ୩୩୦, ୨୦୧୮ରେ ୨୮୯ ଓ ୨୦୧୯ରେ ୩୦୬ଟି ୟୁଏପିଏ ବଳରେ ମାମଲା ରୁଜୁ କରାଯାଇଛି। ୨୦୧୮କୁ ଛାଡ଼ିଦେଲେ ବାକି ବର୍ଷ ଗୁଡ଼ିକରେ ମଣିପୁରରେ ସବୁଠାରୁ ଅଧିକ ୟୁଏପିଏ ମାମଲା ରୁଜୁ ହୋଇଛି। ୨୦୧୮ରେ ଆସାମରେ ୩୦୮ଟି ୟୁଏପିଏ ମାମଲା ରୁଜୁ ହୋଇଥିଲା।

ଦେଶଦ୍ରୋହକୁ ବିଚାର କଲେ ୨୦୧୫ରେ ୯ଟି ମାମଲା ରୁଜୁ କରି ବିହାର ୧ନଂରେ ରହିଥିଲା। ଏହାପରେ ୨୦୧୬ରେ ୧୨ ଦେଶଦ୍ରୋହ ମାମଲା ସହ ହରିଆଣା, ୨୦୧୭ରେ ୧୯ଟି ମାମଲା ସହ ଆସାମ, ୨୦୧୮ରେ ୧୮ ମାମଲା ସହ ଝାରଖଣ୍ଡ ଓ ୨୦୧୯ରେ ୨୨ଟି ଦେଶଦ୍ରୋହ ମାମଲା ରୁଜୁ କରି କର୍ଣ୍ଣାଟକା ୧ନଂ ସ୍ଥାନରେ ରହିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।