ଦେଶରେ ଚିନ୍ତା ବଢ଼ାଉଛି ଏହି ରାଜ୍ୟର କରୋନା ସ୍ଥିତି, କେନ୍ଦ୍ର ଦେଲା ଏମିତି ପରାମର୍ଶ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହରୀ ପ୍ରବେଶ କରିବାର ଆଶଙ୍କା ପ୍ରକାଶ ପାଇଛି। ଏବେ ଠାରୁ ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହରୀ ଗମ୍ଭୀର ସ୍ଥିତି ସୃଷ୍ଟି କରିସାରିଲାଣି। ଧୀରେଧୀରେ କରୋନା ଅନ୍ୟ ରାଜ୍ୟକୁ ମଧ୍ୟ ପ୍ରବେଶ କରୁଛି। କରୋନାର ଦ୍ୱିତୀୟ ଲହରୀକୁ ରୋକିବାକୁ ହେଲେ, ଆମ ସମସ୍ତଙ୍କୁ ମିଳିତ ଭାବେ କାମ କରିବାକୁ ପଡ଼ିବ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି। ସେହିପରି ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ସେ ପରାମର୍ଶ ଦେଇଥିଲେ।

ତେବେ ମହାରାଷ୍ଟ୍ରର କରୋନା ସ୍ଥିତି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଦେଶର ମୋଟ ଆକ୍ଟିଭ କେସ୍‌ ମଧ୍ୟରୁ କେବଳ ୬୦% ଲୋକ ମହାରାଷ୍ଟ୍ରରେ ରହିଛନ୍ତି। ସେହିପରି ଦେଶର ମୋଟ କରୋନା ଜନିତ ମୃତକଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ୪୫.୪% ଲୋକ ରହିଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ପ୍ରାୟ ୨୯ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ମଧ୍ୟରୁ ୬୧.୮% ଅର୍ଥାତ ୧୭,୮୬୪ ଜଣ ମହାରାଷ୍ଟ୍ରରୁ ରହିଥିଲେ। ଏହା ପଛକୁ କେରଳରେ ୧୯୭୦ ଓ ପଞ୍ଜାବରେ ୧୪୬୩ ଜଣ ଲୋକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ମାର୍ଚ୍ଚ ୧ ସୁଦ୍ଧା ମହାରାଷ୍ଟ୍ରରେ ପଜିଟିଭ ହାର ୧୧% ରହିଥିଲା। ହେଲେ ଏବେ ଏହା ୧୬%ରେ ପହଞ୍ଚି ଗଲାଣି। କିନ୍ତୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ହେଁ ଟେଷ୍ଟିଂ ସଂଖ୍ୟା ବଢ଼ୁନାହିଁ। ତେଣୁ ସରକାର ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରନ୍ତୁ ବୋଲି ମନ୍ତ୍ରଣାଳୟ କହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ସମାନ କଥା କହିଥିଲେ। ସେ କହିଥିଲେ, “ଯଦି ଆମେ ଏବେ କରୋନା ସଂକ୍ରମଣକୁ ରୋକିବା ନାହିଁ, ତା’ହେଲେ ସାରା ଦେଶକୁ ଏହା ବ୍ୟାପୀ ଯିବ। ଆମେ ତୁରନ୍ତ କରୋନାର ଦ୍ୱିତୀୟ ଲହରୀକୁ ରୋକିବା ଦରକାର।

ଏଥିପାଇଁ ବଡ଼ ଓ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଉଚିତ। ଓଡ଼ିଶା, କେରଳ ଓ ବିହାର ଭଳି ରାଜ୍ୟଗୁଡ଼ିକରେ କେବଳ ଆଣ୍ଟିଜେନ ଟେଷ୍ଟ କରାଯାଉଛି। ତେଣୁ ସେଗୁଡ଼ିକରେ ପରିବର୍ତ୍ତନ କରି ଅଧିକରୁ ଅଧିକ ସଂଖ୍ୟାରେ ଆରଟିପିସିଆର ଟେଷ୍ଟ କରାଯିବା ଦରକାର।”

ଗତବର୍ଷ ମାର୍ଚ୍ଚ ମାସରୁ ଦେଶରେ କରୋନା ସଂକ୍ରମଣ ଗ୍ରାଫ ବଢ଼ିଥିଲା। ସେପ୍ଟେମ୍ବର ବେଳକୁ ଦୈନିକ ସଂକ୍ରମଣ ୯୭ ହଜାର ଛୁଇଁଥିଲା। କିନ୍ତୁ ଏହାପରେ ଦୈନିକ ସଂକ୍ରମଣ ୯ ହଜାରକୁ ଖସି ଆସିଥିଲା। ଏବେ ପୁଣିଥରେ ସଂକ୍ରମଣ ଗ୍ରାଫ ୩୦ ହଜାର ଛୁଇଁବାକୁ ବସିଲାଣି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।