୬୨ ଆତଙ୍କୀଙ୍କ ମୁଣ୍ଡ ନେଲେଣି ସୁରକ୍ଷାକର୍ମୀ
ଜମ୍ମୁ: ଚଳିତ ବର୍ଷ ଏଯାଏ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଲେଣି ୬୨ ଜଣ ଆତଙ୍କବାଦୀ। ଏମାନଙ୍କ ମଧ୍ୟରେ ୪୭ ଜଣ ସ୍ଥାନୀୟ ଓ ୧୫ ଜଣ ବିଦେଶୀ ଆତଙ୍କବାଦୀ ରହିଥିବା ଆଜି ଜମ୍ମୁ-କଶ୍ମୀର ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। କଶ୍ମୀର ଆଇଜିପି ବିଜୟ କୁମାର ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ଆତଙ୍କବାଦୀଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି।
ସେ କହିଛନ୍ତି, ନିହତ ୬୨ ଆତଙ୍କୀଙ୍କ ମଧ୍ୟରୁ ୩୯ ଜଣ ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତାଏବାର ସଦସ୍ୟ। ସେହିପରି ଜୈଶ-ଇ-ମହମ୍ମଦର ୧୫ ଜଣ, ହିଜବୁଲ ମୁଜାହିଦ୍ଦିନର ୬ ଜଣ ଓ ଅଲ ବଦ୍ରର ୨ ଜଣ ଆତଙ୍କୀ ମଧ୍ୟ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ଆଗକୁ ମଧ୍ୟ ଆତଙ୍କବାଦ ବିରୋଧୀ ଅଭିଯାନ ଜାରି ରହିବ।
ସୁରକ୍ଷାକର୍ମୀଙ୍କ ସାହାସ ଓ ଦକ୍ଷତା ସମ୍ପନ୍ନ ଅପରେସନ ଯୋଗୁ ଉପତ୍ୟକାରେ ଆତଙ୍କବାଦୀମାନେ ସେମାନଙ୍କ ଉପସ୍ଥିତି ଜାହିରି କରିବାରେ ସକ୍ଷମ ହୋଇପାରୁ ନାହିନ୍ତି। ସେମାନଙ୍କ ସଂଖ୍ୟା ହ୍ରାସ ପାଇଛି। ଚଳିତ ବର୍ଷ ନିହତ ୬୨ ଜଣ ଆତଙ୍କୀଙ୍କ ମଧ୍ୟରୁ ୩୨ ଜଣ ୩ ମାସ ତଳେ ହିଁ ସଂଗଠନରେ ଯୋଗଦେଇଥିଲେ। ତେଣୁ ଆତଙ୍କୀ ସାଜିବାର ମାତ୍ର ଅଳ୍ପଦିନ ମଧ୍ୟରେ ସେମାନଙ୍କୁ ଖତମ କରିବାରେ ସୁରକ୍ଷାକର୍ମୀମାନେ ସଫଳ ହୋଇଥିବା ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି।
ଆଜି ଅଲ ବଦ୍ର ଆତଙ୍କୀ ସଂଗଠନର ୨ ଜଣ ସଦସ୍ୟ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ। ଏମାନେ ଜମ୍ମୁ-କଶ୍ମୀରରେ ରହୁଥିବା ବାହାର ଲୋକଙ୍କୁ ଟାର୍ଗେଟ କରୁଥିଲେ। ତେବେ ଆଜି ଦକ୍ଷିଣ କଶ୍ମୀରର ପୁଲୱାମାରେ ହୋଇଥିବା ଏନକାଉଣ୍ଟର୍ରେ ଉଭୟଙ୍କ ମୃତ୍ୟୁ ଘଟିଛି। ପୁଲିସ୍ କହିଛି ଯେ ୨ ଆତଙ୍କୀଙ୍କ ସମ୍ପର୍କରେ ଖବର ପାଇ ଗତକାଲି ସନ୍ଧ୍ୟାରୁ ହିଁ ପୁଲୱାମାର ମିତ୍ରିଗାମ ଅଞ୍ଚଳରେ ପୁଲିସ୍ ଓ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।
Total #terrorists killed in encounters so far this year= 62#Terror #Outfit wise: LeT = 39, JeM=15, HM =06, Al-Badr =02.
Among the total 62 killed terrorists, 47 were local terrorists & 15 #foreign terrorists: IGP Kashmir@JmuKmrPolice— Kashmir Zone Police (@KashmirPolice) April 28, 2022
ତେବେ ଆଜି ଭୋର ସମୟରେ ହିଁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ୨ ଜଣ ଆତଙ୍କୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ନିକଟକୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ହୋଇଛି। ଅଲ ବଦ୍ର ଗୋଟିଏ ନୂଆ ଆତଙ୍କୀ ସଂଗଠନ। କିଛି ମାସ ତଳେ ହିଁ ଏହି ସଂଗଠନ ତିଆରି ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।