ଶାସ୍ତ୍ରୀଙ୍କୁ ତଉଲିବାକୁ ଆସିଥିବା ୬୪.୬ କେଜି ସୁନା ସରକାରଙ୍କ ଖାତାକୁ ଗଲା

ଜୟପୁର: ଦୀର୍ଘ ୫ ଦଶନ୍ଧିରୁ ଅଧିକ ଦିନ ପରେ ଶେଷରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲା ବାହାଦୂର ଶାସ୍ତ୍ରୀଙ୍କ ଓଜନ ତଉଲିବାକୁ ମିଳିଥିବା ୬୪.୬ କେଜି ସୁନା ସରକାରଙ୍କ ଖାତାକୁ ଯାଇଛି। ୧୯୬୫ ଭାରତ-ପାକ୍‌ ଯୁଦ୍ଧ ସମୟରେ ଶାସ୍ତ୍ରୀଙ୍କ ଓଜନ ତଉଲିବାକୁ ଦାନ ସୂତ୍ରରେ ସୁନାଗୁଡ଼ିକୁ ରାଜସ୍ଥାନର ଚିତ୍ତୋରଗଡ଼ ଜିଲ୍ଲାପାଳଙ୍କୁ ଦିଆଯାଇଥିଲା।

ଏବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଉଦୟପୁର ଜିଲ୍ଲା ପ୍ରଶାସନ ସିଜିଏସ୍‌ଟିକୁ ସୁନାଗୁଡ଼ିକ ହସ୍ତାନ୍ତର କରିଛି। ଏହି ସୁନାର ମୂଲ୍ୟ ପ୍ରାୟ ୩୨ କୋଟି ଟଙ୍କା ହେବ।

୧୯୬୫ରୁ ସୁନାର ମାଲିକାନାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି ସମୟରେ ଚିତ୍ତୋରଗଡ଼ ଜିଲ୍ଲାପାଳଙ୍କୁ ସୁନାଗୁଡ଼ିକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଙ୍କ ଓଜନ ମାପିବାକୁ ଦିଆଯାଇଥିଲା। ସେବେଠାରୁ ବିଭିନ୍ନ କୋର୍ଟରେ ୫ଥର ସୁନାର ମାଲିକାନାକୁ ନେଇ ଶୁଣାଣି ହୋଇଛି। ସବୁଥର ମାଲିକାନାର ରାୟ ସରକାରଙ୍କ ସପକ୍ଷରେ ଯାଇଥିଲା।

ଏଥର ରାୟ ମଧ୍ୟ ସରକାରଙ୍କ ସପକ୍ଷରେ ଯାଇଥିବା ବେଳେ ବିବାଦ ଥମି ନାହିଁ। ପୂର୍ବରୁ ଜିଲ୍ଲା ପ୍ରଶାସନ ପାଖରେ ଦସ୍ତାବିଜର ରେକର୍ଡ ଅନୁଯାୟୀ ୫୬.୮ କେଜି ସୁନା ସଂରକ୍ଷିତ ହୋଇ ରହିଥିବା କୁହାଯାଇଥିଲା। କିନ୍ତୁ ଓଜନ ବେଳେ ଏହା ୬୭.୮ କେଜି ଥିବା ଜଣାପଡ଼ିଛି।

ପୂରା ଓଜନ ପ୍ରକ୍ରିୟା ବେଳେ କେନ୍ଦ୍ରୀୟ ଜିଏସ୍‌ଟିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ରେକର୍ଡ ତୁଳନାରେ ଅଧିକ ସୁନା ମିଳିଥିବାରୁ ସମସ୍ତଙ୍କ ମନରେ ଏକାଧିକ ପ୍ରଶ୍ନ ଉଠିବାରେ ଲାଗିଛି।

ଏପରି ସ୍ଥିତିରେ ଆଇନଜୀବୀ ପ୍ରବୀଣ ଖାଣ୍ଡେଲୱାଲ ୧୯୭୫ ମସିହାରେ କୋର୍ଟ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ଅବଗତ କରାଇଥିଲେ। କୋର୍ଟ ଏହି ସମୟରେ ଶାସ୍ତ୍ରୀଙ୍କ ଓଜନ ତଉଲିବାକୁ ମିଳିଥିବା ସମସ୍ତ ସୁନାକୁ ଗୋଲ୍ଡ କଣ୍ଟ୍ରୋଲ ଅଫିସରଙ୍କୁ ଦେବାକୁ କହିଥିଲେ। ବର୍ତ୍ତମାନ ଗୋଲ୍ଡ କଣ୍ଟ୍ରୋଲର ନାହିଁ। ଏହା ବଦଳରେ ସିଜିଏସ୍‌ଟି କାମ କରୁଛି। ତେଣୁ ଏହାର ଅଧିକାରୀମାନେ ଉକ୍ତ ସୁନାକୁ ନିଜ ହେପାଜତକୁ ନେବେ।

ଅନ୍ୟପକ୍ଷରେ ଦସ୍ତାବିଜରେ ଥିବା ୩.୨ କେଜି ଓଜନର ଗୋଟିଏ ସୁନା ବିସ୍କୁଟ ଜିଲ୍ଲାପାଳ ସିଜିଏସଟିକୁ ଦେଇ ନାହାନ୍ତି। କାରଣ ଦସ୍ତାବିଜ୍‌ରେ ଥିବା ନମ୍ବର ସହ ଉକ୍ତ ସୁନା ବିସ୍କୁଟର ନମ୍ବର ମେଳ ଖାଉନାହିଁ। ତେଣୁ ଜିଲ୍ଲା ପ୍ରଶାସନ କେବଳ ୬୪.୬ କେଜି ଓଜନର ସୁନାକୁ ସିଜିଏସ୍‌ଟିକୁ ହସ୍ତାନ୍ତର କରିଛି। ଏବେ ଆଇନଜୀବୀ ପ୍ରବଣୀ ଉକ୍ତ ସୁନା ବିସ୍କୁଟ ପାଇଁ ପୁଣି ଏକ ଆବେଦନ କୋର୍ଟରେ କରିବେ ବୋଲି କହିଛନ୍ତି।

୧୯୬୫ ମସିହା ଡିସେମ୍ବର ୯ରେ ଗୁନୱାନ୍ତ ନାମକ ଜଣେ ବ୍ୟକ୍ତି ଗଣପତ ଓ ଅନ୍ୟ ଦୁଇ ଜଣ ବ୍ୟକ୍ତିଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ ତାଙ୍କୁ ୫୬.୮୬ କେଜି ଓଜନର ସୁନା ଫେରାଇ ନଥିବା ଗୁନୱାନ୍ତ ଅଭିଯୋଗ କରିଥିଲେ। ୧୯୬୫ ମସିହା ଡିସେମ୍ବର ୧୬ରେ ଗଣପତ ଉଦୟପୁର ଯାଇଥିବା ଚିତ୍ତୋରଗଡ଼ ଜିଲ୍ଲାପାଳଙ୍କୁ ଶାସ୍ତ୍ରୀଙ୍କ ଓଜନ ପାଇଁ ଉକ୍ତ ସୁନାକୁ ଦେଇଥିଲେ।

ତେବେ ୧୯୬୬ରେ ତାସ୍କଟେଣ୍ଟରେ ଶାସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍‌ ଏହାପରେ ସୁନାକୁ ଜବତ କରିଥିଲା। କିନ୍ତୁ ଏହାକୁ ଚିତ୍ତୋରଗଡ଼ ଜିଲ୍ଲାପାଳଙ୍କ ହେପାଜତରେ ରଖିଥିଲା। ୧୯୬୯ରେ ଗୋଟିଏ ଚାଲାଣ ଉଦୟପୁରରେ ଥିବା ଆସିସଷ୍ଟାଣ୍ଟ ଜିଲ୍ଲା ସେସନ୍ସ କୋର୍ଟରେ ଦାଖଲ କରାଯାଇଥିଲା। ଫଳରେ ସୁନାଗୁଡ଼ିକୁ ଉଦୟପୁର ଅଣାଯାଇଥିଲା। ୧୯୭୫ ଜାନୁଆରୀ ୧୧ରେ କୋର୍ଟ ଗଣପତ ଓ ହରିଲାଲଙ୍କୁ ଦୁଇ ବର୍ଷ ଜେଲଦଣ୍ଡ ଦେଇଥିଲେ। ସୁନାଗୁଡ଼ିକୁ ଗୋଲ୍ଡ କଣ୍ଟ୍ରୋଲରଙ୍କୁ ଦେଇଥିଲେ।

ସେସନ୍ସ କୋର୍ଟରେ ଉଭୟ ରାୟକୁ ଚ୍ୟାଲେଞ୍ଜ କରି ଜେଲରୁ ମୁକ୍ତ ହୋଇଥିଲେ। କିନ୍ତୁ ସୁନାର ମାଲିକାନା ହାସଲ କରିପାରି ନଥିଲେ। ଗୁନୱାନ୍ତ ଏହି ରାୟକୁ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ୨୦୦୭ ସେପ୍ଟେମ୍ବର ୧୪ରେ କୋର୍ଟ ଗଣପତ ଓ ହରିଲାଲାଙ୍କ ମୁକ୍ତ ରାୟକୁ କାଏମ ରଖିଥିଲେ। ସେହିପରି ସୁନାର ମାଲିକାନା ପାଇଁ ଗୁନୱାନ୍ତ ଯେଉଁ ଦାବି କରିଥିଲେ, ତା’କୁ ଅଗ୍ରାହ୍ୟ କରିଦେଇଥିଲେ।

୨୦୧୨ରେ ଗଣପତଙ୍କ ପୁଅ ଗୋବର୍ଦ୍ଧନ ସୁନାର ମାଲିକାନା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଏହି ଆବେଦନ ଏବେ ବି ପେଣ୍ଡିଂ ହୋଇ ରହିଛି। ୨୦୨୦ ମସିହା ଜୁଲାଇ ୧୭ରେ ଚିତ୍ତୋରଗଡ଼ ସିଜିଏସ୍‌ଟିର ଆସିସଷ୍ଟାଣ୍ଟ କମିଶନର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଗୋଟିଏ ଆବେଦନ କରି ସୁନାକୁ ନେବାକୁ ଚାହୁଁଥିବା କହିଥିଲେ।

୨୦୨୦ ଅଗଷ୍ଟ ୫ରେ ହାଇକୋର୍ଟଙ୍କ ରାୟକୁ ଆଧାର କରି କୋର୍ଟ ସିଜିଏସ୍‌ଟିକୁ ସୁନା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଗୋବର୍ଦ୍ଧନ ସେସନ୍ସ କୋର୍ଟରେ ଆବେଦନ କରିଥିଲେ। ତେବେ କୋର୍ଟ ତାଙ୍କ ବିରୋଧରେ ରାୟ ଦେଇଥିଲେ।

ଚଳିତ ବର୍ଷ ଫେବୃଆରୀ ମାସରେ ଚିତ୍ତୋରଗଡ଼ରେ ଥିବା ଜିଲ୍ଲା ଓ ସେସନ୍ସ କୋର୍ଟ ସୁନାଗୁଡ଼ିକୁ ସିଜିଏସ୍‌ଟିକୁ ଦେବାକୁ ପୁଣି କହିଥିଲେ। ଶେଷରେ ସୋମବାର ରାତିରେ ସିଜିଏସ୍‌ଟି ଟିମ ଉଦୟପୁରରୁ ସୁନା ଗୁଡ଼ିକ ସଂଗ୍ରହ କରି ଦିଲ୍ଲୀ ଯାଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।