ଏମରଜେନ୍ସି ଲାଇନରେ ଦରମା ପାଇଁ ଅଭଦ୍ର ଭାଷା କହି ଫସିଲେ ୭ ପାଇଲଟ

ନୂଆଦିଲ୍ଲୀ: ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ କମ୍ପାନୀର ୭ ଜଣ ପାଇଲଟଙ୍କ ଅଡ଼ୁଆ ବଢ଼ିଛି। ଏମାନେ ଦରମା ପ୍ରସଙ୍ଗକୁ ନେଇ ବିମାନର ଏମରଜେନ୍ସି ଲାଇନରେ ଅଭଦ୍ର ଭାଷା କହିଥିଲେ ବୋଲି ଜଣାପଡ଼ିଛି। ଏଥିପାଇଁ ସମସ୍ତଙ୍କ ବିରୋଧରେ ତଦନ୍ତ ଆରମ୍ଭ କରାଯାଇଛି। ଏପ୍ରିଲ ୯ ତାରିଖରେ ଏହି ପାଇଲଟମାନେ ଅଳ୍ପ ଦରମା ମିଳିବା ପ୍ରସଙ୍ଗକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ଜରୁରିକାଳୀନ ସ୍ଥିତି ପାଇଁ ଉପଲବ୍ଧ ଥିବା 121.5 MHz frequencyର ବ୍ୟବହାର କରି ଅଭଦ୍ର ଓ ଅପମାନିତ କରିବା ଭଳି ଭାଷା ପ୍ରୟୋଗ କରି ଚାଲିଥିଲେ। ପାଇଲଟମାନେ ଏମରଜେନ୍ସି ଲାଇନକୁ ବ୍ୟବହାର କରି ନିଜ ଭିତରେ କଥା ହେଉଥିଲେ।

ବିମାନର ବିପଦ ସମୟରେ ହିଁ ଏହି ଲାଇନର ବ୍ୟବହାର କରିବାର ପ୍ରବଧାନ ରହିଛି। ହେଲେ ପାଇଲଟମାନେ ଏହାକୁ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବ୍ୟବହାର କରିଥିବାରୁ ଡିଜିସିଏ ଏହାକୁ ଗୁରୁତ୍ୱର ସହ ନେଇଛି। ଡିଜିସିଏ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ହେଁ ଇଣ୍ଡିଗୋ ପକ୍ଷରୁ କୌଣସି ପ୍ରକାରର ବିବୃତି ଜାରି କରାଯାଇ ନାହିଁ।

ନିୟମ ଅନୁସାରେ Frequency 121.5 MHz କେବଳ ଜରୁରିକାଳୀ ସ୍ଥିତିରେ ବ୍ୟବହାର ହୁଏ। ଏହାକୁ ଏୟାର ଟ୍ରାଫିକ କଣ୍ଟ୍ରୋଲର୍ସ ମନିଟରିଂ କରିବାକୁ ବାଧ୍ୟ। ତେବେ ଆକାଶ ମାର୍ଗରେ ଥିବା ଦୁଇଟି ଭିନ୍ନ ବିମାନର ପାଇଲଟଙ୍କ ମଧ୍ୟରେ କଥାବାର୍ତ୍ତା ହେବାକୁ 123.45 MHz frequency ରହିଛି। ଏହି ଲାଇନ ଉପରେ air traffic controllers ଆଦୌ ନଜର ରଖି ନଥାଏ। ଅଭିଯୁକ୍ତ ପାଇଲଟମାନେ ଉକ୍ତ ଲାଇନକୁ ନ ବ୍ୟବହାର କରି Frequency 121.5 MHzର ବ୍ୟବହାର କରିଥିଲେ।

ଏହି ଘଟଣା ପୂର୍ବରୁ ଦରମା କାଟ୍‌କୁ ନେଇ ଆନ୍ଦୋଳନ ପାଇଁ ସଜବାବଜ ହେଉଥିବା କିଛି ପାଇଲଟଙ୍କୁ ମଧ୍ୟ ଇଣ୍ଡିଗୋ ନିଲମ୍ବିତ କରିଥିଲା। ମହାମାରୀ କରୋନା ସମୟରେ ଇଣ୍ଡିଗୋ ତା’ର କର୍ମଚାରୀଙ୍କ ଦରମା ପ୍ରାୟ ୩୦% କାଟ କରିଥିଲା। ଏପ୍ରିଲ ୧ରେ ଇଣ୍ଡିଗୋ ପକ୍ଷରୁ ପାଇଲଟଙ୍କ ଦରମା ୮% ବୃଦ୍ଧି କରାଯାଇଥିଲା। ସେହିପରି ନଭେମ୍ବର ଠାରୁ ପାଇଲଟମାନେ ପୁଣି ୬.୫% ବର୍ଦ୍ଧିତ ଦରମା ପାଇବେ ବୋଲି କମ୍ପାନୀ କହିଛି। ତେବେ ୩୦% କାଟି ଏପରି ଅଳ୍ପ ବୃଦ୍ଧି କରୁଥିବାରୁ ପାଇଲଟମାନେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।