ଭାରତର ଚିନ୍ତା ବଢ଼ାଉଛି କରୋନାର ନୂଆ ରୂପ, ୫ ଦିନରେ ୩୯୫ ଆକ୍ରାନ୍ତ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସ୍ଥିତି ବେକାବୁ ହେବାରେ ଲାଗିଛି। ବିଶେଷ କରି କରୋନାର ନୂଆ ରୂପ ବା ଷ୍ଟ୍ରେନ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। କରୋନାର ନୂଆ ରୂପରେ କ୍ରମାଗତ ଭାବେ ଲୋକମାନେ ସଂକ୍ରମିତ ହେବାରେ ଲାଗିଛନ୍ତି। ସ୍ଥିତି ଏପରି ହୋଇଛି ଯେ ବିଗତ ୫ ଦିନ ଭିତରେ ବ୍ରିଟେନ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିବା କରୋନାର ମାରାତ୍ମକ ଷ୍ଟ୍ରେନରେ ୩୯୫ ଜଣ ଆକ୍ରାନ୍ତ ହୋଇସାରିଲେଣି। ସେହିପରି ଏଯାଏ କରୋନାର ନୂଆ ଷ୍ଟ୍ରେନ ମୋଟ ୭୯୫ ଜଣଙ୍କୁ ସଂକ୍ରମିତ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟ କହିଛି ଯେ ମାର୍ଚ୍ଚ ୧୮ ପରଠାରୁ ନୂଆ ଷ୍ଟ୍ରେନର ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୫୦% ବୃଦ୍ଧି ପାଇଛି। ମାର୍ଚ୍ଚ ୧୮ ଯାଏ କରୋନାର ନୂଆ ରୂପରେ ମୋଟ ୪୦୦ ଜଣ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ୫ ଦିନ ମଧ୍ୟରେ ଏହି ସଂଖ୍ୟା ୭୯୫ରେ ପହଞ୍ଚି ଯାଇଛି। ୫ ଦିନରେ ଚିହ୍ନଟ ହୋଇଥିବା ୩୯୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ପଞ୍ଜାବରୁ ୩୨୬ ଜଣ ରହିଛନ୍ତି। ଏମାନଙ୍କ ଶରୀରରୁ ବ୍ରିଟେନରେ ଦେଖାଯାଉଥିବା କରୋନାର ନୂଆ ଷ୍ଟ୍ରେନ ଠାବ ହୋଇଛି।

ଅନ୍ୟପକ୍ଷରେ କରୋନାର ନୂଆ ଷ୍ଟ୍ରେନ ବ୍ୟାପୁଥିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଯୁବବର୍ଗଙ୍କ ଟିକାକରଣ ପାଇଁ ଅନୁମତି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।