ଅଟୋ-ବସ୍‌ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ଚାଲିଗଲା ୯ ଜଣଙ୍କ ଜୀବନ

ବୀରଭୂମି: ପଶ୍ଚିମବଙ୍ଗର ବୀରଭୂମି ଦେଇ ଯାଇଥିବା ୬୦ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରାଜ୍ୟ ପରିବହନ ବିଭାଗ ଗୋଟିଏ ବସ୍‌ ସହ ସାମ୍ନା ପଟୁ ଆସୁଥିବା ଅଟୋର ଜୋରଦାର ଧକ୍କା ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋଟି ସଂପୂର୍ଣ୍ଣ ଚୂରାମାର ହୋଇ ଯାଇଛି ଓ ଏଥିରେ ଥିବା ୯ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ବୀରଭୂମି ଏସ୍‌ପି ନଗେନ୍ଦ୍ର ନାଥ ତ୍ରିପାଠୀ କହିଛନ୍ତି, ରାମପୁରହାଟ ନିକଟ ମାଲ୍ଲାପୁରଠାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। କ୍ଷମତାଠାରୁ ଅଧିକ ଲୋକ ଅଟୋରେ ଥିଲେ। ଏସବିଏସଟିସିର ଗୋଟିଏ ବସ୍‌ ସହ ଅଟୋର ଧକ୍କା ହେବାରୁ ଏତେବଡ଼ ଦୁର୍ଘଟଣା ଘଟିଛି। ଖବର ପାଇ ଉଦ୍ଧାରକାରୀ ଦଳ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ।

ହେଲେ ସେତେବେଳେକୁ ଅଟୋରେ ଥିବା ୯ ଜଣଙ୍କ ମୃତ୍ୟୁ ହୋଇ ସାରିଥିଲା। ବସ୍‌ର ସାମ୍ନା ପଟେ ଅଟୋଟି ଏତେ ଜୋରରେ ମାଡ଼ ହୋଇଥିଲା ଯେ ଏହାକୁ ବାହାର କରିବା ପାଇଁ ବେଶ କିଛି ସମୟ ପରିଶ୍ରମ କରିବାକୁ ପଡ଼ିଥିଲା। ଅଟୋଟି ସଂପୂର୍ଣ୍ଣ ରୂପେ ଚୂରମାର ହୋଇଯାଇଛି। ଅଟୋରେ ଥିବା ଲୋକମାନେ କ୍ଷେତରେ କାମ ସାରି ନିଜ ଘରକୁ ଫେରୁଥିଲେ। ତେବେ ସେମାନଙ୍କ ପରିଚୟ ମିଳିପାରି ନାହିଁ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।