ହସ୍ପିଟାଲରେ କରୋନା ବିସ୍ଫୋରଣ: ୮୦ ଡାକ୍ତର ସଂକ୍ରମିତ, ବରିଷ୍ଠ ସର୍ଜନ ମୃତ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ହସ୍ପିଟାଲରେ ଭୟଙ୍କର ସଂକ୍ରମଣ। ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ କର୍ମଚାରୀ ଏବେ କରୋନା ପଞ୍ଝାରେ ପଡ଼ିଛନ୍ତି। ଦିଲ୍ଲୀର ସରୋଜ ହସ୍ପିଟାଲର ୮୦ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ଅନ୍ୟମାନେ ରୋଗୀଙ୍କ ସେବା କରିବାକୁ ଭୁଲି ନାହାନ୍ତି।

ଏଠାରେ ଏତେ ସଂଖ୍ୟକ ଡାକ୍ତରଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଜଣେ ବରିଷ୍ଠ ସର୍ଜନ ସଂକ୍ରମିତ ହୋଇ ଆଖି ବୁଜିଛନ୍ତି। ସେ ଏହି ହସ୍ପିଟାଲରେ ଦୀର୍ଘ ଦଶନ୍ଧି ଧରି କାମ କରୁଥିଲେ।

ସୂଚନା ଅନୁସାରେ, ୮୦ ଜଣ ସଂକ୍ରମିତ ଡାକ୍ତରଙ୍କ ମଧ୍ୟରୁ ୧୨ ଜଣ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅର୍ଥାତ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟମାନେ ହୋମ କ୍ୱାରେଣ୍ଟାଇନରେ ରହି ଚିକିତ୍ସିତ ହେଉଛନ୍ତି। କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ବରିଷ୍ଠ ସର୍ଜନ ହେଉଛନ୍ତି ଡା ଏକେ ରାୱତ।

ସେ ୨୭ ବର୍ଷ ଧରି ସରୋଜ ହସ୍ପିଟାଲରେ କାମ କରୁଥିଲେ। ତାଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। କେବଳ ସରୋଜ ହସ୍ପିଟାଲ ନୁହେଁ, ଦିଲ୍ଲୀର ବିଭିନ୍ନ ପ୍ରାନ୍ତରେ ୩୦୦ରୁ ଅଧିକ ଡାକ୍ତର ଓ ପାରାମେଡିକ ଷ୍ଟାଫ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସରୋଜ ହସ୍ପିଟାଲରେ କରୋନା ବ୍ୟାପୀବାରୁ ଓପିଡିକୁ ବନ୍ଦ କରିଦିଆଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।