ଠିକ ସମୟରେ ମିଳିଲାନି ଚିକିତ୍ସା, ବାପା ମା’ଙ୍କ ଆଗରେ ଆଖି ବୁଜିଲେ ୫ ବର୍ଷର ଝିଅ

ଲକ୍ଷ୍ନୌ: ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଉତ୍ତର ପ୍ରଦେଶର ସ୍ୱାସ୍ଥ୍ୟ ସେବା କେତେ ବିପର୍ଯ୍ୟୟ, ତା’ର ଜ୍ୱଳନ୍ତ ଚିତ୍ର ସାମ୍ନାକୁ ଆସିଛି। ଗୁରୁତର ଅସୁସ୍ଥ ଥିବା ଜଣେ ଶିଶୁ କନ୍ୟାକୁ ହସ୍ପିଟାଲରେ ଆଡମିଟ କରିବାକୁ ତାଙ୍କ ବାପା ମା’ ଓ ପରିବାର ଲୋକ ଦୀର୍ଘ ୩ ଘଣ୍ଟା କାଳ ଅକ୍ଳାନ୍ତ ପରିଶ୍ରମ କରିଥିଲେ।

କିନ୍ତୁ ଠିକଣା ସମୟରେ ଚିକିତ୍ସା ନ ମିଳିବାରୁ ବାପା ମା’ଙ୍କ ଆଗରେ ହିଁ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ୫ ବର୍ଷର ଶିଶୁକନ୍ୟା ଜଣଙ୍କ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। ଉତ୍ତର ପ୍ରଦେଶର ଫିରୋଜାବାଦାର ଗୋଟିଏ ସରକାରୀ ହସ୍ପିଟାଲରେ ଏପରି ଅଭାବନୀୟ ଘଟଣା ଘଟିଛି।

ଫିରୋଜାବାଦରେ ଏବେ ସଂଖ୍ୟାଧିକ ଛୋଟ ପିଲା ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଏହି ଖବରକୁ ରିପୋର୍ଟିଂ କରିବାକୁ ଯାଇଥିବା ଜାତୀୟ ଗଣମାଧ୍ୟମ ଏନଟିଭିର ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କ ଆଗରେ ସବୁ କିଛି ଘଟିଛି। ଉକ୍ତ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସବନ୍ୟା ଗୁପ୍ତାଙ୍କୁ ସକାଳ ପ୍ରାୟ ୮ଟା ବେଳେ ହସ୍ପିଟାଲକୁ ଅଣାଯାଇଥିଲା। ଏହି ସମୟରେ ତାଙ୍କ ଅବସ୍ଥା ବେଶ ଗୁରୁତର ଥିଲା।

କିନ୍ତୁ ଡାକ୍ତରଖାନରେ ତାଙ୍କୁ ଆଡମିଟ କରାଇବାକୁ ପରିବାର ଲୋକଙ୍କୁ ବେଶ କସରତ କରିବାକୁ ପଡ଼ିଥିଲା। କେତେବେଳେ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଉପର ମହଲାକୁ ଯିବା ପାଇଁ କହୁଥିବା ବେଳେ ଆଉ କେତେବେଳେ ତଳ ମହଲାକୁ ଯିବା ପାଇଁ ପରାମର୍ଶ ଦେଉଥିଲେ। ସମୟ ବିତିବା ସହ ଶିଶୁକନ୍ୟାଟିର ଶରୀରର ତାପମାତ୍ରା ମଧ୍ୟ ବଢ଼ିବାରେ ଲାଗିଥିଲା।

ଏସବୁ ଭିତରେ ପ୍ରାୟ ୧୧.୩୦ରେ ତାଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଥିଲା। ତେବେ ଆଡମିଟ୍‌ର କିଛି ମିନିଟ୍‌ ମଧ୍ୟରେ ଅର୍ଥାତ ୧୧.୪୦ରେ ଶିଶୁକନ୍ୟାଟି ଜୀବନ ଯୁଦ୍ଧରେ ହାରି ଯାଇଥିଲେ।

ଶିଶୁକନ୍ୟାଙ୍କ ଭାଇ କହିଛନ୍ତି, “ମୋ ଭଉଣୀଙ୍କୁ ଯଦି ଠିକଣା ସମୟରେ ଚିକିତ୍ସା ମିଳିଥାଆନ୍ତା, ତା’ହେଲେ ସେ ଏବେ ସୁରକ୍ଷିତ ରହିଥାଆନ୍ତା। ଆମେ ବାରମ୍ବାର ହସ୍ପିଟାଲର କର୍ମଚାରୀଙ୍କୁ ତା’ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କହିଥିଲୁ। କିନ୍ତୁ ସେମାନେ ଏହାକୁ ଆଦୌ ଧ୍ୟାନ ଦେଇ ନଥିଲେ।”

ଶିଶୁକନ୍ୟାର ଶରୀରର ତାପମାତ୍ରା ବଢ଼ୁଥିଲେ ମଧ୍ୟ ତାଙ୍କୁ ହସ୍ପିଟାଲରେ ଆଡମିଟ୍‌ କରିବାକୁ କର୍ତ୍ତୃପକ୍ଷ ବାରମ୍ବାର ମନା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଶିଶୁକନ୍ୟାର ମୃତଦେହ ପାଖରେ ମର୍ମାହତ ଅବସ୍ଥାରେ ବସି ରହିଥିବା ତାଙ୍କର ଜଣେ ସମ୍ପର୍କୀୟ କହିଛନ୍ତି, “ଡାକ୍ତର କିଛି ବି କଲେନାହିଁ। ସେମାନେ କେବଳ ଟଙ୍କା ଚାହୁଁଥିଲେ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।