ସାଧୁ ବେଶୀ ଡକାୟତ, ଲୁଟିଲେ ୧.୭୫ କୋଟି ଟଙ୍କା ଓ ଅଳଙ୍କାର

ଋଷିକେଶ: ଜଣେ ୪୨୦ ନକଲି ସାଧୁକୁ ଗିରଫ କରିଛି ପୁଲିସ୍। ବ୍ୟକ୍ତି ଜଣଙ୍କ ନିଜକୁ ସାଧୁ ବେଶରେ ସଜାଇ ଜଣେ ସୁନା ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ କୋଟି କୋଟି ମୂଲ୍ୟର ନଗଦ ଟଙ୍କା ଓ ଅଳଙ୍କାର ଲୁଟି ନେଇଥିଲେ। ଏହି ଲୁଟ ଟଙ୍କା ଓ ଅଳଙ୍କାରର ମୂଲ୍ୟ ୧.୭୫ କୋଟି ବୋଲି ପୁଲିସ୍ ଜାଣିବାକୁ ପାଇଛି। ବଡ଼ବଡ଼ ରାଜନେତା ଓ ବ୍ୟକ୍ତିବିଶେଷଙ୍କ ସହ ମଧ୍ୟ ଏହି ନକଲି ସାଧୁର ଲିଙ୍କ ରହିଥିଲା।

ଋଷିକେଶ ଡିଏସପି ଦୀନେଶ ଚନ୍ଦ୍ର ଦୌଣ୍ଡିୟାଲ କହିଛନ୍ତି, ରବିବାର ରାତିରେ ପୁଲିସ୍ ମହେନ୍ଦ୍ର ରୋଡେ ଓରଫ ଯୋଗୀ ପ୍ରିୟବ୍ରତ ଅନିମେଶକୁ ଲାଲ ତାପ୍ପର ଅଞ୍ଚଳରେ ଥିବା ନେଚର ଭିଲ୍ଲାର ୨୧ ନଂ କୋଟେଜରୁ ଗିରଫ କରିଛି। ତା’ ନିକଟରୁ ୧୦ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଜବତ କରାଯାଇଛି।

ଏହି ବ୍ୟକ୍ତି ଜଣଙ୍କ ନିକଟରେ ନିଜର ବହି ମାନସ ମୋତି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ଦ୍ୱାରା ଉଦଘାଟନ କରାଇଥିଲା। ଗିରଫ ପରେ ତା’କୁ କୋର୍ଟରେ ହାଜର କରାଯାଇଥିଲା। ଅଧିକ ପଚରାଉଚରା ପାଇଁ ତା’କୁ ୧୪ ଦିନିଆ ରିମାଣ୍ଡରେ ଅଣାଯାଇଛି।

ନିକଟରେ ଋଷିକେଶର ଜଣେ ସୁନା ବ୍ୟବସାୟୀ ହିତେନ୍ଦ୍ର ପନୱାର ପୁଲିସ୍‌ରେ ଅନିମେଶ ବିରୋଧରେ ଅଭିଯୋଗ କରିଥିଲେ। ଅନିମେଶ ତାଙ୍କ ପତ୍ନୀଙ୍କୁ ନିଜ ଜାଲରେ ଫସାଇ ଓ ନିଜକୁ ସାଧୁର ପରିଚୟ ଦେଇ ସୁନା ଅଳଙ୍କାର ଓ ନଗଦ ଟଙ୍କା ହଡ଼ପ କରି ନେଇଥିଲା।

ଏହାର ମୂଲ୍ୟ ୧.୭୫ କୋଟି ଟଙ୍କା ହେବ ବୋଲି ହିତେନ୍ଦ୍ର ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହିତେନ୍ଦ୍ରଙ୍କ ପତ୍ନୀଙ୍କ ମାନସିକ ସ୍ଥିତି ଠିକ୍ ନଥିବା ବେଳେ ସେ ଚିକିତ୍ସାର ଆବଶ୍ୟକ କରୁଥିଲେ। ଏହାର ଫାଇଦା ନେଇ ଅନିମେଶ ତାଙ୍କୁ ନିଜ ଜାଲରେ ଫସାଇ ଅର୍ଥ ଓ ଅଲଙ୍କାର ହଡ଼ପ କରିଥିଲା।

ପୂର୍ବରୁ ମଧ୍ୟ ହରିଆଣାର କର୍ଣ୍ଣାଲରେ ଅମିନେଶ ନାଁରେ ଏକାଧିକ ମାମଲା ରହିଥିଲା। ଏଥିପାଇଁ ତା’କୁ ୨ ଥର ଜେଲ ଯିବାକୁ ମଧ୍ୟ ପଡ଼ିଥିଲା। ଏବେ ପୁଲିସ୍ ସେ ଲୁଟ କରିଥିବା ଟଙ୍କା ଓ ଅଳଙ୍କାର ଜବତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ଡିଏସପି ଦୀନେଶ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।