ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ଅଧିକାଂଶ ରାଜନୀତିକ ଦଳର ସମର୍ଥନ

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଦୀର୍ଘ ୧୧ମାସ ହେଲା ଆନ୍ଦୋଳନ କରୁଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ୨୭ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ମୋର୍ଚ୍ଚା ପକ୍ଷରୁ ସମଗ୍ର ଦେଶରେ ୨୭ ତାରିଖ ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏ ଏହି ବନ୍ଦ ପାଳନ କରାଯିବ।

ଚାଷୀଙ୍କ ଏହି ବନ୍ଦ ଡାକରାକୁ ବିଭିନ୍ନ ଶ୍ରମିକ ସଂଗଠନ ସହ ରାଜନୀତିକ ଦଳଗୁଡ଼ିକ ସମର୍ଥନ ଘୋଷଣା କରିଛନ୍ତି। କଂଗ୍ରେସ ସମେତ ଦିଲ୍ଲୀ କ୍ଷମତାସୀନ ଆପ, ଟିଡିପି ଓ ଲାଲୁ ପ୍ରସାଦଙ୍କ ଆରଜେଡି ସମର୍ଥନ କରିଛନ୍ତି। ସେମାନେ ମଧ୍ୟ ଚାଷୀଙ୍କ ବନ୍ଦ ଡାକରାକୁ ସଫଳ କରିବେ ବୋଲି କହିଛନ୍ତି।

୨୭ ତାରିଖରେ ସମସ୍ତ ପ୍ରକାରର ପରିବହନ ଓ ମାର୍କେଟ ବନ୍ଦ ରହିବ। ଦେଶରେ ପେଟ୍ରୋଲ, ଡିଜେଲ ଓ ଏଲପିଜି ନିୟମିତ ବଢ଼ୁଥିବାରୁ ଏହା ବିରୋଧରେ ମଧ୍ୟ ଭାରତ ବନ୍ଦ ଦିନ ବିକ୍ଷୋଭ କରାଯିବ। କିଷାନ ମୋର୍ଚ୍ଚା କହିଛି ଯେ ୨୭ ତାରିଖ ଦିନ ସମସ୍ତ ସରକାରୀ ଓ ଘରୋଇ ଅଫିସ ସମେତ ସମସ୍ତ ଶିକ୍ଷାନୁଷ୍ଠାନ, ଶିଳ୍ପକାରଖାନା, ଦୋକାନ ବଜାର, ସମସ୍ତ ସାଧାରଣ ସଭା ଓ କାର୍ଯ୍ୟ ବନ୍ଦ ରହିବ।

ସାଧାରଣ ଓ ଘରୋଇ ପରିବହନ ସେବାକୁ ମଧ୍ୟ ବନ୍ଦ କରାଯିବ। ଭାରତ ବନ୍ଦରେ ବିଭିନ୍ନ ଓକିଲ ସଂଘ, ଶ୍ରମିକ ସଂଘ ଓ ଛାତ୍ର ସଂଘ ସାମିଲ ହେବେ ବୋଲି ଆଶା କରାଯାଉଛି। ତେବେ ବନ୍ଦ ସମୟରେ ସମସ୍ତ ଜରୁରୀ କାଳୀନ ସେବା ଓ ପ୍ରତିଷ୍ଠାନ ଚାଲୁ ରହିବ।

ହସ୍ପିଟାଲ, ଔଷଧ ଦୋକାନ, ରିଲିଫ ଓ ଉଦ୍ଧାର କାର୍ଯ୍ୟରେ କେହି ବି ବାଧା ଦେବନି। ଜରୁରୀ କାମରେ ନିୟୋଜିତ ଲୋକଙ୍କୁ ମଧ୍ୟ ନିଜ କାର୍ଯ୍ୟାଳୟକୁ ଯାଇ ପାରିବେ। ଭାରତ ବନ୍ଦ ସଂପୂର୍ଣ୍ଣ ସ୍ୱେଚ୍ଛାକୃତ ଓ ଶାନ୍ତିପୂର୍ଣ୍ଣ ଭାବେ କରାଯିବ ବୋଲି ମୋର୍ଚ୍ଚା କହିଛି।


ଆପ ପକ୍ଷରୁ ଭାରତ ବନ୍ଦ ଡାକରାକୁ ସମର୍ଥନ କରି ଗୋଟିଏ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ “ବିଜେପି ଓ କଂଗ୍ରେସ ତାନଶାହ ନୀତି ଆପଣାଇ ଅନ୍ନଦାତାଙ୍କ ସ୍ୱର ଚାପି ଦେବାକୁ ଚେଷ୍ଟା କରୁଛନ୍ତି। ବିଜେପି ନିଜର ଏକ ଚାଟିଆ ନିଷ୍ପତ୍ତି ପାଇଁ ବହୁମୂଲ୍ୟ ଦେବ।”

ଆରଜେଡି ମଧ୍ୟ ଭାରତ ବନ୍ଦକୁ ସମର୍ଥନ କରିଛି। ଏଥିସହ ନିଜର କର୍ମୀମାନଙ୍କୁ ଭାରତ ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛି। ଟିଡିପି ପକ୍ଷରୁ ନିଜର ନେତା ଓ କର୍ମୀଙ୍କୁ ବନ୍ଦରେ ସାମିଲ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ସଂସଦରେ ଟିଡିପି କୃଷି ବିଲ୍‌କୁ ବିରୋଧ କରିଥିଲା ଓ କେନ୍ଦ୍ର ସରକାରଙ୍କୁ ଏହା ଉପରେ ବିଚାର କରିବାକୁ କହିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।