ଘରେ ସିବିଆଇ ଜେରାର ସମ୍ମୁଖୀନ ହେବେ ଅଭିଷେକ ବାନାର୍ଜୀଙ୍କ ପତ୍ନୀ

ରବିବାର ରୁଜିରାଙ୍କୁ ନୋଟିସ ଦେବାକୁ ସିବିଆଇ ତାଙ୍କ ଘରକୁ ଯାଇଥିଲା। ହେଲେ ସେତେବେଳେ ସେ ଘରେ ଉପସ୍ଥିତ ନଥିଲେ।

କୋଲକାତା: କୋଇଲା ଚୋରା ଚାଲାଣ ଦୁର୍ନୀତି ଅଭିଯୋଗରେ ଫସିଥିବା ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଷେକଙ୍କ ପତ୍ନୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କୁ ସିବିଆଇ ଏହି ଦୁର୍ନୀତି ଘଟଣାରେ ହାଜର ହେବାକୁ ସମନ କରିଥିଲା। ତେବେ ଅଭିଷେକଙ୍କ ପତ୍ନୀ ରୁଜିରା ସିବିଆଇକୁ ତାଙ୍କ ଘରକୁ ଆସି ଜେରା କରିବାକୁ ଅନୁରୋଧ କରିଥିଲେ। ସିବିଆଇ ତାଙ୍କ ଆବେଦନକୁ ଗ୍ରହଣ କରିଛି ଓ ମଙ୍ଗଳବାର ତାଙ୍କୁ ଜେରା କରିବ ବୋଲି ଜଣାପଡ଼ିଛି।

ରବିବାର ରୁଜିରାଙ୍କୁ ନୋଟିସ ଦେବାକୁ ସିବିଆଇ ତାଙ୍କ ଘରକୁ ଯାଇଥିଲା। ହେଲେ ସେତେବେଳେ ସେ ଘରେ ଉପସ୍ଥିତ ନଥିଲେ। ତାଙ୍କ ଘର ପାଖରେ ଛିଡ଼ା ହୋଇ ସିବିଆଇ ଅଧିକାରୀ ରୁଜିରାଙ୍କୁ ଫୋନ କରିଥିଲେ। ଫୋନରେ କଥାବାର୍ତ୍ତା ହୋଇଥିଲା। ରବିବାର ହିଁ ସିବିଆଇ ତାଙ୍କୁ ପଚରାଉଚରା କରିବାକୁ ଚାହିଁଥିଲା। କିନ୍ତୁ ସିବିଆଇ ନୋଟିସ୍‌ର ଜବାବ ସେ ସୋମବାର ଦେଇଥିଲେ।

ଏଥିସହ ମଙ୍ଗଳବାର ଦିନ ୧୧ଟାରୁ ୩ଟା ମଧ୍ୟରେ କୋଲକାତା ସ୍ଥିତ ବାସଭବନକୁ ଆସି ପଚରାଉଚରା କରିବାକୁ ଅନୁରୋଧ କରିଥିଲେ। ସିବିଆଇ ତାଙ୍କ ଅନୁରୋଧକୁ ଗ୍ରହଣ କରିନେଇଛି। ରୁଜିରା କହିଛନ୍ତି ଯେ “ସିବିଆଇ ମୋତେ କେଉଁ ବିଷୟରେ ପଚାରିବ, ସେକଥା ମୁଁ ଜାଣିନାହିଁ। ମୋ ଘରକୁ ଆସିବା ପୂର୍ବରୁ ସିବିଆଇ ଦୟାକରି ସମୟ କହିବା ଦରକାର।”

କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ଶୁକ୍ରବାର ପଶ୍ଚିମବଙ୍ଗର ପୁରୁଲିଆ, ବଙ୍କୁରା, ପଶ୍ଚିମବର୍ଦ୍ଧମାନ ଓ କୋଲକାତାର ୧୩ଟି ସ୍ଥାନରେ ରେଡ କରିଥିଲା। ଅମୟ ଷ୍ଟିଲ ପ୍ରାଃଲିଃ ପରିସରରେ ବି ସିବିଆଇ ଟିମ ଯାଞ୍ଚ କରିଥିଲା। ପୂରା କୋଇଲା ଚାଲାଣର କିଙ୍ଗ ପିନ୍‌ ହେଉଛି ଅନୁପ ମାନଝୀ। ତାଙ୍କ ଡେପୁଟି କୁହାଯାଉଥିବା ଜୟଦେବ ମଣ୍ଡଳଙ୍କ ଠିକଣାରେ ସିବିଆଇ ଧରପଗଡ଼ ଆରମ୍ଭ କରିଛି। ଘଟଣାର ତଦନ୍ତ ବେଳେ ସିବିଆଇ ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କ ଭୂମିକା ବିଷୟରେ ଜାଣିବାକୁ ପାଇଥିଲା। ଏହି କାରଣରୁ ତାଙ୍କୁ ଜେରା କରିବାକୁ ସିବିଆଇ ନୋଟିସ୍‌ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।