୮୩ ବର୍ଷୀୟ ସାମାଜିକ କର୍ମୀଙ୍କୁ ମିଳିଲାନି ଜାମିନ, ଅକ୍ଟୋବରରୁ ଜେଲରେ ଅଛନ୍ତି

ମୁମ୍ବାଇ: ଭୀମା କୋରେଗାଁଓ ଦଙ୍ଗା ମାମଲାରେ ଗିରଫ ହୋଇଥିବା ୮୩ ବର୍ଷୀୟ ସାମାଜିକ କର୍ମୀ ଫାଦର ଷ୍ଟନ ସ୍ୱାମୀଙ୍କୁ ସ୍ୱତନ୍ତ୍ର ଏନଆଇଏ କୋର୍ଟ ଜାମିନ ଦେବାକୁ ମନା କରିଦେଇଛନ୍ତି। ତାଙ୍କୁ ଗତବର୍ଷ ଅକ୍ଟୋବର ମାସରେ ଏନଆଇଏ ଓ ମହାରାଷ୍ଟ୍ର ପୁଲିସ୍‌ ଏଲଗାର ପରିଷଦ-ମାଓବାଦୀ ଲିଙ୍କରେ ଗିରଫ କରିଥିଲା।

ସେବେଠାରୁ ସେ ନାଭି ମୁମ୍ବାଇର ତଲୋଜା ସେଣ୍ଟ୍ରାଲ ଜେଲ୍‌ରେ ରହିଛନ୍ତି। ଆଜି ଅଧିକ ବୟସ ଓ ସ୍ୱାସ୍ଥ୍ୟଗତ କାରଣରୁ ସେ ଜାମିନ ଆବେଦନ କରିଥିଲେ। ହେଲେ ଆଡିସନାଲ ସେସନ୍ସ କୋର୍ଟ ବିଚାରପତି ଡିକେ କୋଥାଲିକର ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି।

ଓକିଲଙ୍କ କହିବା ଅନୁଯାୟୀ, ଷ୍ଟନ ସ୍ୱାମୀ ପାର୍କିସନ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେ ଦୁଇଟି ଯାକ କାନରେ ଆଉ ଶୁଣି ପାରୁନାହାନ୍ତି। ଏଥିସହ ଆହୁରି ଅନେକ ପ୍ରକାରର ରୋଗ ତାଙ୍କୁ ଆକ୍ରାନ୍ତ କଲାଣି। ତେଣୁ ତାଙ୍କୁ ଜାମିନ ଦେବାକୁ ଆବେଦନ କରାଯାଇଥିଲା। କିନ୍ତୁ ଏନଆଇଏ ଏହାକୁ ବିରୋଧ କରିଥିଲା। ଷ୍ଟନ ସ୍ୱାମୀ ଏମିତି କିଛି ସଂଗଠନ ସହ ସମ୍ପର୍କ ରଖିଛନ୍ତି, ଯେଉଁମାନେ ସିପିଆଇ(ମାଓବାଦୀ)ର ସହଯୋଗୀ ଭାବେ କାର୍ଯ୍ୟ କରୁଛନ୍ତି। ଏପରି ସ୍ଥିତିରେ ତାଙ୍କୁ ଜାମିନ ଦେବା ଠିକ୍‌ ନହେଁ ବୋଲି ଏନଆଇଏ କହିଥିଲା।

୨୦୧୮ ଭୀମା କୋରେଗାଓଁ ହିଂସା ଘଟଣାରେ ଷ୍ଟନ ସ୍ୱାମୀ ସାମିଲ ଥିବା ଏନଆଇ ବାରମ୍ବାର କହି ଆସୁଛି। ହେଲେ ଆଦିବାସୀଙ୍କ ଅଧିକାର ପାଇଁ ଷ୍ଟନ ସ୍ୱାମୀ ଲଢେଇ କରି ବେଶ ଖ୍ୟାତି ଅର୍ଜନ କରିଛନ୍ତି। ୧୯୯୬ରେ ୟୁରାନିୟମ୍ କର୍ପୋରେସନ୍ ଇଣ୍ଡିଆ ଲିମିଟେଡ୍ ବିରୋଧରେ ସେ ଅଭିଯାନ ଆରମ୍ଭ କରିଥିଲେ। ସେ ବିସ୍ଥାପିତ ଲୋକଙ୍କ ଅଧିକାର ପାଇଁ କାର୍ଯ୍ୟ କରିଆସୁଛନ୍ତି।

ଏନଆଇଏର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ ସ୍ୱାମୀ ସିପିଆଇ (ମାଓବାଦୀ)ର ସଦସ୍ୟ ଓ ସେ ସଂଗଠନର ବେଆଇନ କାର୍ଯ୍ୟରେ ସାମିଲ ଥିଲେ। ସିପିଆଇ (ମାଓବାଦୀ) କାର୍ଯ୍ୟକଳାପକୁ ଆଗକୁ ନେବା ପାଇଁ ସେ ଜଣେ ସହଯୋଗୀଙ୍କ ମାଧ୍ୟମରେ ଅର୍ଥ ମଧ୍ୟ ପାଉଥିଲେ। ସିପିଆଇ (ମାଓବାଦୀ)ର ବେଆଇନ୍ ପ୍ରଚାର ସାମଗ୍ରୀ ତାଙ୍କ ନିକଟରୁ ଜବତ କରାଯାଇଛି।

ଗିରଫ କରିବା ପୂର୍ବରୁ ସ୍ୱାମୀଙ୍କୁ ଏନଆଇଏ ବାରମ୍ବାର ଜେରା କରିଥିଲା। ଏପରି କି ତାଙ୍କୁ ଗୋଟିଏ ଦିନ ପ୍ରାୟ ୧୫ ଘଣ୍ଟା ଧରି ଏନଆଇଏ ଅଧିକାରୀ ପଚରାଉଚରା କରିଥିଲେ। ସ୍ୱାମୀ ଗିରଫ ହେବା ପୂର୍ବରୁ କହିଥିଲେ ଯେ କମ୍ପ୍ୟୁଟର୍‌ରେ ଜାଲିଆତି କରି ତାଙ୍କୁ ଫସା ଯାଇଛି। ସେ କେବେ ହେଲେ ଭୀମା କୋରେଗାଁଓକୁ ଯାଇନାହାନ୍ତି। ତଥାପି ୨୦୧୭ ଡିସେମ୍ବର ୩୧ ଦଙ୍ଗା ଘଟଣାରେ ତାଙ୍କୁ ଫସାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।