ବିଜେପିରେ ମିଶିଲେ ରାମାୟଣର ରାମ

ନୂଆଦିଲ୍ଲୀ: ଜଣାଶୁଣା ଟିଭି ସିରିୟଲ୍ ରାମାୟଣରେ ରାମ ଭୂମିକା ତୁଲାଇଥିବା ଅଭିନେତା ଅରୁଣ ଗୋଭିଲ୍ ବିଜେପିରେ ସାମିଲ ହୋଇଛନ୍ତି। ୫ ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅରୁଣ ଗୋଭିଲଙ୍କ ବିଜେପିର ସାମିଲ ହେବା ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି। ଅରୁଣ ଗୋଭିଲ ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟରେ ପାର୍ଟି ସଦସ୍ୟତା ପଦ ଗ୍ରହଣ କରଛନ୍ତି। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଉପସ୍ଥିତ ଥିଲେ।

ଗତ ବର୍ଷ ଲକଡାଉନ୍ ଜାରି ହେବା ପରେ କେନ୍ଦ୍ର ସରକାର ଦୂରଦର୍ଶନରେ ରାମାୟଣ ସିରିୟଲର ପୁଣିଥରେ ପ୍ରସାରଣ ଆରମ୍ଭ କରିଥିଲା। ଲକଡାଉନରେ ଲୋକେ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରିଥିଲେ। ଏହା ପରଠାରୁ ଗୋଭିଲଙ୍କର ରାଜନୀତିକୁ ଆସିବା ନେଇ ଖୁବ୍ ଚର୍ଚ୍ଚା ହେଉଥିଲା।

ଦେଶରେ ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ଏହାରି ଭିତରେ ଅରୁଣ ଗୋଭିଲ୍ ବିଜେପିରେ ସାମିଲ୍ ହୋଇଛନ୍ତି। ଯଦିଓ ସେ ଦଳରେ ସାମିଲ୍ ହୋଇଛନ୍ତି ହେଲେ ତାଙ୍କର ଭୂମିକା କଣ ରହିବ ସ୍ପଷ୍ଟ ହୋଇନାହିଁ। ଏବେ ସେ ବିଜେପିରେ ସାମିଲ ହେବା ପରେ ଗୋଭିଲ ପଶ୍ଚିମ ବଙ୍ଗରେ ପାର୍ଟି ପାଇଁ ପ୍ରଚାର କରିପାରନ୍ତି। କାରଣ ଏହି ରାଜ୍ୟରେ ବିଜେପି ‘ଜୟଶ୍ରୀରାମ’ ନାରା ଦେଇ ମମତା ସରକାର ବିରୋଧରେ ନିର୍ବାଚନୀ ହୁଙ୍କାର ଭରୁଛି।

୬୩ ବର୍ଷୀୟ ଅରୁଣ ଗୋଭିଲ ୧୨ ଜାନୁଆରୀ ୧୯୫୮ ରେ ମେରୁଟରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଦୀର୍ଘଦିନର ଅଭିନୟ କ୍ୟାରିୟରରେ ଗୋଭିଲ ରାମାୟଣ ବ୍ୟତୀତ ଅନେକ ଟିଭି ସିରିଏଲ ଏବଂ ଚଳଚ୍ଚିତ୍ରରେ କାମ କରିଛନ୍ତି। ତାଙ୍କୁ ବିକ୍ରମ ଏବଂ ବେତାଳ, ଲୁବ କୁଶ, ବୁଦ୍ଧ ଇତ୍ୟାଦିରେ ଦେଖିବାକୁ ମିଳିଥିଲା। ଏହା ସହିତ ସେ ପହେଲି, ସାୱାନ୍ ଇତ୍ୟାଦି ଚଳଚ୍ଚିତ୍ରରେ ମଧ୍ୟ ସେ କାମ କରିଥିଲେ।

ସେତେବେଳେ ରାମାୟଣ ସିରିଏଲ ଏତେ ଲୋକପ୍ରିୟ ହୋଇଥିଲା ଯେ ଲୋକମାନେ ପ୍ରଭୁ ରାମଙ୍କ ପରି ଅରୁଣ ଗୋଭିଲଙ୍କୁ ସମ୍ମାନ ଦେବା ଆରମ୍ଭ କରିଥିଲେ। ଏବେ ଯେତେବେଳେ କରୋନା ମହାମାରୀରେ ତାଲା ପଡ଼ିଥିଲା, ରାମାୟଣ ପୁଣିଥରେ ଟିଭିରେ ପ୍ରସାରିତ ହୋଇଥିଲା। ଏହି ଧାରାବାହିକ’ରେ ଦୀପିକା ଚିଖାଲିଆ ସୀତା ଭୂମିକାରେ ଅଭିନୟ କରିଥିଲେ। ଦୀପିକା ପୂର୍ବରୁ ବିଜେପିରେ ସାମିଲ୍ ହୋଇସାରିଛନ୍ତି। ସେ ଦୁଇଥର ସଂସଦକୁ ନିର୍ବାଚିତ ହୋଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।