ଟିକେଟ୍ ନମିଳିବାରୁ ଟିଏମସି ଛାଡ଼ିଲେ ଅଭିନେତ୍ରୀ ଦେବଶ୍ରୀ ରୟ

କୋଲକାତା: ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ଦେବଶ୍ରୀ ରୟ ଆଜି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିକୁ ବାଏବାଏ କହିଛନ୍ତି। ଟିଏମସି ଟିକେଟରୁ ଦୁଇ ଥର ବିଧାୟକ ହୋଇଥିବା ଦେବଶ୍ରୀଙ୍କୁ ଏଥର ଦଳ ବିଧାନସଭା ନିର୍ବାଚନ ଲଢ଼ିବାକୁ ପ୍ରାର୍ଥୀ କରିନାହିଁ। ଏହି କାରଣରୁ ସେ ଦଳ ସହ ସବୁ ସମ୍ପର୍କଚ୍ଛିନ୍ନ କରିଛନ୍ତି। ୫୯ ବର୍ଷୀୟ ଦେବଶ୍ରୀ ଦଳ ଉଦ୍ଦେଶ୍ୟରେ ଚିଠି ଲେଖି ଟିଏମସିରୁ ଇସ୍ତଫା ଦେଇଛନ୍ତି।

ସେ ଟିଏମସିର ବେଙ୍ଗଲ ମୁଖ୍ୟ ସୁବ୍ରତ ବକ୍ସିଙ୍କୁ ଚିଠି ଲେଖି କହିଛନ୍ତି, “ଯେହେତୁ ମୁଁ ଦଳର କୌଣସି ପଦପଦବୀ ନାହିଁ, ତେଣୁ ମୁଁ ଚିଠି ଲେଖି ଦଳର ସବୁ ନେତାମାନଙ୍କୁ ଜଣାଇ ଦେଉଛି ଯେ ଏବେଠାରୁ ଆଉ ଟିଏମସିରେ ମୁଁ ରହିବାର କୌଣସି ଆବଶ୍ୟକ ନାହିଁ।”

ଦୀର୍ଘ ଦିନ ହେଲାଣି ଦେବଶ୍ରୀ ଦଳରେ ଅଣଦେଖା ହୋଇ ରହିଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁ ନଥିଲା। ଏବେ ତାଙ୍କୁ ଦଳ ଟିକେଟ ମଧ୍ୟ ଦେଇନାହିଁ। ସେ ଦକ୍ଷିଣ ୨୪ ପ୍ରଗଣାର ରାଇଡିଘିରୁ ଦୁଇଥର ଟିଏମସି ଟିକେଟରୁ ବିଜୟୀ ହୋଇଥିଲେ। ଏବେ ଅନ୍ୟମାନଙ୍କ ଭଳି ବିଜେପିରେ ମିଶିବେ କି ପ୍ରଶ୍ନର ଉତ୍ତର ଦେଇ ଦେବଶ୍ରୀ କହିଛନ୍ତି, “ଏବେ ମୁଁ ମୋ ଆକ୍ଟିଂ ପ୍ରୋଜେକ୍ଟକୁ ଶେଷ କରିବାକୁ ଚାହିଁବି। ଏହାପରେ ଯଦି ଭଲ ପ୍ରସ୍ତାବ ଆସିବ, ତା’ହେଲେ ମୁଁ ଏହା ଉପରେ ବିଚାର କରିବି।”

୨୦୧୯ରେ ମଧ୍ୟ ଦେବଶ୍ରୀ ବିଜେପିରେ ମିଶିବା ପାଇଁ ନିଷ୍ପତ୍ତି ନେଇ ସାରିଥିଲେ। ଏପରି ତାଙ୍କୁ ବିଜେପି କାର୍ଯ୍ୟାଳୟରେ ମଧ୍ୟ ଦେଖିବାକୁ ମିଳିଥିଲା। ହେଲେ ଟିଏମସି ଛାଡ଼ି ସେହି ସମୟରେ ବିଜେପିରେ ମିଶିଥିବା ସୋଭନ ଚାଟାର୍ଜୀ ଓ ତାଙ୍କ ବନ୍ଧୁ ବୈଶାଖୀ ଏଥିରେ ବାଧା ସୃଷ୍ଟି କରିଥିଲେ।

ସେମାନେ ବିଜେପି ନେତାମାନଙ୍କୁ କହି ଦେବଶ୍ରୀଙ୍କ ପଦ୍ମ ଧରିବା ଆଶାରେ ପାଣି ପକାଇ ଦେଇଥିଲେ। ଏବେ ସୋଭନ ଟିକେଟ ନ ମିଳିବାରୁ ରବିବାର ବିଜେପି ଛାଡ଼ି ଦେଇଛନ୍ତି। ତେଣୁ ଦେବଶ୍ରୀଙ୍କ ବିଜେପିରେ ମିଶିବା ସାମାନ୍ୟ ସହଜ ହେବ ବୋଲି ଆଶା କରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।