ବିଜେପି-ଏଆଇଏଡିଏମକେ ମେଣ୍ଟକୁ ବାଏବାଏ କହିଲେ ଅଭିନେତା ବିଜୟକାନ୍ତ

ଚେନ୍ନାଇ: ନିର୍ବାଚନ ପୂର୍ବରୁ ବିଜେପି-ଏଆଇଏଡିଏମକେ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ପୂର୍ବରୁ ବିଜେପି-ଏଆଇଏଡିଏମକେ ସହ ମିଶି ତାମିଲନାଡୁ ବିଧାନସଭା ନିର୍ବାଚନ ଲଢ଼ିବାକୁ ମନସ୍ତ କରିଥିବା ଅଭିନେତା ବିଜୟକାନ୍ତଙ୍କ ଡିଏମଡିକେ ଏବେ ୟୁ-ଟର୍ଣ୍ଣ ନେଇଛି। ଆସନ ବୁଝାମଣାକୁ ନେଇ ଅଙ୍କ ନଛିଡ଼ିବାରୁ ଡିଏମଡିକେ ଆଜି ବିଜେପି-ଏଆଇଏଡିଏମକେ ମେଣ୍ଟରୁ ଓହରି ଯାଇଛି।

ଆସନ ବୁଝାମଣା ପାଇଁ ଡିଏମଡିକେର ନେତାମାନଙ୍କ ସହ ଏଆଇଏଡିଏମକେ ୩ଥର ବୈଠକ କରିଥିଲା। ସେମାନେ ଅଧିକ ଆସନ ମାଗିଥିଲେ ହେଁ ଏଆଇଏଡିଏମକେ ନିଜ ଜିଦରେ ଅଟଳ ରହିଥିଲା। ଏଥିରେ କ୍ଷୁବ୍ଧ ହୋଇ ବିଜୟକାନ୍ତଙ୍କ ଡିଏମଡିକେ ମେଣ୍ଟକୁ ବାଏବାଏ କହିଛି।

ତାମିଲନାଡୁର ୨୩୪ଟି ବିଧାନସଭା ଆସନ ପାଇଁ ଏପ୍ରିଲ ୬ରେ ଭୋଟିଂ ହେବ। ସେହିପରି ମେ’ ୨ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏଆଇଏଡିଏମକେ ପ୍ରଥମଥର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଅବର୍ତ୍ତମାନରେ କୌଣସି ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛି। ଏହା ଦଳର ଭବିଷ୍ୟତକୁ କେଉଁ ଆଡ଼େ ନେଉଛି, ତା’ ଉପରେ ସମସ୍ତଙ୍କ ନଜର।

ଗତ ସପ୍ତାହରେ ଏଆଇଏଡିଏମକେ ସହଯୋଗୀ ବିଜେପିକୁ ୨୩୪ଟି ଆସନରୁ ୨୦ଟି ଓ ଆଞ୍ଚଳିକ ଦଳ ପିଏମକେକୁ ୨୩ଟି ଆସନ ଦେଇଥିଲା। ବାକି ଆସନରୁ ଦଳ ଡିଏମଡିକେକୁ କିଛି ଦେଇଥାଆନ୍ତା। ହେଲେ ଅଳ୍ପ ଆସନରେ ବିଜୟକାନ୍ତ ସନ୍ତୁଷ୍ଟ ନ ହୋଇ ମେଣ୍ଟକୁ ବାଏବାଏ କହିଛନ୍ତି।

୨୦୧୪ ଲୋକସଭା ନିର୍ବାଚନରେ ରାଜ୍ୟର ୩୯ଟି ଲୋକସଭା ଆସନରୁ ଏଆଇଏଡିଏମକେ ୩୭ଟିରେ ଜିତିଥିଲା। ଏହି ସମୟରେ ବିଜୟକାନ୍ତଙ୍କ ଦଳ ମାତ୍ର ୫.୧% ଭୋଟ ପାଇଥିଲା ଓ ଗୋଟିଏ ବି ଆସନ ଜିତି ପାରି ନଥିଲା। ୨୦୧୯ ଲୋକସଭା ନିର୍ବାଚନରେ ସବୁକିଛି ବଦଳି ଯାଇଥିଲା। ମୁଖ୍ୟ ବିରୋଧୀ ଦଳ ଡିଏମକେ ୩୮ଟି ଆସନ ଦଖଲ କରିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।