NDTVକୁ କିଣିବାକୁ ଯାଉଛି ଆଦାନୀ ଗ୍ରୁପ୍‌

ନୂଆଦିଲ୍ଲୀ: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ନେତୃତ୍ୱରେ ଚାଲିଥିବା ଆଦାନୀ ଗ୍ରୁପ୍ ଏବେ ମିଡିଆ ଜଗତରେ ପ୍ରବେଶ କରିଛି। ମଙ୍ଗଳବାର ଜାତୀୟ ଗଣମାଧ୍ୟମ ନୂଆଦିଲ୍ଲୀ ଟେଲିଭିଜନ ଲିଃ(NDTV)ର ୨୯.୧୮% ଅଂଶଧନକୁ ଆଦାନୀ ଗ୍ରୁପ ପରୋକ୍ଷରେ କିଣି ନେଇଛି। ଏଥିସହ ଏବେ କମ୍ପାନୀ ଆଉ ୨୬% ଅଂଶଧନ କିଣିବ ବୋଲି ଘୋଷଣା କରିଛି। ଯଦି ଆଦାନୀ ଗ୍ରୁପ୍‌ ଉକ୍ତ ୨୬% ଅଂଶଧନ କିଣି ନେବ, ତା’ହେଲେ NDTVର ମାଲିକାନା ୫୫% ଅଂଶଧନ ସହ ଆଦାନୀ ଗ୍ରୁପ୍‌ ହାତକୁ ଚାଲିଯିବ।

ମଙ୍ଗଳବାର ଆଦାନୀ ଗ୍ରୁପର ଏଏମଜି ମିଡିଆ ନେଟୱର୍କର ସହାୟତାରେ ପରିଚାଳିତ ଭିସିପିଏଲ୍ ମାଧ୍ୟମରେ ଏନଡିଟିଭିର ପ୍ରମୋଟର ଆରଆରପି ହୋଲଡିଂ ପ୍ରାଇଭେଟ ଲିମିଟେଡରେ ୯୯.୯୯% ଅଂଶଧନ କିଣି ନେଇଛି। ଏହି ଆରଆରପି ହୋଲଡିଂ ପ୍ରାଇଭେଟ ମିଡିଆ ହାଉସ୍ NDTVର ୨୯.୧୮% ଅଂଶଧନ ରଖିଥିଲା। ତେଣୁ ପରୋକ୍ଷ ଭାବେ ଏଏମଜି ମିଡିଆ ନେଟୱର୍କ ଏନଡିଟିଭିର ୨୯.୧୮% ଅଂଶଧନ ହାସଲ କରିଛି।

ଏହାବାଦ ଏନଡିଟିଭିର ଅତିରିକ୍ତ ୨୬% ଅଂଶଧନ କିଣିବାକୁ ମଧ୍ୟ ଆଦାନୀ ଗ୍ରୁପ୍ ଘୋଷଣା କରିଛି। ଶେୟାର ପିଛା ୨୯୪ ଟଙ୍କା ଲେଖାଏ ଦେବାକୁ vishvapradhan Commercial Pvt Ltd ସହ AMG Media Networks and Adani Enterprises Ltd ମିଳିତ ଭାବେ ଏପରି ଅଫର ଦେଇଛନ୍ତି। ସେମାନେ NDTVର ୧,୬୭,୬୨,୫୩୦ ପୂର୍ଣ୍ଣ ଦେୟ ଇକ୍ୟୁଟି ଶେୟାର କିଣିବାକୁ ଲକ୍ଷ୍ୟ ରଖିଛନ୍ତି।

ଆଦାନୀ ଗ୍ରୁପ୍‌ ଏନଡିଟିଭିକୁ କିଣିବାକୁ ଯାଉଥିବା ବିବୃତି ଜାରି ହେବା ପୂର୍ବରୁ ହିଁ କମ୍ପାନୀ ତରଫରୁ ଆରଆରପିଆର ଟିମ୍‌ ଅଂଶଧନ କ୍ରୟ ସମ୍ପର୍କିତ କାଗଜପତ୍ର ଓ ଟଙ୍କା ଦିଆଯାଇ ସାରିଥିଲା।


ଆଦାନୀ ଗ୍ରୁପ୍‌ ତା’ର ବିବୃତିରେ କହିଛି ଯେ ଦେଶର ଅନ୍ୟତମ ଲିଡିଂ ମିଡିଆ ହାଉସ ହେଉଛି ଏନଡିଟିଭି। ଦୀର୍ଘ ୩ ଦଶନ୍ଧି ହେଲାଣି ଏନଡିଟିଭି ବିଶ୍ୱସନୀୟ ଖବର ପ୍ରକାଶ କରି ଆସୁଛି। କମ୍ପାନୀ ୩ଟି ଜାତୀୟ ଚ୍ୟାନେଲ NDTV 24×7, NDTVIndia ଓ NDTVProfit ଚଲାଉଛି। ବିଭିନ୍ନ ସୋଶାଲ ମିଡିଆରେ ଏହାର ଅନୁଗାମୀଙ୍କ ସଂଖ୍ୟା ଅଧିକ ରହିଛି। ୩୫ ମିଲିୟନରୁ ଅଧିକ ଲୋକ ସୋଶାଲ ମିଡିଆରେ କମ୍ପାନୀକୁ ଅନୁସରଣ କରୁଛନ୍ତି। ତେଣୁ ଏନଡିଟିଭିକୁ କିଣିବା ମିଡିଆ କ୍ଷେତ୍ରରେ ଏଏମଏନଏଲର ଯାତ୍ରାକୁ ଅଧିକ ସହଜ କରିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।