୧୬୯ ଦିନ ପରେ ହଟିଲେ ଆନ୍ଦୋଳନକାରୀ ଚାଷୀ

ଅମୃତସର: କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ୧୬୯ ଦିନ ହେବ ରେଳ ଧାରଣାରେ ବସିଥିଲେ ଆନ୍ଦୋଳନରତ ଚାଷୀ। ଗୁରୁବାର ଆନ୍ଦୋଳନକାରୀ ରେଳ ଧାରଣାରୁ ହଟିଥିବା ଜଣାପଡ଼ିଛି। କିଷାନ ମଜଦୁର ସଂଘର୍ଶ ସମିତିର ନେତା ସବିନ୍ଦର ସିଂହ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମସ୍ତ ଆନ୍ଦୋଳନକାରୀ ଚାଷୀ ସଂଗଠନ ସହ ଆଲୋଚନା କରିବା ପରେ ଅମୃତସର-ଦିଲ୍ଲୀ ରେଳଧାରଣାରୁ ଓହରିବାକୁ ନିଷ୍ପତ୍ତି ନେଇଛୁ। ରେଳ ଧାରଣାରେ ବସିଥିବାରୁ ପରିବହନ ସେବା ବନ୍ଦ ରହିଥିଲା, ତେଣୁ ବ୍ୟବସାୟୀ ମାନେ କ୍ଷତି ସହୁଥିଲେ। ଏବେ ଏହାକୁ ନଜରରେ ରଖି ରେଳ ରାସ୍ତାରୁ ଓହରିବାକୁ ନିଷ୍ପତ୍ତି ନେଇଛୁ ବୋଲି ଆନ୍ଦୋଳନକାରୀ ଚାଷୀ ନେତା କହିଛନ୍ତି।

ପଞ୍ଜାବର ଅମୃତସର ରେଲଓ୍ୱେ ଷ୍ଟେସନରୁ ୨୫ କିଲୋମିଟର ଦୂରରେ ରହିଛି ଜନ୍ଦିଆଲା ଗୁରୁ ରେଳ ଷ୍ଟେସନ। ଏହି ରେଳ ଷ୍ଟେସନ ପାଖରେ ଥିବା ଦେବିଦାସପୁରରେ ଚାଷୀ ମାନେ ଧାରଣାରେ ବସିଥିଲେ। ଆନ୍ଦୋଳନରୁ ଓହରିବା ପରେ ଚାଷୀ ନେତା ସବିନ୍ଦର ସିଂହ କହିଛନ୍ତି, ଚାଷୀ କେବଳ ରେଳ ଯାତ୍ରୀଙ୍କୁ ରୋକିବାକୁ ନିଷ୍ପତ୍ତି ନେଇଥିଲେ। କେନ୍ଦ୍ର ସରକାର କିନ୍ତୁ ମାଲ ପରିବହନ ଗାଡ଼ି ମଧ୍ୟ ଅଟକାଇ ଦେଇଥିଲା। ଏହାଦ୍ୱାରା ଚାଷୀ, ବ୍ୟବସାୟୀ ଏବଂ ଉଦ୍ୟୋଗପତୀ କ୍ଷତି ସହୁଥିଲେ। ଏବେର ସ୍ଥିତିକୁ ଦେଖି ଚାଷୀମାନେ ସର୍ବସମ୍ମତିକ୍ରମେ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।

ଚାଷୀ ମାନେ ଏବେ ଏହି ସ୍ଥାନରୁ ଆନ୍ଦୋଳନରୁ ଓହରିଛନ୍ତି। ଏବେ ରେଳଯାତ୍ରା ସେବା ପୁନଃ ଆରମ୍ଭ ହେବ। ଏବେ ରେଳସେବା ଆରମ୍ଭ ହେବ ବୋଲି ଲୋକଙ୍କୁ ସୂଚାଇ ଦିଆଯିବ। ଏ ନେଇ ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀ ସୀମାରେ କିନ୍ତୁ ଚାଷୀ ଆନ୍ଦୋଳନରେ ବସିଛନ୍ତି। ମାର୍ଚ୍ଚ ୨୬ରେ ଏହି ଆନ୍ଦୋଳନ ଚାରି ମାସ ପୂରଣ କରିବ। କେନ୍ଦ୍ର ସରକାର ଏବେ ବି ତିନି କୃଷି ଆଇନକୁ ରଦ୍ଦ କରିବେ ନାହିଁ ବୋଲି ଜିଦରେ ରହିଛନ୍ତି। ତେଣୁ ଏହାକୁ ବିରୋଧ କରି ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଘ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।