ରାଜ୍ୟସଭାରେ ‘ସ୍ୱତନ୍ତ୍ର ଦିଲ୍ଲୀ ବିଲ୍’ ପାସ୍, ଉପ ରାଜ୍ୟପାଳଙ୍କୁ ମିଳିବ ଅଧିକ କ୍ଷମତା
ନୂଆଦିଲ୍ଲୀ: ଉପ ରାଜ୍ୟପାଳଙ୍କୁ ଦିଲ୍ଲୀରେ ଅଧିକ କ୍ଷମତା ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ସ୍ୱତନ୍ତ୍ର ବିଲ ଆଜି ରାଜ୍ୟସଭାରେ ପାସ୍ ହୋଇଯାଇଛି। ବିରୋଧୀ ଦଳଗୁଡ଼ିକ ଏହାକୁ ଜୋରଦାର ବିରୋଧ କରିଥିଲେ ହେଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହାକୁ ରାଜ୍ୟସଭାରେ ପାସ୍ କରାଇବାକୁ ସକ୍ଷମ ହୋଇଛନ୍ତି।
ବିଲ୍କୁ ବିରୋଧ କରି କଂଗ୍ରେସ, ଟିଏମସି ଓ ଆପ୍ର ସାଂସଦମାନେ ପ୍ରବଳ ହୋହଲ୍ଲା କରିଥିଲେ। ଏହି ନାରାବାଜୀ ଓ ହଟ୍ଟଗୋଳ ମଧ୍ୟରେ Government of National Capital Territory of Delhi (Amendment) Bill, 2021 ଉଚ୍ଚ ସଦନରେ ପାରିତ ହୋଇଛି। ମାର୍ଚ୍ଚ ୨୨ରେ ଏହା ଲୋକସଭାରେ ପାସ୍ ହୋଇଥିଲା।
ରାଜ୍ୟସଭାରେ ଦୁଇ ଦିନ ହେଲା ବିଲ୍ ବିରୋଧରେ ହଙ୍ଗାମା ଦେଖିବାକୁ ମିଳିଥିଲା। ବିରୋଧୀ ଦଳଗୁଡ଼ିକ ଏହାକୁ ଅସାମ୍ବିଧାନିକ ବୋଲି କହିଥିଲେ। ସେହିପରି ବିଲ୍କୁ ସିଲେକ୍ଟ କମିଟି ପାଖକୁ ପଠାଇବାକୁ ମଧ୍ୟ ସେମାନେ ଦାବି କରିଥିଲେ। କିନ୍ତୁ ସେମାନଙ୍କର ସବୁ ପ୍ରୟାସ ବିଫଳ ହୋଇଛି।
ରାଜ୍ୟସଭାରେ ବିଲ୍ ପାସ୍ ହୋଇଥିବାରୁ ଏହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଯିବ। ସେ ଏହା ଉପରେ ମୋହର ମାରିବା ପରେ Government of National Capital Territory of Delhi (Amendment) Bill, 2021 ଆଇନରେ ପରିଣତ ହୋଇଯିବ। ଆଜି ବିଲ୍ ପାସ୍ ହେବା ପରେ ରାଜ୍ୟସଭାକୁ ଆସନ୍ତାକାଲି ଯାଏ ମୁଲତବୀ ଘୋଷଣା କରାଯାଇଛି।
ବିଲ୍ରେ ଥିବା ବ୍ୟବସ୍ଥା ଅନୁଯାୟୀ, ଦିଲ୍ଲୀରେ ସରକାର ଅର୍ଥ ଉପରାଜ୍ୟପାଳଙ୍କୁ ବୁଝାଇବ। ସେହିପରି ଯେକୌଣସି କାର୍ଯ୍ୟନିର୍ବାହୀ ନିଷ୍ପତ୍ତି ନେବା ପୂର୍ବରୁ ଦିଲ୍ଲୀ ସରକାର ଉପ ରାଜ୍ୟପାଳଙ୍କ ଅନୁମତି ନେବାକୁ ବାଧ୍ୟ। ଦିଲ୍ଲୀ ବିଧାନସଭା ଯେକୌଣସି ଆଇନ ପରିଣତ କରିବ, ସେଥିରେ ସରକାରଙ୍କ ଅର୍ଥ ଉପ ରାଜ୍ୟପାଳଙ୍କୁ ବୁଝାଇବ।
୧୯୯୧ ଆଇନର ସେକସନ ୨୧ରେ ଏ ସଂକ୍ରାନ୍ତରେ ଏକ ଅନୁଚ୍ଛେଦ ଯୋଡ଼ାଯିବ। ବିଧାନସଭାରେ ବିଲ୍ ପାରିତ ହେବା ପରେ ଉପ ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ କରାଯିବ। ଏହାପରେ ଉପ ରାଜ୍ୟପାଳ ହିଁ ଏହାକୁ ଆଇନରେ ପରିଣତ କରାଯିବ ନା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ, ତା’ର ନିଷ୍ପତ୍ତି ନେବେ। ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ (ସଂଶୋଧନ) ଆଇନ ଲାଗୁ ହେବା କ୍ଷଣି ପୂର୍ବରୁ ଲାଗୁ ହୋଇଥିବା ସମସ୍ତ ଆଇନ କାଟ ଖାଇଯିବ।
ନିର୍ବାଚିତ ସରକାରଙ୍କ ଠାରୁ କେନ୍ଦ୍ରର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଉପ ରାଜ୍ୟପାଳଙ୍କୁ ଏହି ବିଲ୍ ଅଧିକ କ୍ଷମତା ଦେଉଥିବାରୁ ଏହାକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରୁଥିଲେ। ବିଲ୍ ରାଜ୍ୟସଭାରେ ପାସ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, “ଆଜି ରାଜ୍ୟସଭା ଜିଏନସିଟିଡି ବିଲ୍କୁ ଅନୁମୋଦନ କରିଛି। ଏହା ଭାରତୀୟ ଗଣତନ୍ତ୍ର ପାଇଁ ଦୁଃଖର ଦିନ। ଆମେ ଲୋକଙ୍କୁ କ୍ଷମତା ଦେବା ପାଇଁ ଆମ ସଂଘର୍ଷ ଜାରି ରଖିବୁ। ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ଆମେ ଲୋକଙ୍କ ପାଇଁ ଭଲ କାମ କରିଚାଲିବୁ। କୌଣସି କାମ ବନ୍ଦ ହେବନି କିମ୍ବା ଧିମା ପଡ଼ିବନି।”
RS passes GNCTD amendment Bill. Sad day for Indian democracy
We will continue our struggle to restore power back to people.
Whatever be the obstacles, we will continue doing good work. Work will neither stop nor slow down.
— Arvind Kejriwal (@ArvindKejriwal) March 24, 2021
ଆଜି ରାଜ୍ୟସଭାରେ ଦିଲ୍ଲୀର କ୍ଷମତାସୀନ ଆପର ସାଂସଦ ସଞ୍ଜୟ ସିଂହ କହିଛନ୍ତି, “ଆପଣ(ବିଜେପି) ଦୁଇଥର ଦିଲ୍ଲୀରେ ନିର୍ବାଚନ ହାରିଛନ୍ତି। ତେଣୁ ଏପରି ଏକ ବିଲ୍ ଆଣିଛନ୍ତି। ଏପରି ବିଲ ସଂପୂର୍ଣ୍ଣ ଭୁଲ ଓ ଅଗଣତାନ୍ତ୍ରିକ। ଏଥିରେ ଉପ ରାଜ୍ୟପାଳମାନେ ସରକାର ବୋଲି କୁହାଯାଇଛି। ଆଜି ନ୍ୟାୟ ପାଇଁ ଦିଲ୍ଲୀର ୨ କୋଟି ଲୋକ ଛିଡ଼ା ହୋଇଛନ୍ତି।”
କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡଗେ ମଧ୍ୟ ବିଲ୍କୁ ବିରୋଧ କରିଛନ୍ତି। ସେ କହିଛନ୍ତି, ନିର୍ବାଚିତ ସରକାରଙ୍କ ଠାରୁ କ୍ଷମତା ଅପସାରଣ କରିବାକୁ ଏହି ବିଲ୍ ଅଣାଯାଇଛି। ନିର୍ବାଚିତ ସରକାରଙ୍କ ବଦଳରେ ଉପ ରାଜ୍ୟପାଳଙ୍କୁ କ୍ଷମତା ଦେବାକୁ ଯୋଜନା ହୋଇଛି। ଏହା ସମ୍ବିଧାନ ବିରୋଧୀ। ଏହା କେବେ ହେଲେ ଆଇନରେ ପରିଣତ ହେବା ଉଚିତ ନୁହେଁ ବୋଲି ସେ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।