ଅକଳରେ ଆଇପିଏସ ପରମବୀର ଓ ଗୃହମନ୍ତ୍ରୀ ଅନୀଲ ଦେଶମୁଖ

ମୁମ୍ୱାଇ: ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଦେଇଥିବା ଚିଠିକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ। ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ବିବାଦୀୟ ଆଇପିଏସ ପରମବୀର ବଟି ଆଦାୟ ଅଭିଯୋଗ ଆଣିବା ପରେ ଏବେ ଉଭୟ ନେତା ଓ ପୁଲିସ ଅଧିକାରୀ ଅଡ଼ୁଆରେ ପଡ଼ିଛନ୍ତି। ସରକାରକୁ ଫେରିବାକୁ ଲକ୍ଷ୍ୟ ରଖିଥିବା ବିରୋଧୀ ବିଜେପି ଏବେ ଏହି ମୌକାରେ ଅନୀଲଙ୍କ ଇସ୍ତଫା ଦାବି କରିଛି। ତେଣେ ଅନୀଲଙ୍କ ଦଳ ଏନସିପି ଅଭିଯୋଗକାରୀ ପରମବୀର ସିଂହ ମନସୁଖ ମାମଲାରେ ତଦନ୍ତ ପରିସରଭୁକ୍ତ ହେବା ଦରକାର ବୋଲି ଦାବି କରିଛି। ଯଦି ପରମବୀର ତଦନ୍ତ ପରିସରଭୁକ୍ତ ହେବେ ତାହେଲେ ସେ ଚାକିରିରୁ ନିଲମ୍ୱିତ ହୋଇପାରନ୍ତି। ଯାହାକି ଏନସିପି ଶରଦ ପାଓ୍ୱାରଙ୍କ ପ୍ରେସ କନଫରେନସରୁ ଇଙ୍ଗିତ ମିଳିସାରିଛି। ଅର୍ଥାତ୍ ଏବେ ଉଭୟ ଗୃହମନ୍ତ୍ରୀ ଏବଂ ହୋମଗାର୍ଡ ଡିଜି ଅଡୁଆରେ ଏବଂ ଆଗାମୀ ସମୟରେ ନିଜ ନିଜ ପଦବୀ ହରାଇପାରନ୍ତି।

ପରମବରୀ ସିଂହ କହିଛନ୍ତି ଯେ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ନିଲମ୍ବିତ ପୋଲିସ ଅଧିକାରୀ ସଚିନ ବାଜେଙ୍କୁ ପ୍ରତି ମାସରେ ବାର ଏବଂ ରେଷ୍ଟୁରାଣ୍ଟରୁ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ ଟାର୍ଗେଟ କରୁଥିଲେ। ସେ ଏବାବଦରେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ମଧ୍ୟ କହିଛନ୍ତି।

ଏହାପରେ ଶରଦ ପାୱାର ରବିବାର ଏ ନେଇ ମୁହଁ ଖୋଲିଛନ୍ତି। ଶରଦ ପାୱାର ସ୍ୱୀକାର କରିଛନ୍ତି ଯେ ପରମବୀର ସିଂହ ତାଙ୍କୁ ଭେଟିଛନ୍ତି ଏବଂ ଏ ସମ୍ପର୍କରେ ତାଙ୍କୁ ସୂଚନା ଦେଇଛନ୍ତି। କିନ୍ତୁ ପରମବୀର ତାଙ୍କର ଠିକ୍ ବଦଳି ପୂର୍ବରୁ କହିଥିଲେ ପୂର୍ବରୁ କହିନଥିଲେ ବୋଲି ପାଓ୍ୱାର କହିଛନ୍ତି।

ଶରଦ ପାୱାର କହିଛନ୍ତି ଯେ ପରମବୀର ସିଂହଙ୍କ ଚିଠିର ଦୁଇଟି ପ୍ରସଙ୍ଗ ରହିଛି। ଗୋଟିଏ ଗୃହମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ, ଅନ୍ୟଟି ହେଉଛି ବଟି ଆଦାୟ ମାମଲା। କିନ୍ତୁ ପରମବୀର ସିଂହଙ୍କ ଚିଠିରେ ତାଙ୍କର ଦସ୍ତଖତ ନାହିଁ।

ପରମବୀର ସିଂହ ଚିଠିରେ ଲେଖି ନାହାଁନ୍ତି ଟଙ୍କ ପଇସାର କାରବାର ବାବଦରେ। ଗୃହମନ୍ତ୍ରୀଙ୍କୁ ଟଙ୍କା ଦେଇଛନ୍ତି ବୋଲି ମଧ୍ୟ କହି ନାହାନ୍ତି। ସରକାର ଉପରୁ ଦୋଷ ଖସାଇ ସଚିନ ବାଜେଙ୍କ ନିଯୁକ୍ତି ପଛରେ ପରମବୀର ସିଂହ ବୋଲି ପାଓ୍ୱାର କହିଛନ୍ତି। ଏ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ନେଇ ନାହାଁନ୍ତି ବୋଲି ପାଓ୍ୱାର କହିଛନ୍ତି।

ଗୃହମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ ବୋଲି ସେ କହିଛନ୍ତି। ଏମିତିକି ମନସୁଖ ହିରେନଙ୍କ ମୃତ୍ୟୁ ବାବଦରେ ପୂର୍ବତନ ପୁଲିସ କମିଶନରଙ୍କୁ ଜେରା ହେବା ଦରକାର ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଚାହିଁଲେ ପରମବୀରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ। ଜଣେ ପୂର୍ବତନ ଡିଜି ଜୁଲିୟସ୍ ରିବିରୋଙ୍କ ପରି ଜଣେ ଅଧିକାରୀଙ୍କ ଦ୍ୱାରା ମାମଲରା ତଦନ୍ତ ହେବା ଦରକାର ବୋଲି ପାଓ୍ୱାର କହିଛନ୍ତି।

ଅନୀଲ ଦେଶମୁଖଙ୍କ ଇସ୍ତଫା ବାବଦରେ ସୂଚନା ଦେଇ ଶରଦ ପାୱାର କହିଛନ୍ତି ଯେ ସୋମବାର ଏ ବାବଦରେ ବୈଠକ ବସିବ। ଏହାପରେ ନିଷ୍ପତ୍ତି ନିଆଯିବ ବୋଲି ପାଓ୍ୱାର କହିଛନ୍ତି।

ତେବେ ସରକାର ସ୍ଥିର ରହିଛି କୌଣସି ବିପଦ ନାହିଁ ବୋଲି ପାଓ୍ୱାର କହିଛନ୍ତି। ବିରୋଧୀ ବିଜେପି କେବଳ ଅନୀଲ ଦେଶମୁଖଙ୍କର ଇସ୍ତଫା ଦାବି କରୁଛି ଆଉ କିଛି କରୁନାହିଁ ବୋଲି ପାଓ୍ୱାର କହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଅନୀଲ ଦେଶମୁଖ ଯେଉଁ ବଟି ଆଦାୟ ପାଇଁ ଚାପ ପକାଉଥିଲେ ସେ ବାବଦରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଅବଗତ ଥିଲେ। ଯାହାକି ପରମବୀରଙ୍କ ଚିଠିରୁ ଜଣାପଡ଼ିଛି। ସେ ସମସ୍ତ କଥା ମଝିରେ ମଝିରେ ଶରଦ ପାଓ୍ୱାରଙ୍କୁ ଅବଗତ କରାଇଥିଲେ। ଯଦି ପାଓ୍ୱାର ଜାଣିଥିଲେ ତାହେଲେ ଏ ସରକାରରେ ସାମିଲ ଥିବା ଅନ୍ୟ ମନ୍ତ୍ରୀ ମାନେ କେତେ ଟଙ୍କା ଚାନ୍ଦା ଆଦାୟ କରୁଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଶରଦ ପାଓ୍ୱାରଙ୍କୁ ପ୍ରଶ୍ନ କରିଛନ୍ତି।

ମହାରାଷ୍ଟ୍ରରେ ଯାହା ହେଉଛି ତାହା ଅପରାଧ ନୁହେଁ ବରଂ ଲୁଟ ଚାଲିଛି। ଆଉ ଏହି ଲୁଟରେ ସାମିଲ୍ ହୋଇଛନ୍ତି ଖୋଦ୍ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀ ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି। ଏଥିସହ ଅନୀଲ ଦେଶମୁଖ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେବା ଦରକାର ବୋଲି ବିଜେପି ଦାବି କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।