ଟିକା ନେବା ପରେ ସଂକ୍ରମିତ ହୋଇଥିବା କୌଣସି ଲୋକ ପ୍ରାଣ ହରାଇନାହାନ୍ତି!

ନୂଆଦିଲ୍ଲୀ: ଏମ୍ସ ପକ୍ଷରୁ କରାଯାଇଥିବା ଗବେଷଣାରୁ ଭଲ ଖବର ମିଳିଛି। ଟିକା ନେଇ ପୁନଃ କରୋନାରେ ସଂକ୍ରମିତ ହୋଇଥିବା କୌଣସି ଲୋକ ଏପ୍ରିଲରୁ ମେ’ ମାସ ମଧ୍ୟରେ ପ୍ରାଣ ହରାଇ ନଥିବା ଜଣାପଡ଼ିଛି। ଭାରତରେ ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଜେନୋମିକ ସିକ୍ୱେନ୍ସିଂ ଗବେଷଣାରୁ ଏମ୍ସ ବିଶେଷଜ୍ଞମାନେ ଏଭଳି ତଥ୍ୟ ହାସଲ କରିଛନ୍ତି।

ଗବେଷକମାନେ ବ୍ରେକଥ୍ରୁ ସଂକ୍ରମଣ ବିଷୟରେ ତର୍ଜମା କରି ଏପରି ତଥ୍ୟ ଜାଣିବାକୁ ପାଇଛି। ବ୍ରେକଥ୍ରୁ ସଂକ୍ରମଣ ହେଉଛି, ଜଣେ ବ୍ୟକ୍ତି କରୋନା ଟିକାର ଡବଲ ଡୋଜ୍‌ ନେବା ପରେ ପୁଣି କରୋନାରେ ଆକ୍ରାନ୍ତ ହେବା। ଆମେରିକା ସ୍ୱାସ୍ଥ ଏଜେନ୍ସି ମଧ୍ୟ କହିଛି ଯେ ଡବଲ ଡୋଜ୍‌ ଟିକା ନେଇଥିବା ଲୋକମାନେ ଅସୁସ୍ଥ ହେବା ଓ ସଂକ୍ରମଣ ହୋଇ ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ବହୁତ କମ। ସେହିପରି ସେମାନଙ୍କ କ୍ଷେତ୍ରରେ ମୃତ୍ୟୁର ହାର ମଧ୍ୟ ଯଥେଷ୍ଟ କମ।

ଏବେ ଏମ୍ସ ପକ୍ଷରୁ ଏପ୍ରିଲ-ମେ ମାସରେ ବ୍ରେକଥ୍ରୁ ସଂକ୍ରମଣ ସମ୍ପର୍କରେ ଗବେଷଣା କରାଯାଇଥିଲା। ଗବେଷଣାରୁ ଜଣାପଡ଼ିଛି ଯେ ହାଇ ଭାଇରଲ ଲୋଡ ସତ୍ତ୍ୱେ କରୋନା ଟିକାର ଡବଲ ଡୋଜ୍‌ ନେଇଥିବା କୌଣସି ଲୋକ ସଂକ୍ରମଣ କାରଣରୁ ପ୍ରାଣ ହରାଇ ନାହାନ୍ତି। ଏହି ଗବେଷଣାରେ ସାମିଲ ହୋଇଥିବା ୬୩ ଜଣ ଜଣଙ୍କ ମଧ୍ୟରୁ ୩୬ ଜଣ ଟିକାର ଡବଲ ଡୋଜ୍‌ ଓ ୨୭ ଜଣ ସିଙ୍ଗଲ ଡୋଜ୍‌ ନେଇଥିଲେ। ସେହିପରି ୧୦ ଜଣ କୋଭିସିଲ୍ଡ ଓ ୫୩ ଜଣ କୋଭାକ୍ସିନ ଟିକା ନେଇଛନ୍ତି।

ସେହିପରି ସେମାନଙ୍କ ମଧ୍ୟରୁ ୪୧ ଜଣ ପୁରୁଷ ଓ ୨୨ ଜଣ ମହିଳା ଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଲୋକମାନେ ଆଉ କୌଣସି ରୋଗରେ ପୀଡ଼ିତ ନଥିଲେ। ଏମାନଙ୍କ ଶରୀରରେ ୫ରୁ ୭ ଦିନ ଯାଏ ଅତ୍ୟଧିକ ଜ୍ୱର ଥିଲେ ହେଁ କେହି ବି ପ୍ରାଣ ହରାଇ ନାହାନ୍ତି। ସମସ୍ତଙ୍କ ବୟସ ୨୧ରୁ ୯୨ ମଧ୍ୟରେ ରହିଥିଲା ବୋଲି ଏମ୍ସ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ନିକଟରେ ଶେଷ ହୋଇଥିବା ଦୁଇ ଗବେଷଣାରୁ ଜଣାପଡ଼ିଛି ଯେ ସାର୍ସ କୋଭ-୨ରେ ଯେଉଁମାନେ ସଂକ୍ରମଣ ହୋଇଛନ୍ତି କିମ୍ବା କରୋନା ଟିକାର ଡବଲ ଡୋଜ୍‌ ନେଇଛନ୍ତି, ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସାରା ଜୀବନ ରହିବାର ସମ୍ଭାବନା ରହିଛି। ଅବଶ୍ୟ ଏମାନେ ପୁନଃ ସଂକ୍ରମଣ ହେବେ ନାହିଁ ବୋଲି ସ୍ପଷ୍ଟ ଭାବେ କୁହାଯାଇ ନପାରେ, କିନ୍ତୁ କୋଭିଡ-୧୯ ବିରୋଧରେ ଲଢ଼େଇ କରିବାକୁ ସେମାନଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।