ସୁରକ୍ଷାକର୍ମୀଙ୍କ ଚକମା ଦେବାକୁ ଆତଙ୍କୀଙ୍କ ନୂଆ ଚାଲ୍ ‘ଡେଡ୍ ଡ୍ରପ୍’

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଚକମା ଦେବାକୁ ପାରମ୍ପରିକ ଯୋଗାଯୋଗ ମାଧ୍ୟମର ବ୍ୟବହାର କରୁଛନ୍ତି ଆତଙ୍କବାଦୀ। ଉପତ୍ୟକାରେ ଆତଙ୍କୀ ସଂଗଠନ ଗୁଡ଼ିକ ନିଜ ଯୋଜନାକୁ ସଫଳ ରୂପ ଦେବାକୁ ୯୦ ଦଶକରେ ବ୍ୟବହାର କରୁଥିବା ଯୋଗାଯୋଗ ମାଧ୍ୟମର ଉପଯୋଗ କରୁଛନ୍ତି ବୋଲି ସୁରକ୍ଷାକର୍ମୀମାନେ ଜାଣିବାକୁ ପାଇଛନ୍ତି।

ଏ ସମ୍ପର୍କରେ ସୂଚନା ମିଳିବା ପରେ ଉପତ୍ୟକାରେ ହାଇଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀମାନେ ପୂର୍ବଭଳି ଡେଡ୍‌ ଡ୍ରପ ଓ ଲାଇଭ ଡ୍ରପ୍‌କୁ ଏବେ ବ୍ୟବହାର କରୁଛନ୍ତି। ବର୍ତ୍ତମାନ ସୁରକ୍ଷାକର୍ମୀ ପକ୍ଷଙ୍କୁ ବୈଦ୍ୟୁତିକ ସର୍ଭେଲାନ୍ସ ଉପରେ ଫୋକସ କରାଯାଉଛି। ବିଶେଷ କରି ଇ-ମେଲ, ମେସେଜ ଓ ଏଣ୍ଡୁ ଟୁ ଏଣ୍ତ ଇନକ୍ରିପସନ ଉପରେ ନଜର ରଖାଯାଉଛି।

ଆତଙ୍କୀମାନେ ଭିପିଏନର ବ୍ୟବହାର କରୁଥିଲେ ମଧ୍ୟ ସୁରକ୍ଷାକର୍ମୀମାନେ ସ୍ୱତନ୍ତ୍ର ରଣକୌଶଳ ଦ୍ୱାରା ଆତଙ୍କୀଙ୍କ ସମସ୍ତ ଗତିବିଧିକୁ ଜାଣି ଦେଉଛନ୍ତି। ଏହା ଆତଙ୍କୀଙ୍କ ଆକ୍କାମାନଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ତେଣୁ ସେମାନେ ଏବେ ଡେଡ ଡ୍ରପ, ଲାଇଭ ଡ୍ରପ୍‌ ଓ ଅନ୍ୟାନ୍ୟ ପୁରୁଣା ଯୋଗାଯୋଗା ବ୍ୟବସ୍ଥାକୁ ଆପଣାଇବା ଆରମ୍ଭ କରିଥିବା ଜଣାପଡ଼ିଛି।

ଡେଡ ଡ୍ରପ ବା ଡେଡ ଲେଟର ବକ୍ସ ହେଉଛି ଏମିତି ଏକ ବ୍ୟବସ୍ଥା, ଯାହା ଦ୍ୱାରା ଗୁପ୍ତ ଲୋକେସନରେ ସୂଚନାକୁ ଜଣଙ୍କ ଠାରୁ ଆଉ ଜଣଙ୍କ ପାଖରେ ପହଞ୍ଚା ଯାଇ ପାରିବ। ଏହାଦ୍ୱାରା ଆଉ ସିଧାସଳଖ ବୈଠକ କରିବାକୁ ପଡ଼ିବନି କିମ୍ବା ସୁରକ୍ଷାକର୍ମୀଙ୍କ ନଜରକୁ ଏହା ଆସିବନି।

ସେହିପରି ଲାଇଭ ଡ୍ରପ ହେଉଛି, କେବଳ ଦୁଇ ଜଣଙ୍କ ଭିତରେ ସିଧାସଳଖ କୌଣସି ଗୁପ୍ତ ସ୍ଥାନରେ ସୂଚନା ଆଦାନ ପ୍ରଦାନ କରିବା। ଏହି ମେସେଜ ଆଦାନ ପ୍ରଦାନ ସବୁଠାରୁ ସୁରକ୍ଷିତ ଓ ସୁରକ୍ଷାକର୍ମୀଙ୍କୁ ଚକମା ଦେବାକୁ ଶ୍ରେଷ୍ଠ ମାଧ୍ୟମ ବୋଲି କୁହାଯାଉଛି। କାରଣ ସୁରକ୍ଷାକର୍ମୀମାନେ ତଥ୍ୟ ପାଇଁ ଏବେ ବୈଦ୍ୟୁତିକ ସର୍ଭେଲାନ୍ସ ଉପରେ ହିଁ ନିର୍ଭର କରୁଛନ୍ତି। ତେଣୁ ସେମାନଙ୍କୁ ଏହି ଲାଇଭ ଓ ଡେଡ ଡ୍ରପ୍‌ ମେସେଜ ଦ୍ୱାରା ଚକମା ଦେବାକୁ ଆତଙ୍କୀଙ୍କ ଆକ୍କାମାନେ ଲକ୍ଷ୍ୟ ରଖିଛନ୍ତି।

୯୦ ଦଶକରେ ଆତଙ୍କୀ ସଂଗଠନ ହରକତ ଉଲ ଅନସାରୀ, ଜୈଶ-ଇ-ମହମ୍ମଦ, ଲସ୍କର-ଇ-ତାଏବା ଓ ଅନ୍ୟ ଆତଙ୍କୀ ସଂଗଠନ ପକ୍ଷରୁ ବ୍ୟବହାର କରାଯାଉଥିଲା। ସ୍ଲିପର ସେଲକୁ ସକ୍ରିୟ କରିବା ପାଇଁ ଏହା ସବୁଠାରୁ ଭଲ ମାଧ୍ୟମ। ସେହିପରି ବୈଦ୍ୟୁତି ସର୍ଭେଲାନ୍ସରେ ରିୟଲ ଟାଇମ ତଥ୍ୟ ମିଳିଥାଏ।

କିନ୍ତୁ ଏହି ଡେଡ ଡ୍ରପ୍‌ ସିଷ୍ଟମରେ ସୂଚନା କେବେ ମିଳିଛି ଓ ଏହାକୁ କେବେ କାର୍ଯ୍ୟକାରୀ କରାଯିବ, ତାହା ଜାଣିବା ବେଶ କଷ୍ଟକର। ତେଣୁ ସୁରକ୍ଷାକର୍ମୀଙ୍କ ପାଇଁ ଏବେ ଆତଙ୍କୀମାନେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।