ନୂଆଦିଲ୍ଲୀ: ପୁଣିଥରେ ବିବାଦରେ ଫସିଛି ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନା। ଅଗ୍ନିପଥ ଯୋଜନାରେ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ଆଶାୟୀ ଯୁବକଙ୍କୁ ଜାତିଗତ ଓ ଧର୍ମ ଭିତ୍ତିକ ପ୍ରମାଣପତ୍ର ମାଗୁଥିବା ଅଭିଯୋଗ ହୋଇଛି। ନିଯୁକ୍ତି ପାଇଁ ଉପଲବ୍ଧ ହେଉଥିବା ଫର୍ମର ଗୋଟିଏ ଭାଗ ଏବେ ସୋଶାଲ ମିଡିଆରେ ଭାଇଲ ହେବାରେ ଲାଗିଛି।
ଏଥିରେ ଆଶାୟୀଙ୍କୁ ନିଜର ଜାତି ଓ ଧର୍ମ ପ୍ରମାଣପତ୍ର ଦେବାକୁ କୁହାଯାଇଛି। ଏହାକୁ ଆଧାର କରି ବିରୋଧୀ ଦଳ ଗୁଡ଼ିକ ସରକାରଙ୍କୁ ଘେରିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି। ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ପ୍ରଥମ ଥର ପାଇଁ ସେନାରେ ନିଯୁକ୍ତି ପାଇଁ ଜାତି ଓ ଧର୍ମ ପ୍ରମାଣପତ୍ର ମଗାଯାଉଛି। ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହ କହିଛନ୍ତି "ମୋଦି ସରକାରଙ୍କ ବଦମାସ ଚେହେରା ଦେଶ ସାମ୍ନାକୁ ଆସିଛି। କ’ଣ ମୋଦିଜୀ ଦେଶର ଦଳିତଳ ପଛୁଆ ଓ ଆଦିବାସୀମାନଙ୍କୁ ସେନା ନିଯୁକ୍ତି ପାଇଁ ଯୋଗ୍ୟ ବିବେଚନା କରୁନାହାନ୍ତି? ଭାରତର ଇତିହାସରେ ପ୍ରଥମଥର ପାଇଁ ସେନା ନିଯୁକ୍ତିରେ ଜାତି ବିଷୟରେ ପଚରାଯାଉଛି। ମୋଦିଜୀ ଆପଣଙ୍କୁ “ଅଗ୍ନିବୀର” ତିଆରି କରିବାର ଅଛି ନା ଜାତିବୀର।”
ସେ ତାଙ୍କ ଟ୍ୱିଟରେ ସେନାର ନିଯୁକ୍ତି ପାଇଁ ଫର୍ମର ଗୋଟିଏ ଅଂଶକୁ ନାଲିଗାର ପକାଇ ହାଇଲାଇଟ କରିଛନ୍ତି। ଏହି ଅଂଶରେ ପ୍ରାର୍ଥୀଙ୍କୁମାନଙ୍କୁ ସେମାନଙ୍କ ଜାତି ଓ ଧର୍ମ ପ୍ରମଣାପତ୍ର ଦେବାକୁ କୁହାଯାଇଛି।
ତେବେ ସରକାରୀ ସୂତ୍ରରୁ ଏହାକୁ ଖାରଜ କରାଯାଇଛି। ପ୍ରଥମଥର ପାଇଁ ଏପରି ହେଉନାହିଁ। ସ୍ୱାଧୀନତା ପରେ ଗୋଟିଏ ସ୍ୱତନ୍ତ୍ର ସେନା ଆଦେଶ ଦ୍ୱାରା ୧୯୪୯ରେ ଏହି ପ୍ରାବଧାନର ବ୍ୟବସ୍ଥା କରାଯାଇଥିଲା। ମୋଦି ସରକାର ଏବେ କୌଣସି ନୂତନ ପରିବର୍ତ୍ତନ କରିନାହାନ୍ତି। ସାତ ଦଶନ୍ଧି ଧରି ସେନାର ଜାରି ରହିଥିବା ବ୍ୟବସ୍ଥା ଅନୁସରଣ କରୁଥିବା ଏହି ସୂତ୍ରରେ କୁହାଯାଇଛି। ସେନା ପକ୍ଷରୁ ମଧ୍ୟ ପୂର୍ବରୁ ଏପରି ବ୍ୟବସ୍ଥା ପ୍ରଚଳିତ ହୋଇ ଆସୁଥିବା କୁହାଯାଇଛି। । ସୁରକ୍ଷାକର୍ମୀଙ୍କ ଅନ୍ତିମ ସଂସ୍କାର ପାଇଁ ଏପରି ଜାତି ଓ ଧର୍ମ ପ୍ରମାଣପତ୍ର ମଗାଯାଉଥିବା ସେନା କହିଛି।
ଅନ୍ୟପକ୍ଷରେ ବିରୋଧୀଙ୍କ ଏପରି ଅଭିଯୋଗକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର। ସେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ବିରୋଧୀ ଜାତି ପ୍ରମାଣପତ୍ରକୁ ନେଇ ଲୋକଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରୁଛନ୍ତି। ରାଜନୀତି କରିବା ପାଇଁ କେଉଁଠି ନା କେଉଁଠି ଦେଶର ସେନାକୁ ବଦନାମ କରାଯାଉଛି। ସେନା ସ୍ପଷ୍ଟ ଭାବରେ କହିଛି ଆମର ନିଯୁକ୍ତିରେ ଧର୍ମର କୌଣସି ସ୍ଥାନ ନାହିଁ। କିନ୍ତୁ ଧର୍ମ ସମ୍ପର୍କରେ ସୂଚନା ରଖାଯାଏ। କାରଣ ଦୁର୍ଭାଗ୍ୟଜନକ ପରିସ୍ଥିତିରେ ଯଦି ଜଣେ ସୈନିକ ସହିଦ ହୁଅନ୍ତି, ତା’ହେଲେ ତାଙ୍କର ଅନ୍ତିମ ସଂସ୍କାର ଉକ୍ତ ଧର୍ମ ଅନୁସାରେ ହିଁ କରାଯାଏ। ତେଣୁ ବିରୋଧୀଙ୍କ ଏପରି ପ୍ରଶ୍ନ ଯନ୍ତ୍ରଣା ଦାୟକ ବୋଲି ଶ୍ରୀ ପାତ୍ର କହିଛନ୍ତି।
मोदी सरकार का घटिया चेहरा देश के सामने आ चुका है।
क्या मोदी जी दलितों/पिछड़ों/आदिवासियों को सेना भर्ती के क़ाबिल नही मानते?
भारत के इतिहास में पहली बार “सेना भर्ती “ में जाति पूछी जा रही है।
मोदी जी आपको “अग्निवीर” बनाना है या “जातिवीर” pic.twitter.com/fxgBre38Ft— Sanjay Singh AAP (@SanjayAzadSln) July 19, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।