ପାର୍ବଣ ପୂର୍ବରୁ ସବୁ ରାଜ୍ୟକୁ ଚିଠି ଲେଖିଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ମହାମାରୀ କରୋନାର ତୃତୀୟ ଲହର ବିପଦ ଏଯାଏ ଟଳିନି। ସେହିପରି ଦ୍ୱିତୀୟ ଲହର ସଂପୂର୍ଣ୍ଣ ଭାବେ ଦେଶରୁ ଯାଇ ନାହିଁ। ତେଣୁ ସମସ୍ତଙ୍କୁ ସତର୍କ ରହିବା ଜରୁରୀ। ଆଗକୁ ପାର୍ବଣ ଋତୁ ଆସୁଛି। ଏହି ସମୟରେ ଅବହେଳା କଲେ ସ୍ଥିତି ବିଗିଡ଼ି ଯିବ। ଏହାକୁ ଦୃଷ୍ଟିରେ ରଖି ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି।

ପାର୍ବଣରେ ଯେମିତି କୋଭିଡର ଉଚିତ ବ୍ୟବହାର ସମସ୍ତେ ପାଳନ କରିବେ, ତା’ ଉପରେ ଗୁରୁତ୍ୱ ଦେବାକୁ ସେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସର୍ବସାଧାରଣରେ ଭିଡ଼କୁ ଯଥା ସମ୍ଭବ କମ କରିବା, ମାସ୍କ ଓ ସାମଜିକ ଦୂରତା ଭଳି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ସେ କହିଛନ୍ତି।

୨୮ ଅଗଷ୍ଟରେ ମଧ୍ୟ ଶ୍ରୀ ଭଲ୍ଲା ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ପାର୍ବଣ ପାଇଁ ସତର୍କ କରାଇଥିଲେ। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ପ୍ରଶାସନ ମାଇକ୍ରୋ କଣ୍ଟେନମେଣ୍ଟ ଭଳି ବ୍ୟବସ୍ଥା ଲାଗୁ କରିପାରିବ ବୋଲି ସେ ଚିଠିରେ ଅବଗତ କରାଇଥିଲେ। ଏଥିର ମଧ୍ୟ ସକ୍ରିୟ କଣ୍ଟେନମେଣ୍ଟ ଜୋନ ଉପରେ ଫୋକସ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାବାଦ ରାଜ୍ୟ ସରକାରମାନେ ସବୁବେଳେ କରୋନା ସଂକ୍ରମଣକୁ ରୋକିବା ପାଇଁ ଟେଷ୍ଟ, ଟ୍ରାକ, ଟ୍ରିଟ, ଟିକାକରଣ ଓ କୋଭିଡର ଉଚିତ ବ୍ୟବହାର ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ସେ କହିଛନ୍ତି।

କୋଭିଡର ଉଚିତ ବ୍ୟବହାର ହେଲା ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ସାନିଟାଇଜରର ବ୍ୟବହାର କରିବା। ରାଜ୍ୟ ସରକାର ଏହାପରେ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦେଇ ନିୟମକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ ବୋଲି ଶ୍ରୀ ଭଲ୍ଲା କହିଛନ୍ତି। ସେ କହିଛନ୍ତି, “ବର୍ତ୍ତମାନ ଜାତୀୟ ସ୍ତରରେ ମହାମାରୀ ସ୍ଥିତିରେ ସ୍ଥିରତା ରହିବା ଭଳି ଦୃଶ୍ୟମାନ ହେଉଛି।

ହାତ ଗଣତି ରାଜ୍ୟରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଛି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାର ଗୁଡ଼ିକ ପାର୍ବଣରେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ଥାନୀୟ କଟକଣା ଲାଗୁ କରିପାରିବେ। ସେହିପରି ସର୍ବସାଧାରଣରେ କୋଭିଡର ଉଚିତ ବ୍ୟବହାର ଠିକ ଭାବେ ପାଳନ କରାଯାଉଛି କି ନାହିଁ, ତା’ର ଯାଞ୍ଚ କରିବେ। ସମସ୍ତଙ୍କୁ ୫ ସୂତ୍ରୀ ମନ୍ତ୍ର ଉପରେ ଫୋକସ କରିବାକୁ ହେବ।”

ସଂକ୍ରମଣ କମ ଥିବା ଅଞ୍ଚଳରେ ମଧ୍ୟ ଟେଷ୍ଟିଂକୁ ଜୋରଦାର କରି ଲୋକଙ୍କ ଚାଲିଚଳନ ଉପରେ ନଜର ରଖିବାକୁ ହେବ। ସେହିପରି ସେଠାରେ ମଧ୍ୟ ମାସ୍କ ଠାରୁ ସାମାଜିକ ଦୂରତା ନିୟମକୁ ପାଳନ କରିବାକୁ ସମସ୍ତଙ୍କୁ ତାଗିଦ କରାଯିବ। ନିୟମ ଲାଗୁ କରିବାର ଦାୟିତ୍ୱ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କର ବୋଲି ଚିଠିରେ କୁହାଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।