ଭୋଟରଙ୍କ ପାଇଁ କପଡ଼ା ସଫା କଲେ ପ୍ରାର୍ଥୀ, ଦେଖନ୍ତୁ ଭିଡିଓ

ଚେନ୍ନାଇ: ଆଗକୁ ହେବାକୁ ଥିବା ୪ ରାଜ୍ୟ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ପ୍ରଚାର ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରୁଛନ୍ତି। ତେବେ ଆସନ୍ତା ୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି।

ଏଠାରେ ଜଣେ ପ୍ରାର୍ଥୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସର୍ବସମ୍ମୁଖରେ ତଳେ ବସି କପଡ଼ା ସଫା କରିଛନ୍ତି। ସେହିପରି ସେ ନିର୍ବାଚନ ଜିତିଲେ ଏଠାକାର ଲୋକଙ୍କୁ ମାଗଣାରେ ୱାଶିଂମେସିନ ଯୋଗାଇ ଦେବେ ବୋଲି ପ୍ରାର୍ଥୀ ଜଣଙ୍କ ପ୍ରତିଶ୍ରୁତି ବି ଦେଇଛନ୍ତି।

ରାଜ୍ୟରେ କ୍ଷମତାସୀନ ଏଆଇଏଡିଏମକେ ଥାଙ୍ଗା କଥିରାଭାନଙ୍କୁ ନାଗାପାଟ୍ଟିନମ ଆସନରୁ ପ୍ରାର୍ଥୀ କରିଛି। ସେ ସୋମବାର ନିଜ ନିର୍ବାଚନ ମଣ୍ଡଳୀରେ ଥିବା ଗୋଟିଏ ଲଣ୍ଡ୍ରୀରେ ପ୍ରଚାର କରିବାକୁ ଯାଇଥିଲେ। ପ୍ରଚାର କରିବାକୁ ଯିବା ବେଳେ ସେଠାରେ ଲୋକମାନେ କପଡ଼ା ସଫା କରୁଥିବା ସେ ଦେଖିବାକୁ ପାଇଥିଲେ।


ତେଣୁ ସେ ତୁରନ୍ତ ଏଠାକାର ଲୋକଙ୍କୁ ଆକୃଷ୍ଟ କରିବାକୁ ଯାଇ ତଳେ ବସି ପଡ଼ି ପାଣିରେ ବତୁରା ଯାଇଥିବା ମଇଳା କପଡ଼ାକୁ ସଫା କରିବା ଆରମ୍ଭ କରିଥିଲେ। ଏହାର ଭିଡିଓକୁ ଏଏନଆଇ ପକ୍ଷରୁ ଟ୍ୱିଟ କରାଯାଇଛି। ସେ କେମିତି ସାବୁନ ପାଣିରେ ବତୁରା ଯାଇଥିବା କପଡ଼ାକୁ ଗୋଟିଏ ବାଲଟିରୁ କାଢ଼ି ତଳେ ବାଡ଼େଇ ସଫା କରୁଥିଲେ, ତା’ର ଦୃଶ୍ୟ ଭିଡିଓରେ ରହିଛି। ତାଙ୍କ ସହ ଥିବା ଏଆଇଏଡିଏମକେର କର୍ମୀମାନେ ମଧ୍ୟ ଥାଙ୍ଗାଙ୍କୁ ସହଯୋଗ କରୁଥିବା ଦେଖିବାକୁ ମିଳିଛି।


ତାମିଲନାଡୁରେ ବିଭିନ୍ନ ରାଜନୀତିକ ଦଳର ନେତାମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅଭିନବ କୌଶଳମାନ ଅବଲମ୍ବନ କରୁଛନ୍ତି। କିଏ ରୋବଟ ଜରିଆରେ ପ୍ରଚାର କରୁଛି ତ ଆଉ କେଉଁ ଦଳର କର୍ମୀମାନେ ନିଜ ମୁଣ୍ଡରେ ଦଳୀୟ ଚିହ୍ନ ଲଗାଇ ବୁଲୁଛନ୍ତି। ସେହିପରି ଆଉ କିଏ ନିଜ ଶରୀରରେ ଦଳର ଚିହ୍ନକୁ ଆଙ୍କି ପ୍ରଚାର କରିବାରେ ଲାଗିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।