ଇଞ୍ଜନିୟରିଂ ପାଇଁ ଗଣିତ, ଫିଜିକ୍ସ ଓ କେମେଷ୍ଟ୍ରୀ ଜରୁରୀ ନୁହେଁ ନିଷ୍ପତ୍ତି ବଦଳିଲା

ନୂଆଦିଲ୍ଲୀ: ହଟଚମଟ ପରେ ନିଷ୍ପତ୍ତି ବଦଳାଇଛି ଏଆଇସିଟିଇ। ପୂର୍ବରୁ ଇଞ୍ଜିନିୟରିଂ ପଢ଼ିବାକୁ ହେଲେ ଯୁକ୍ତ ୨ରେ ଗଣିତ, ପଦାର୍ଥ ବିଜ୍ଞାନ (ଫିଜିକ୍ସ) ଓ ରସାୟନ ବିଜ୍ଞାନ ବା କେମେଷ୍ଟ୍ରୀ ଜରୁରୀ ନୁହେଁ ବୋଲି କୁହାଯାଇଥିଲା। ଏହାକୁ ନେଇ ହଟଚମଟ ସୃଷ୍ଟି ହେବା ପରେ ଏଆଇସିଟିଇ ଅଧ୍ୟକ୍ଷ ଏବେ ୟୁ-ଟର୍ଣ୍ଣ ନେଇଛନ୍ତି।

ଅଧ୍ୟକ୍ଷ ଅନୀଲ ସହସ୍ରବୁଦ୍ଧେ କହିଛନ୍ତି, ନୂଆ ଗାଇଡ ଲାଇନ ଭବିଷ୍ୟତ ଓ ନୂଆ ଶିକ୍ଷାନୀତିକୁ ଦୃଷ୍ଟିରେ ରଖି କରାଯାଇଥିଲା। ତେବେ ଏହାକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଫିଜିକ୍ସ, କେମେଷ୍ଟ୍ରୀ ଓ ଗଣିତ ବେଶ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଶିକ୍ଷାର୍ଥୀଙ୍କ ପାଖରେ ବାୟୋଟେକ୍ନୋଲଜି, ଟେକ୍ସଟାଇଲ ଓ ଏଗ୍ରିକଲଚରାଲ ଇଞ୍ଜିନିୟରିଂ ପଢ଼ିବାର ବିକଳ୍ପ ମଧ୍ୟ ରହିବ। ପୂର୍ବ ଗାଇଡଲାଇନ ବାଧ୍ୟତାମୂଳକ ନଥିଲା ବୋଲି ସେ କହିଛନ୍ତି।

ଇଞ୍ଜିନିୟରିଂର ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଡମିଶନ ପାଇଁ ଆବେଦନ କରିବାକୁ ଏଆଇସିଟିଇ ପୂର୍ବରୁ ଜାରି ଗାଇଡଲାଇନରେ କହିଥିଲା ଯେ ଶିକ୍ଷାର୍ଥୀମାନେ ଦ୍ୱାଦଶ ଶ୍ରେଣୀରେ ଅତି କମରେ ୪୫ ପ୍ରତିଶତ ମାର୍କ ରଖିବା ଆବଶ୍ୟକ ଓ ୧୪ଟି ବିଷୟରୁ ତିନୋଟି ବିଷୟରେ ପାସ୍ କରିବାକୁ ବାଧ୍ୟ।

ପଦାର୍ଥ ବିଜ୍ଞାନ, ଗଣିତ, ରସାୟନ ବିଜ୍ଞାନ, କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, ଜୈବ ବିଜ୍ଞାନ, ବାୟୋଟେକ୍ନୋଲୋଜି, ପ୍ରଫେସନାଲ୍ ଷ୍ଟଡିଜ୍ ଭଳି ମୋଟ୍ ୧୪ଟି ବିଷୟକୁ ତାଲିକା ଭୁକ୍ତ କରାଯାଇଥିଲା। ଏହି ସବୁ ବିଷୟ ଗୁଡ଼ିକରୁ ଯେକୌଣସି ତିନୋଟି ବିଷୟରେ ସର୍ବନିମ୍ନ ୪୫ ପ୍ରତିଶତ ମାର୍କ ରଖିବାକୁ ହେବ।

ଏହା ବ୍ୟତୀତ ସଂରକ୍ଷଣ ବର୍ଗର ଶିକ୍ଷାର୍ଥୀମାନଙ୍କ ପାଇଁ ୪୦ ପ୍ରତିଶତ ମାର୍କ ଧାର୍ଯ୍ୟ କରାଯାଇଥିଲା ବୋଲି ଗାଇଡଲାଇନରେ କୁହାଯାଇଥିଲା। ତେବେ ଏହାକୁ ପରବର୍ତ୍ତୀ ସମୟରେ ପ୍ରତ୍ୟାହାର କରି ନିଆଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।