ମଝି ଆକାଶରେ ବନ୍ଦ ହୋଇଗଲା ବିମାନର ଇଞ୍ଜିନ, ଆଉ ତା’ ପରେ..

ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ ଦ୍ୱାରା ପରିଚାଳିତ ଏୟାର ଇଣ୍ଡିଆର ଗୋଟିଏ ବିମାନ ଅଳ୍ପକେ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଏୟାର ଇଣ୍ଡିଆର ଏୟାରବସ ଏ୩୨୦ନେଓ ବିମାନ ମଝି ଆକାଶରେ ଉଡ଼ୁଥିବା ବେଳେ ହଠାତ୍‌ ଏହାର ଗୋଟିଏ ଇଞ୍ଜିନ ବନ୍ଦ ହୋଇଯାଇଥିଲା। ବୈଷୟିକ ତ୍ରୁଟି କାରଣରୁ ଏପରି ଘଟିଥିବା ଜଣାପଡ଼ିବା ପରେ ପାଇଲଟ ଜଣଙ୍କ ତୁରନ୍ତ ବିମାନକୁ ଜରୁରୀ ଅବତରଣ କରାଇବାରେ ସକ୍ଷମ ହୋଇଛନ୍ତି।

ଗୁରୁବାର ଏହି ଘଟଣା ଘଟିଥିଲା। ବିମାନଟି ଅବତରଣ କରିବା ପରେ ଯାତ୍ରୀମାନଙ୍କୁ ଆଉ ଗୋଟିଏ ବିମାନରେ ବେଙ୍ଗାଲୁରୁ ପଠାଯାଇଥିଲା ବୋଲି ଏୟାର ଇଣ୍ଡିଆ ମୁଖପାତ୍ର ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତ ଡିଜିସିଏ ଆରମ୍ଭ କରିଥିବା ପିଟିଆଇ ସୂତ୍ରରୁ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଏୟାରବସ ଏ୩୨୦ନେଓ ବିମାନଟି ମୁମ୍ବାଇରୁ ସକାଳ ୯.୪୩ ମିନିଟ୍‌ରେ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ଉଡ଼ାଣର ପ୍ରାୟ ୨୭ ମିନିଟ୍‌ ପରେ ହଠାତ୍‌ ବିମାନର ଗୋଟିଏ ଇଞ୍ଜିନ ବନ୍ଦ ହୋଇଥିବା ସତର୍କ ସୂଚନା ପାଇଲଟମାନଙ୍କ ପାଖରେ ପହଞ୍ଚିଥିଲା। ଏହାପରେ ପାଇଲଟ ତୁରନ୍ତ ଜରୁରୀ ଅବତରଣ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ।

ଶେଷରେ ବିମାନକୁ ଅଧା ରାସ୍ତାରୁ ପୁଣି ମୁମ୍ବାଇ ଅଭିମୁଖେ ଫେରାଇ ଆଣିଥିଲେ। ଶେଷରେ ସକାଳ ୧୦.୧୦ ମିନିଟ୍‌ରେ ବିମାନଟି ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ଏୟାରପୋର୍ଟରେ ସୁରକ୍ଷିତ ଭାବେ ଅବତରଣ କରିଥିଲା।

ବିମାନ ଅବତରଣ କରିବା ପରେ ଯାତ୍ରୀମାନଙ୍କୁ ଆଉ ଏକ ବିମାନରେ ବେଙ୍ଗାଲୁରୁ ପଠାଯାଇଥିଲା। ସେହିପରି କମ୍ପାନୀର ବୈଷୟିକ ଟିମ୍‌ ବିମାନର ଯାଞ୍ଚ କରି ଏହାର ସମାଧାନ ପାଇଁ ଉଦ୍ୟମ କରିଥିବା ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।