ପୁଲିସକୁ ବିଶ୍ୱାସ ନାହିଁ: ବିବାଦରେ ଅଖିଲେଶ ଯାଦବଙ୍କ ଏହି ବୟାନ

ଲକ୍ଷ୍ନୌ: ଆସନ୍ତାବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଯାଇଛି। ଉତ୍ତର ପ୍ରଦେଶ ପୁଲିସ୍‌ ଦୁଇ ଜଣଙ୍କୁ ଆତଙ୍କବାଦ କାର୍ଯ୍ୟ ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗରେ ଗିରଫ କରିବା ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ବଡ଼ ବୟାନ ଦେଇଥିବା ଅଭିଯୋଗ ହୋଇଛି।

ଅଖିଲେଶ ଯାଦବ ପୁଲିସ୍‌କୁ ଆଦୌ ବିଶ୍ୱାସ କରନ୍ତି ନାହିଁ ବୋଲି କହୁଥିବା ଗୋଟିଏ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଅଖିଲେଶ ଯାଦବ ଉକ୍ତ ଭିଡିଓରେ କହୁଛନ୍ତି ଯେ, “ମୁଁ କେବେ ହେଲେ ଉତ୍ତର ପ୍ରଦେଶ ପୁଲିସ୍‌କୁ ବିଶ୍ୱାସ କରିପାରିବି ନାହିଁ। ବିଶେଷ କରି ବିଜେପି ସରକାରକୁ ବିଶ୍ୱାସ ନାହିଁ।” ତେବେ ସପା ପକ୍ଷରୁ ଏପରି ବୟାନ ଅଖିଲେଶ ଦେଇ ନାହାନ୍ତି ଓ ଏହାକୁ ଏଡିଟ୍‌ କରି ପ୍ରଚାର କରାଯାଉଛି ବୋଲି ଦଳ ପକ୍ଷରୁ କୁହାଯାଇଛି।

ରବିବାର ଉତ୍ତର ପ୍ରଦେଶ ସରକାର କହିଥିଲେ ଯେ ଲକ୍ଷ୍ନୌ ଉପକଣ୍ଠରୁ ଅଲ କାଏଦା ସହ ସମ୍ପର୍କ ରଖିଥିବା ଅନସାର ଘାଜୱାତୁଲ ହିନ୍ଦ ଆତଙ୍କୀ ସଂଗଠନର ଦୁଇ ଜଣ ସଦସ୍ୟଙ୍କୁ ଏଟିଏସ୍‌ ଗିରଫ କରିଛି। ସେମାନେ ମାନବ ବୋମା ଦ୍ୱାରା ହମଲା କରିବାକୁ ଯୋଜନା କରୁଥିଲେ। ଉତ୍ତର ପ୍ରଦେଶର ଏକାଧିକ ସ୍ଥାନରେ ବିସ୍ଫୋରଣ କରିବାକୁ ଷଡ଼ଯନ୍ତ୍ର ହୋଇଥିଲା। ମିନହାଜ ଅହମଦ ଓ ମାସୀରୁଦ୍ଦିନ ନାମକ ଦୁଇ ଯୁବକଙ୍କୁ ସେମାନଙ୍କ ଲକ୍ଷ୍ନୌ ସ୍ଥିତ ଘରକୁ ଗିରଫ କରାଯିବା ସହ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଥିବା ପୁଲିସ୍‌ କହିଥିଲା।

ତେବେ ଏହି ଗିରଫଦାରୀ ପରେ ଅଖିଲେଶ ପୁଲିସ୍‌କୁ ବିଶ୍ୱାସ କରନ୍ତି ନାହିଁ ବୋଲି କହିଥିବା ବିଜେପି ଅଭିଯୋଗ କରି ଭିଡିଓ ଶେୟାର କରିଛି। ବିଜେପି ନେତା ସିଟି ରବି କହିଛନ୍ତି, “ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଉତ୍ତର ପ୍ରଦେଶ ପୁଲିସ୍‌ ଓ ବିଜେପି ସରକାରକୁ ବିଶ୍ୱାସ କରନ୍ତି ନାହିଁ ବୋଲି କହିବା ଆଶ୍ଚର୍ଯ୍ୟଜନକ। ପୂର୍ବରୁ ଏମାନେ ବିଜେପି ଟିକାକୁ ବିଶ୍ୱାସ କରନ୍ତି ନାହିଁ ବୋଲି କହିଥିଲେ। ସେମାନେ କାହାକୁ ବିଶ୍ୱାସ କରନ୍ତି? ପାକିସ୍ତାନ ସରକାର ଓ ସେମାନଙ୍କ ଆତଙ୍କବାଦୀଙ୍କୁ ଏମାନେ ବିଶ୍ୱାସ କରନ୍ତି କି?”

ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ମଧ୍ୟ ଅଖିଲେଶ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଅଖିଲେଶ ଯାଦବ ପ୍ରଥମେ ଟିକାକୁ ଅବିଶ୍ୱାସ କରିଥିଲେ। ଏବେ ସେ ଉତ୍ତର ପ୍ରଦେଶ ପୁଲିସ୍‌ ଆତଙ୍କବାଦୀଙ୍କ ବିରୋଧରେ ନେଇଥିବା କାର୍ଯ୍ୟାନୁଷ୍ଠାନକୁ ବିଶ୍ୱାସ କରନ୍ତି ନାହିଁ ବୋଲି କହୁଛନ୍ତି। ଯଦି ସେ ପ୍ରଶାସନ କିମ୍ବା ରାଜ୍ୟକୁ ବିଶ୍ୱାସ କରୁ ନାହାନ୍ତି, ତା’ହେଲେ ସେ କାହିଁକି ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି? ତାଙ୍କୁ ଘରେ ଏକା ବସିବାକୁ ଦିଆଯାଉ ବୋଲି ମାଲବ୍ୟ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।