ରାଜସ୍ଥାନର ସବୁ ମନ୍ତ୍ରୀ ଏକାଠି ଇସ୍ତଫା ଦେଲେ

ଜୟପୁର: ଆସନ୍ତାକାଲି ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାର ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବ। ଏହାପୂର୍ବରୁ ଆଜି ଯୋଜନା ମୁତାବକ ରାଜ୍ୟର ସବୁ ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସମସ୍ତେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟକୁ ନିଜ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି।

ମନ୍ତ୍ରୀମାନେ ଇସ୍ତଫା ଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଗେହଲଟ କ୍ୟାବିନେଟ ବୈଠକ ଡାକିଥିଲେ। ପୁରୁଣା ମନ୍ତ୍ରୀଙ୍କୁ ନେଇ ଆଜି ସନ୍ଧ୍ୟାରେ ଶେଷ କ୍ୟାବିନେଟ ବୈଠକ ବସିଥିଲା। ବୈଠକ ପରେ ସବୁ ମନ୍ତ୍ରୀ ନିଜ ପଦ ଛାଡ଼ିଛନ୍ତି। ଆସନ୍ତାକାଲି ରାଜଭବନରେ ଗେହଲଟଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ସଦସ୍ୟମାନେ ପଦ ଓ ଗୋପନୀୟତାର ଶପଥ ନେବେ।

ଦୀର୍ଘଦିନ ହେଲାଣି ଗେହଲଟ ଓ ବରିଷ୍ଠ ସଚିନ ପାଇଲଟଙ୍କ ମଧ୍ୟରେ କ୍ଷମତାକୁ ନେଇ ତିକ୍ତତା ଲାଗି ରହିଥିଲା। ଦିନକୁ ଦିନ ତିକ୍ତତା ବଢ଼ୁଥିବାରୁ କଂଗ୍ରେସ ହାଇକମାଣ୍ଡ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପାଇଁ ଅନୁମତି ଦେଇଥିଲେ। ଏବେ ଗେହଲଟଙ୍କ ମନ୍ତ୍ରିମଣ୍ଡଳରେ ଥିବା ସବୁ ସଦସ୍ୟ ଇସ୍ତଫା ଦେଇଥିବାରୁ ସଚିନ ପାଇଲଟଙ୍କ ଘନିଷ୍ଠ ସହଯୋଗୀଙ୍କୁ ମନ୍ତ୍ରୀ ପଦ ମିଳିବ।

ମିଳିଥିବା ସୂଚନା ଅନୁଯାୟୀ, ପାଇଲଟଙ୍କ କ୍ୟାମ୍ପର ୪ରୁ ୫ ଜଣ ଆସନ୍ତାକାଲି ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ସେହିପରି ଗେହଲଟଙ୍କ ମନ୍ତ୍ରିମଣ୍ଡଳରେ ଥିବା କିଛି ବରିଷ୍ଠ ନେତାଙ୍କୁ ବାଦ ଦିଆଯିବ। ମନ୍ତ୍ରୀ ବଦଳରେ ସେମାନେ କଂଗ୍ରେସର ସାଂଗଠନିକ ସ୍ଥିତିକୁ ମଜବୁତ କରିବାକୁ କାମ କରିବେ।

କଂଗ୍ରେସ କ୍ୟାବିନେଟ ଅଦଳବଦଳ ବେଳେ ଜଣେ ନେତା, ଗୋଟିଏ ପଦ ଫର୍ମୁଲାକୁ ଲାଗୁ କରିବ। ସେହିପରି ଗେହଲଟଙ୍କ କ୍ୟାବିନେଟରେ ଥିବା ୩ ଜଣ ବରିଷ୍ଠ ନେତାଙ୍କୁ ପଦରୁ ବିଦା କରାଯିବ। ସେମାନଙ୍କୁ ଦଳରେ ବିଭନ୍ନ ଦାୟିତ୍ୱ ପ୍ରଦାନ କରାଯାଇ ସାରିଛି। ରାଜସ୍ଥାନର ପିସିସି ମୁଖ୍ୟ ଗୋବିନ୍ଦ ଦୋତାସ୍ର, ପଞ୍ଜାବର ଏଆଇସିସି ଇନଚାର୍ଜ ହରିଶ ଚୌଧୁରୀ ଓ ଗୁଜରାଟ ଏଆଇସିସି ଇନଚାର୍ଜ ରଘୁ ଶର୍ମାଙ୍କୁ କ୍ୟାବିନେଟରୁ ବାଦ ଦିଆଯିବ।

ସେମାନେ ନିଜ ତରଫରୁ ହିଁ ଦଳ ପାଇଁ କାମ କରିବାକୁ ଚାହୁଁଥିବା ହାଇକମାଣ୍ଡଙ୍କୁ ଜଣାଇଥିବା କୁହାଯାଉଛି। ବର୍ତ୍ତମାନ ଗେହଲଟଙ୍କ କ୍ୟାବିନେଟରେ ୯ଟି ପଦ ଖାଲି ରହିଛି। ସଚିନ ପାଇଲଟ ତାଙ୍କ କ୍ୟାମ୍ପରୁ ୪ରୁ ୫ ଜଣ ବିଧାୟକଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ଦେବାକୁ ଲବି ଚଳାଇଛନ୍ତି।

ଗତବର୍ଷ ଗେହଲଟ ସରକାରଙ୍କ ବିରୋଧରେ ସଚିନ ପାଇଲଟଙ୍କ ସମର୍ଥକମାନେ ବିଦ୍ରୋହ ଘୋଷଣା କରିଥିଲେ। ସ୍ଥିତି ଏପରି ହୋଇଥିଲା ଯେ ସଚିନ ଆଣ୍ଡ କୋ ଦିଲ୍ଲୀରେ ଡେରା ପକାଇଥିଲେ। ଶେଷରେ ଗାନ୍ଧି ପରିବାର ଗେହଲଟ ଓ ପାଇଲଟ କଳିରେ ହସ୍ତକ୍ଷେପ କରି ସବୁ କିଛିକୁ ସମାଧାନ କରିଥିଲେ। ଏହି ସମୟରେ ସଚିନ ପାଇଲଟ ଉଠାଇଥିବା ଦାବି ଗୁଡ଼ିକୁ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।

ଏଥିପାଇଁ କଂଗ୍ରେସ ହାଇକମାଣ୍ଡ ୩ ଜଣିଆ କମିଟି ଗଠନ କରିଥିଲେ। ଏହି କମିଟିର ମତାମତ ଓ ସ୍ଥିତିକୁ ଦେଖି ଏବେ ରାଜସ୍ଥାନ କ୍ୟାବିନେଟକୁ ଅଦଳବଦଳ କରାଯିବ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।